ଗୁଣୁପରୁ ସବଡିଭିଜନର ୬ ଛାତ୍ରଙ୍କ ମୃତ୍ୟୁ ସୁପରିକଳ୍ପିତ ହତ୍ୟାକାଣ୍ଡ : କଂଗ୍ରେସ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଗୁଣୁପରୁ ସବଡିଭିଜନର ୬ ଜଣ ଛାତ୍ରଙ୍କ ମୃତ୍ୟୁର ଅନୁଧ୍ୟାନ ପାଇଁ ଗଠିତ ପିସିସି କମିଟି ଅନୁଧ୍ୟାନ କରି ଫେରିବା ପରେ ଏହି କମିଟିର ଅଧ୍ୟକ୍ଷ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୬ ଜଣ ଛାତ୍ରଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କଂଗ୍ରେସ ଅଭିଯୋଗ କରୁଛି । ସେ କହିଛନ୍ତି ଉକ୍ତ ୬ଜଣ ଛାତ୍ର ମୋବାଇଲ କିଣି ପାଠ ପଢ଼ିବା ଲାଗି ଆନ୍ଧ୍ରପ୍ରଦେଶର ଗୁଂଟୁର ସ୍ଥିତ ଲେଙ୍କିଡିକାକୁ ଯାଇଥିଲେ । ମାସକ ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଆନ୍ଧ୍ର ପୋଲିସ କହିଥିବାବେଳେ ଶ୍ରୀ ମାଝୀ ଆନ୍ଧ୍ର ପୋଲିସ ମିଛ କହୁଛି କହିବା ସହ ପାରପାର୍ଶିକ ସ୍ଥିତିରୁ ଜଣାପଡ଼ୁଛି ସଟ ସର୍କିଟ ଯୋଗୁଁ ମୃତ୍ୟୁ ହୋଇନି ବୋଲି ସେ କହିଛନ୍ତି ଯେଉଁଠି ସେମାନଙ୍କର ମୃତ୍ୟୁ ହୋଇଥିଲା ସେ ଏକ ଫର୍ଟିଲାଇଜର ଗୋଦାମ ଏଥିରୁ ଜଣାପଡ଼ୁଛି । ଉକ୍ତ ଛାତ୍ର ୬ ଜଣ ସେଠାରେ ଦାଦନ ଖଟୁଥିବା ବେଳେ ସେମାନେ ଅତ୍ୟାଚାରିତ ହୋଇ ଘରକୁ ଫେରିବାକୁ ଚାହୁଁଥିଲେ । ଷ୍ଟେସନରୁ ମାଲିକ ତାଙ୍କୁ ଅତ୍ୟାଚାର କରି ସେଠାରେ ରଖିଥିବା ଅଭିଯୋଗ କରିଛି କଂଗ୍ରେସ । ୬ଜଣ ଛାତ୍ରଙ୍କ ମଧ୍ୟରୁ ୨ ଜଣ ଆଦିବାସୀ ଆବାସିକ ବିଦ୍ୟାଳୟର ଛାତ୍ର । ସରକାରୀ ନିୟମ ରହିଛି ପିଲାମାନେ ଘରକୁ ଗଲେ ବି କେମିତି ଅଛନ୍ତି, କୁଆଡ଼େ ଗଲେ, ସଂପୂର୍ଣ୍ଣ ତଥ୍ୟ ତଦାରଖ କରିବା କଥା କର୍ତୃପକ୍ଷଙ୍କର । କିନ୍ତୁ ଦୁଇ ଛାତ୍ର ମାସେ ଧରି ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା କେମିତି ଜାଣି ପାରିଲେନି କର୍ତୃପକ୍ଷ । ମୃତଦେହ ମିଳିବାପରେ ଜାଣିବାକୁ ପାଉଛନ୍ତି କର୍ତୃପକ୍ଷ । ଯାହା ଆମେ ଜାଣିଲୁ କି ଦଲାଲ ମାନେ ଏହି ଛାତ୍ରମାନଙ୍କୁ ଶିଶୁ ଶ୍ରମିକ ବନାଇ କାମ କରାଉଥିଲେ । ଦଲାଲ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଶ୍ରମ ବିଭାଗ ଚୁପ ରହିବା ଆଶ୍ଚର୍ଯ୍ୟନିତ କରିଛି । କେବଳ କିଛି ଅର୍ଥ ରାଶି ଦେଇ ଚୁପ ବସିଛନ୍ତି ସରକାର । ଏହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି । କେଉଁ ପରିସ୍ଥିତିରେ ଏହି ଛାତ୍ର ମାନଙ୍କର ମୃତ୍ୟୁ ହୋଇଛି ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣନ୍ତୁ । ନଚେତ ୭ଦିନ ମଧ୍ୟରେ ଆନ୍ଦୋଳନ କରିବ ବୋଲି କଂଗ୍ରେସ ଚେତାବନୀ ଦେଉଛି ବୋଲି ଶ୍ରୀ ମାଝି କହିଥିଲେ । ଏହା ସହ ଛାତ୍ରମାନଙ୍କ ଅନଲାଇନ କ୍ଲାସ ପାଇଁ ସରକାର ମୋବାଇଲ ଯୋଗାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଆବାହକ ତଥା ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ବିଜୟ ଗମାଙ୍ଗ, ଅଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ