ଶିଖର ପଂଚାୟତରେ ଜଳ ଜୀବନ ମିଶନ ଯୋଜନା
ନାଉଗାଁ, (ଓ୍ବାଇଏନ୍ଏସ୍):ଗ୍ରାମାଂଚଳର ସବୁ ଗୃହକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ମାଧ୍ୟମରେ ସମସ୍ତ ଗୃହକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ଲକ୍ଷ୍ୟ ରଖାଯାଇଛି । ନାଉଗାଁ ବ୍ଳକର ଶିଖର ପଂଚାୟତରେ ଏହି ଯୋଜନା ସଂପୂନ୍ନ ରୂପେ ଫେଲ୍ ମାରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଠିକାଦାର ଶନିବାର ଶିଖର ପଂଚାୟତ ଶାଳିଜଙ୍ଗା ଗ୍ରାମ ହିତାଧିକାରୀଙ୍କ ଗୃହକୁ ପାଇପ ସଂଯୋଗ କରିବାକୁ ଆସିଥିଲେ । ବିନା ଅର୍ଥରେ ଗୃହକୁ ପାଇପ ସଂଯୋଗ ଦେବାର ନିୟମ ରହିଥିବା ହିତାଧିକାରୀମାନେ ଗଣମାଧ୍ୟମରୁ ଜାଣିବା ପରେ ସଂପକ୍ତ ଠିକାଦାରର ବୁଝାସୁଝା କରୁଥିବା କର୍ମଚାରୀକୁ ଘେରିଥିଲେ । ଅର୍ଥ ଫେରାଇବା ସହିତ ଗୃହକୁ ପାଇପି ସଂଯୋଗ ଦେବା ପାଇଁ ଜିଦ କରିଥିଲେ । ସ୍ଥାନୀୟ ଅଂଚଳରେ କିଛି ସମୟ ଉତେଜନା ଦେଖା ଦେଇଥିଲା । ପରେ ସଂପକ୍ତ କର୍ମଚାରୀ ଜଣଙ୍କ ସେଠାରୁ ଖସି ପଳାଇଥିଲେ । ପରେ ଶିଖର ପଂଚାୟତର ସରପଂଚ ଅକ୍ଷୟ ଜେନାଙ୍କ ଉପସ୍ଥିତରେ ଠିକାଦାର ପକ୍ଷରୁ ହିତାଧିକାରୀଙ୍କ ଠାରୁ ଆଦାୟ ହୋଇଥିବା ଅର୍ଥ ଆନୁମାନିକ ୧୨ ହଜାର ଟଙ୍କା ଫେରସ୍ତ କରାଯାଇଥିବା ହିତାଧିକାରୀ ପ୍ରଭାସିନି ମୁଦୁଲି, ହେମ ମୁଦୁଲି, ଗୁନିଲତା ମୁଦୁଲି, ରିନା ପଣ୍ଡା, ଭବାନୀ ମଲ୍ଲ, ରୁନି ପଣ୍ଡା, ଅନନ୍ତ ପ୍ରସାଦ ମହାପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି । ସରକାରଙ୍କ ନିୟମାନୁସାରେ ସଂପୂର୍ଣ୍ଣ ମାଗଣାରେ ହିତାଧିକାରୀଙ୍କ ଗୃହକୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ଥିବା ବେଳେ ଠିକାଦାର କିପରି ଅର୍ଥ ସଂଗ୍ରହ କରୁଛନ୍ତି ବିଭାଗୀୟ ଅଧିକାରୀ ଜାଣିପାରୁ ନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାନୀୟ ଜଳ ଯୋଗାଇବା ନାଁରେ ବିଭାଗୀୟ ଅଧିକାରୀ ଓ ଠିକାଦାର ଅର୍ଥ ହରିଲୁଟ କରୁଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ମଂଜୁର କରାଯାଇ କାର୍ଯ୍ୟ କରାଯାଉଛି । କିନ୍ତୁ କାର୍ଯ୍ୟ ସଂର୍ପକରେ ସୂଚନା ଫଳକର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ । ତେଣୁ କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କେବଳ ଶିଖର ପଂଚାୟତ ନୁହେଁ ଏହି ବ୍ଳକର ଅନ୍ୟ ପଂଚାୟତରେ ଏହି ଯୋଜନା ସଂପୂର୍ଣ୍ଣ ଭାବେ ଫେଲ ମାରିଥିବା ଜଣାଯାଇଛି । ଏ ସଂପର୍କରେ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଭରତ ଭୂଷଣ ଲେଙ୍କାକୁ ପଚାରିବାରୁ ଠିକାଦାରଙ୍କର ଅର୍ଥ ନେବାର ନିୟମ ନାହିଁ । ଯେଉଁ ଅର୍ଥ ନେଇଛନ୍ତି ତାହା ଫେରସ୍ତ କରିବେ । ତତ୍ସହିତ ଅଧା ରହିଥିବା କାର୍ଯ୍ୟକୁ ସଂପୂନ୍ନ କରିବେ ବୋଲି ମତବ୍ୟକ୍ତ କରିଥିଲେ ।