ସମଗ୍ର ମହିଳାଙ୍କ ସର୍ବକାଳୀନ ଆଦର୍ଶ ଥିଲେ ନନ୍ଦିନୀ ଶତପଥୀ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଉତ୍କଳ ନନ୍ଦିନୀ, ଚିର ବିପ୍ଲବିନୀ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ସୁସାହିତ୍ୟିକା, ସଙ୍ଗଠକ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରିଣୀ ନନ୍ଦିନୀ ଶତପଥୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ପ୍ରତିମୂର୍ତ୍ତିଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ ବରେଣ୍ୟ ଅତିଥି ଭାବେ, ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ, ସରକାରଙ୍କ ସଂସ୍କୃତି ଅନୁସଚିବ ତଥା ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା ଉପସ୍ଥିତ ରହି ମାଲ୍ୟାର୍ପଣ କରିବା ସହିତ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ଆଜି ହେଉଛି ଓଡ଼ିଶା ସାମ୍ବାଦିକତା ଦିବସ ସହିତ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଜନ୍ମଦିବସ । ଶ୍ରୀମତୀ ଶତପଥୀ କେନ୍ଦ୍ର ତଥା ରାଜ୍ୟ ସରକାରରେ ଥାଇ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରିବା ସହିତ ଓଡ଼ିଆ ସାହିତ୍ୟକୁ ବହୁ ଆଗକୁ ନେଇଥିଲେ । ମୁଖ୍ୟମନ୍ତ୍ରୀତ୍ୱ କାଳରେ ଭୂସଂସ୍କାର ଆଇନକୁ କାର୍ଯ୍ୟକାରୀ କରିବା, ଯୌତୁକ ବିରୋଧରେ ଅଭିଯାନ ଆରମ୍ଭ କରି ଯୌତୁକ ନିରୋଧ ଆଇନ ପ୍ରଣୟନ କରିବା, ହରିଜନ ଓ ଆଦିବାସୀମାନଙ୍କ ପାଇଁ କଳିଙ୍ଗ କୁଟୀର ଯୋଜନା କରାଇବା ପ୍ରମୁଖ ଅବଦାନ ତାଙ୍କର ଥିଲା । ସମସ୍ତ ମହିଳାମାନଙ୍କ ସର୍ବକାଳୀନ ଆଦର୍ଶ ଭାବେ ସେ ପ୍ରେରଣାର ସ୍ରୋତ ପାଲଟିଛନ୍ତି । ଏହି ଅବସରରେ ସଂଗଠନର ସମର୍ପିତ ସଦସ୍ୟ, ପାଲା ସଂସ୍କୃତିର ମହାନ୍ ସାଧକ, ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟଙ୍କୁ ନନ୍ଦିନୀ ଶତପଥୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂଗଠନର ବରିଷ୍ଠ ସଦସ୍ୟ ପ୍ରାକ୍ତନ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଡଃ ଅସିତ୍ ଦାସ, ସୀତାଂଶୁ ଶେଖର ମହାରଣା, ରୋହିତ କୁମାର, ସମିତା ମହାରଣା, ମହେନ୍ଦ୍ର ହରିଚନ୍ଦନ, ନାରାୟଣ ଖୁଣ୍ଟିଆ, ଡଃ ଜୟଶ୍ରୀ ଧଳ, ସନ୍ତୋଷ କୁମାର ବେହେରା, ରାଜା ପ୍ରମୁଖ ସ୍ମୃତିଚାରଣ ସଭାରେ ଉପସ୍ଥିତ ରହିଥିଲେ । ଅଭିଯାନର ସଂଯୋଜକ ନାରାୟଣ ଓଝା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ