ଆୟକର ବିଭାଗ ତରଫରୁ ସାଇକେଲ ରାଲି
ଭୁବନେଶ୍ୱର, (ୱାଇଏନ୍ଏସ୍): ସ୍ୱାଧୀନତାର ୭୫ ବର୍ଷ ପୂର୍ତି, ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆୟକର ବିଭାଗ, ଓଡ଼ିଶା ତରଫରୁ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲା । ପ୍ରାୟ ୨୫୦ ଜଣ ଏହି ସାଇକେଲ ରାଲିରେ ଯୋଗ ଦେଇଥିଲେ । ଆୟକର ବିଭାଗର ଅଧିକାରୀ, କର୍ମଚାରୀମାନଙ୍କ ସମେତ ବିଭିନ୍ନ ସଂଗଠନର ସାଇକେଲ ଚଳାଳିମାନେ ଏଥିରେ ଯୋଗଦେଇଥିଲେ । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଭୁବନେଶ୍ୱରସ୍ଥ ଆୟକର ଭବନ କାର୍ଯ୍ୟାଳୟରେ ଏହି ରାଲିର ଶୁଭ ଉଦ୍ଘାଟନ କରିଥିଲେ । ସାଇକେଲ ରାଲି ସକାଳ ୮ଟା ସମୟରେ କଟକର ଆୟକର ଭବନରେ ପହଂଚିିଥିଲା । ସେଠାରେ ପ୍ରଧାନ ଆୟକର କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏବଂ କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି ରାଲିକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କଟକରୁ ରାଲି ଜାତୀୟ ରାଜପଥ ଦେଇ ଦ୍ୱିପହରରେ ପୁରୀରେ ପହଂଚିିଥିଲା । କଟକରେ ଆୟକର ଭବନର କର୍ମଚାରୀମାନେ ରାଲିରେ ସାମିଲ ହୋଇ ସାଇକେଲ ଚଳାଇ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଲୋକମାନଙ୍କ ମଧ୍ୟରେ ଦେଶାତ୍ମଭାବ ଜାଗ୍ରତ କରିଥିଲେ । ଜିଲ୍ଲାପାଳ ମଧ୍ୟ ନିଜେ ସାଇକେଲ ଚଳାଇ ରାଲିରେ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଏହି ରାଲିରେ ଆୟକର କମିଶନର ଶ୍ରୀ ସରୋଜ ମହାପାତ୍ର, ପ୍ରଧାନ ଆୟକର କମିଶନର ଶ୍ରୀ ଅସିତ ମହାପାତ୍ର, ଅତିରିକ୍ତ ଆୟକର କମିଶନର ଶ୍ରୀ ବିଜୟ ଗୌତମ, ଆୟକର ଅଧିକାରୀ ଶ୍ରୀ ରଞ୍ଜନ ମହାନ୍ତି, ଶ୍ରୀ ପି.କେ. ସାହୁ, ଶ୍ରୀ କ୍ଷିତୀଶ ମହାନ୍ତି, ଶ୍ରୀ ଚିତ୍ତ ପଟ୍ଟନାୟକ, ଶ୍ରୀ ଏସ୍.କେ. ଦତତ୍ତ, ଶ୍ରୀ ଏସ୍.ପି. ରଥ, ନଜ୍ରୁଲ୍ ଇସ୍ଲାମ୍, ଆଡ୍ଭୋକେଟ୍ ଶ୍ରୀ ପ୍ରଦୀପ ପଟ୍ଟନାୟକ ପ୍ରମୁଖ କର୍ମଚାରୀମାନେ ଯୋଗଦେଇଥିଲେ ।


