କାଳ ହେଲା ଅନ୍ଲାଇନ୍ କ୍ଲାସ୍
ରାୟଗଡ଼ା, (ଓ୍ୱାଇଏନ୍ଏସ୍): ଅନ୍ଲାଇନ୍ରେ ପାଠପଢ଼ା ଜଣେ ଛାତ୍ରଙ୍କୁ ଠେଲି ଦେଇଛି ମୃତ୍ୟୁ ମୁହଁକୁ । ମୋବାଇଲ ନେଟୱର୍କ ନଥିବାରୁ ଛାତ୍ର ଜଣକ ଗୋଟିଏ ପାହାଡ଼ ଉପରେ ଚଢ଼ି ମୋବାଇଲ୍ରେ ନେଟ୍ୱାର୍କ ଆସିଲେ ପାଠ ପଢ଼ିବେ ବୋଲି ଖୁସିର ସହିତ ମୋବାଲଇ ନେଇ ପାହାଡ଼କୁ ଯାଇଥିଲେ । ହେଲେ କିଏ ଜାଣିଥିଲା ତାକୁ ସେଠାରେ ମୃତ୍ୟୁ ଅପେକ୍ଷା କରି ବସିଛି ।ସେଠାରେ ପହଂଚିବା ପରେ ବର୍ଷା ହେତୁ ପାହାଡ଼ର ପଥରରେ ସିଉଳି ରହିଥିଲା, ତେଣୁ ସେଠାରେ ତାର ଗୋଡ଼ଟି ଖସି ଯିବାରୁ ଛାତ୍ରଟି ଗୁରୁତର ଆହତ ହୋଇଥିଲେ । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ଼ ପଞ୍ଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, କନ୍ଧପାଣ୍ଡୁରାଗୁଡ଼ା ଗାଁର ନରହରି ଜାଗରଙ୍ଗାଙ୍କ ପୁଅ ଅଦ୍ରିଆ ଜାଗରଙ୍ଗା (୧୩ବର୍ଷ) କଟକ ମିସନାରି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଥିଲେ । ବିଦ୍ୟାଳୟ ବର୍ତ୍ତମାନ ବନ୍ଦ ରହିଥିବାରୁ ସେ ଘରକୁ ଚାଲି ଆସିଥିଲେ। କିନ୍ତୁ ନିୟମିତ ଭାବେ ଅନ୍ଲାଇନ୍ କ୍ଲାସ୍ କରୁଥିଲେ। ଗାଁରେ ମୋବାଇଲ ନେଟୱର୍କ ରହୁ ନଥିବାରୁ ନିୟମିତ ଭାବେ ଘର ଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ପାହାଡ଼ ଉପରକୁ ଯାଉଥିଲେ। ପାଠ ପରେ ଘରକୁ ଫେରୁଥିଲେ।ଅନ୍ୟଦିନ ଭଳି ଆଜି ମଧ୍ୟ ଅଦ୍ରିଆ ଏକୁଟିଆ ମୋବାଇଲ ଫୋନ୍ ନେଇ ପାହାଡ଼ ଉପରକୁ ପଢ଼ିବା ପାଇଁ ଯାଇଥିଲେ। ସଂଧ୍ୟା ପ୍ରାୟ ୫ଟାରେ ଗୋଟିଏ ପଥର ଉପରେ ବସି ପାଠ ପଢ଼ିବା ସମୟରେ ହଠାତ୍ ଉକ୍ତ ପଥରଟି ଧସି ଯାଇଥିଲା। ଯାହାଫଳରେ ଭାରସାମ୍ୟ ହରାଇ ଅଦ୍ରିଆ ତଳକୁ ଖସି ପଡ଼ିବାରୁ ଡାହାଣ ଗୋଡ଼ ସଂପୂର୍ଣ୍ଣ ଭାଙ୍ଗି ଯାଇ ଗୁରୁତର ଆହତ ହୋଇଥିଲା। ଖବର ପାଇ ପଦ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଛାତ୍ରଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ନ ଆସିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ସ୍ଥାନାନ୍ତର ପୂର୍ବରୁ ହିଁ ଅଦ୍ରିଆଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।


