ଠିକାଦାର – ଯନ୍ତ୍ରୀ ମଧୁଚନ୍ଦ୍ରିକା : ନିର୍ମାଣ କାର୍ଯ୍ୟ ନସରୁଣୁ ବସ ଟର୍ମିନାଲ ଛାତରେ ଫାଟ ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ …..

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ସହରକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ତଥା ଯାତ୍ରୀ ମାନଙ୍କ ସୁବିଧା ପ୍ରଦାନ ଲକ୍ଷ୍ୟରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁରେ ୩.୨୧ କୋଟି ଟଙ୍କା ବ୍ୟୟରେ ଏକ ବସ ଟର୍ମିନାଲ ନିର୍ମାଣ ସକାଶେ ଗତ ଏପ୍ରିଲ ୪ -୨୦୧୭ ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗ୍ରସ୍ତ ସମୟରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ବସ ଟର୍ମିନାଲ ନିର୍ମାଣ ପାଇର୍ ପୌର ପରିଷଦର ନିଜସ୍ୱ ଆୟ ୭୪ ଲକ୍ଷ ଟଙ୍କା ରହିଛି । ରାସ୍ତା ଓ କୋଠାବାଡ଼ି ଗ୍ରାମ ଡ଼ିଭିଜନ – ୧ ପକ୍ଷରୁ ଏହାର ଟେଣ୍ଡର କରାଯାଇଛି । ବ୍ରହ୍ମପୁର ଉନ୍ନୟନ କର୍ତୁପକ୍ଷ (ବିଡ଼ିଏ) କାର୍ଯ୍ୟ ପାଇଁ ବୈଷୟିକ ସହାୟତା ପ୍ରଦାନ କରିଛି । ଗତ ୨୦୧୭ ଅକ୍ଟୋବର ମାସ ୩୧ ତାରିଖ ସୁଦ୍ଧା ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଚୁକ୍ତି ହୋଇଥିଲା । ଚୁକ୍ତି ଅବଧି ଶେଷ ହେବାର ପ୍ରାୟ ୧ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ବସ ଟର୍ମିନାଲ କାର୍ଯ୍ୟ ଶତକଡ଼ା ୭୦ ଭାଗ ସରିନାହିଁ । ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ସମେତ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଏସଡ଼ିଓ, ସହକାରୀ ଯନ୍ତ୍ରୀ ବାରମ୍ବାର ଘଟଣା ସ୍ଥଳ ପରିଦର୍ଶନ କରି ଫେରୁଥିଲେ ମଧ୍ୟ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ଦେଖାଦେଉଛି । ଅନ୍ୟପକ୍ଷରେ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ନସରୁଣୁ ବସଷ୍ଟାଣ୍ଡ ମୁଖ୍ୟ ଛାତରେ ଫାଟ ସୃଷ୍ଟି ହେବା ସହ ସେଡ଼ ଛାତ ଫାଟି ତିନୋଟି ପିଲରରୁ ପାଣି ଝରୁଥିବାର ଦେଖିବାକୁ ମିଳୁଛି । ବିଭାଗୀୟ ଅବହେଳା ଓ ଉପଯୁକ୍ତ ତଦାରଖ ଅଭାବରୁ ବସଷ୍ଟାଣ୍ଡ ନିର୍ମାଣ ନ ସରୁଣୁ ବସଷ୍ଟାଣ୍ଡ ଛାତ ଫାଟି ପାଣି ଝରୁଥିବାରୁ କାର୍ଯ୍ୟ ନିମ୍ନମାନର ହୋଇଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଏବଂ ନିର୍ମାଣ କାର୍ଯ୍ୟରେ ଠିକାଦାର- ଯନ୍ତ୍ରୀ ମଧୁଚନ୍ଦ୍ରକି ଚାଲିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ପରିତାପର ବିଷୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବାକୁ ଲାଗିଲାଣି ମାତ୍ର କାମର ନକ୍ସା ଓ ସୁଚନା ଫଳକ କାର୍ଯ୍ୟ ଆରମ୍ଭ ପୁର୍ବରୁ ଲଗାଇବା ନିୟମ ରହିଥିଲେ ମଧ୍ୟ ତାହା ଲଗାଯାଇନାହିଁ । ଏହି କାର୍ଯ୍ୟ ଆରମ୍ଭ ବେଳେ ଭୁ ତଳ ସମତୁଲ ସମୟରେ ୁବଡ଼ ବଡ଼ ପଥର ଓ ଅଳିଆ ଆବର୍ଜନା ପୋତା ଯାଉଥିବା ଭିଡ଼ିଓ ଭାଇରଲ ହୋଇଥିଲା ଓ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ମଧ୍ୟ ହେଇଥିଲା । ଏଠି କହିବା କାହାକୁ ଶୁଣିବ କିଏ ପ୍ରଶ୍ନ ଉଙ୍କି ମାରୁଛି । ବର୍ତମାନ ଅଳ୍ପ ବର୍ଷାରେ ଛାତ ଫାଟି ତିନୋଟି ପିଲାର ଦେଇ ପାଣି ବୋହୁଥିବା ଦେଖିବାକୁ ମିଳୁଛି । ନିର୍ମାଣ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚି ସୃଷ୍ଟି ହେଉଛି । କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ଉପଯୁକ୍ତ ତଦାରଖ ଅଭାବ ଓ ଲାଭଖୋର ମନବୃତି କୁ ବିଭାଗର ମୈାନବ୍ରତ ଯୋଗୁଁ ବସ ଟର୍ମିନାଲର ସ୍ଥାୟୀତ୍ୱ ନେଇ ଲେକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ଘଟଣା ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମା ଚରଣ ପାଢିଙ୍କୁ ପଚାରିବାରୁ ସେ କହିଲେ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ନିର୍ମାଣ କାର୍ଯ୍ୟ କରାଯାଉଛି, ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଯାହା କିଛି ନିଷ୍ପତି ନେବେ । ଏସଡ଼ିଓ ଉପେନ୍ଦ୍ର କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ଘଟଣା ବିଷୟରେ ସେ ଅବଗତ ନୁହନ୍ତି, ତଥାପି ଏ ଦିଗରେ ସେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଘଟଣା ନେଇ ଠିକାଦାର ସରୋଜ କୁମାର ଶତପଥୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ପାଇପ ଲାଇନ କାର୍ଯ୍ୟ କରାଯାଇନଥିବା ଯୋଗୁଁ ନିର୍ମାଣଧିନ ବସ ଟର୍ମିନାଲ ଛାତରୁ ପାଣି ଝରୁଛି ଏବଂ ଡ଼ିଜାଇନ ନିର୍ମାଣ ସମୟରେ ଡ଼୍ରିଲ କରୁଥିବା ବେଳେ ଅସାବଧାନବଶତଃ ଛାତ ହୋଲ ହୋଇଯାଇଛି । ଏହାକୁ ଯଥାଶୀଘ୍ର ମରାମତି କରାଯିବ । ଘଟଣା ନେଇ ବିଭାଗୀୟ ଏସଡ଼ିଓ, ସହକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ କଥାର ତାଳମେଳ ରହୁନଥିବାରୁ ନିର୍ମାଣ କାର୍ଯ୍ୟରେ ବହୁ ଅନିୟମିତତା ଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି । ବସଷ୍ଟାଣ୍ଡ କାମ ନିମ୍ନ ମାନର ଓ ବ୍ୟାପକ ଅନିୟମିତତା ହୋଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ କରାଯିବା ସହ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ ନୁଆଁ ବୋତଲରେ ପୁରୁଣା ମଦ ସଦୃଶ୍ୟ ପୂର୍ବପରି ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିବା ଯୋଗୁଁ ଖରା ଓ ବର୍ଷା ସମୟରେ ଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ