ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ : ଅକ୍ଟୋବର ସୁଦ୍ଧା ଶେଷ ହେବ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ
ଭୁବନେଶ୍ୱର, (ୱାଇଏନ୍ଏସ୍): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିଲିନ୍ କ୍ରିଷ୍ଣା ଶନିବାର ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଏହି ସଚିବ ସ୍ତରୀୟ ପ୍ରତିନିଧି ଦଳ କୁନ୍ଦୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ସବ୍ଷ୍ଟେସନ, ଭେଡାବାହାଲ କୋଲ୍ କରିଡର, ଭବାନୀପୁର ଠାରେ ଆଧୁନିକ ବାଲା ମଡେଲରେ ନିର୍ମିତ ଅଙ୍ଗନବାଡୀ କେନ୍ଦ୍ର ଏବଂ କିଂଜିରିମା ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିଥିଲେ । ଏହାସହିତ ଶିକ୍ଷା, ମହିଳା ଓ ଶିଶୁବିକାଶ, ପୋଷଣ, ଜୀବିକା, ସଂଯୋଗୀକରଣ, ପାନୀୟ ଜଳ, କୃଷି ଓ ଜଳସେଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ ।
ଏଥିସହ କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ସ୍ୱାସ୍ଥ୍ୟ ଭିତିଭୂମିର ପ୍ରସ୍ତୁତି ଏବଂ ବିଶେଷ କରି ଶିଶୁମାନଙ୍କ ଚିକିତ୍ସା ଲାଗି ଆଇସିୟୁ ତଥା ଆବଶ୍ୟକୀୟ ବ୍ୟବସ୍ଥା ସଂପର୍କରେ ସୁନ୍ଦରଗଡସ୍ଥିତ ଏନଟିପିସି କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଏତଦ୍ ବ୍ୟତୀତ ଜିଲ୍ଲାରେ କ୍ରୀଡା ଭିତିଭୂମି ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ରୂପାନ୍ତର କାମ ଅକ୍ଟୋବର ସୁଦ୍ଧା କରାଯିବ ବୋଲି ନିଷ୍ପତି ହୋଇଛି । ୫୦ଟି ହାଇସ୍କୁଲ ମଧ୍ୟରୁ ଏହି ସଚିବସ୍ତରୀୟ ଦଳ କିଞିରିମା ସରକାରୀ ହାଇସ୍କୁଲ ବୁଲି ଦେଖିଥିଲେ । ସେମାନେ ସ୍ମାର୍ଟ କ୍ଲାସରେ ବସି ଷ୍ଟୁଡିଓରେ ଥିବା ଶିକ୍ଷୟତ୍ରୀ ଏବଂ ଅନ୍ୟ ଏକ କକ୍ଷରେ ବସି ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥାବାର୍ତା କରିଥିଲେ ।