ସ୍କୁଲ ରୁପାନ୍ତରୀକରଣ ଉଦଘାଟନ: ୫ପର୍ଯ୍ୟାୟରେ ଆସିବେ ଶହେରୁ ଉର୍ଦ୍ଧ୍ବ ବିଧାୟକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଓ ହିଂଜିଳିକାଟୁ ବ୍ଳକ ଓ ପୌରାଞ୍ଚଳର ୪୮ଟି ସରକାରୀ ହାଇସ୍କୁଲ ଓ ୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ୫ଟି କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରୀକରଣ କରାଯାଇଛି । ଚଳିତ ଅଗଷ୍ଟ ମାସ ୨୧, ୨୩, ୨୬,୨୮ ଓ ୩୦ ତାରିଖରେ ଉକ୍ତ ରୁପାନ୍ତରିତ ସ୍କୁଲ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିବେ । ଏହିସବୁ ରୁପାନ୍ତରୀକରଣ କାର୍ଯ୍ୟକ୍ରମ ଉଦଘାଟନରେ ଉପସ୍ଥିତ ରହିବା ସହ ଅଂଚଳରେ ହୋଇଥିବା ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ନିମନ୍ତେ ରାଜ୍ୟ ବିଧାନସଭାର ୧୧୧ ଜଣ ସଦସ୍ୟ ହିଞ୍ଜିଳି ଆସିବେ । ଏଥିରେ ମନ୍ତ୍ରୀ ଓ ବିଧାୟକ ମାନେ ରହିଛନ୍ତି । ବିଧାୟକ ଓ ମନ୍ତ୍ରୀ ମାନେ ଗଂଜାମ ଜିଲ୍ଲାର ତାମ୍ପରା, ଗୋପାଳପୁର, ତରାତାରିଣୀ ମନ୍ଦିର ସହ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥି ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ ପାର୍କ , ପୋଖରୀ ଉନ୍ନତିକରଣ, ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କ ପକ୍କା ଘର, ଆଧୁନିକ ଡ଼ାକ୍ତରଖାନା, ଗ୍ରାମ୍ୟ ପକ୍କା ରାସ୍ତା, ବର୍ଜ୍ୟବସ୍ତୁରୁ ଉତ୍ପନ୍ନ ଖତ ଓ ଏହାର ପରିଚାଳନା ଇତ୍ୟାଦି ବୁଲି ଦେଖିବେ । ବିଧାନସଭାର ସଦସ୍ୟଙ୍କ ଏହି ଗସ୍ତ ଓ ସ୍କୁଲ ଉଦଘାଟନ ପାଇଁ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ନୋଡ଼ାଲ ଅଫିସର ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଜିଲ୍ଲାର ବିଡ଼ିଓ ମାନଙ୍କୁ ଯୋଗସୁତ୍ର ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।


