ଏସବିଆଇ ଏଟିଏମ ଅଚଳ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମ ଗୁଡିକ ଅଚଳ ହୋଇପଡିଥିବା ଦେଖାଯାଇଛି। ଏନେଇ ଗ୍ରାହକମାନେ ବାରମ୍ବାର ଏସବିଆଇ କତ୍ତୃପକ୍ଷଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ସମସ୍ୟାର କୈାଣସି ସମାଧାନ ହୋଇନଥିବା ଦେଖିବାକୁ ମିଳିଛି।ପୁରୁଣା ବସଷ୍ଟାଣ୍ଡର କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟ ସନ୍ନିକଟରେ ଥିବା ଏସବିଆଇ ଏଟିଏମଟିରେ ବହୁ ସମୟରେ ଅଧାସଟର ପଡି ରହିଥିବା ଅଭିଯୋଗ ହୋଇଛି। ଗ୍ରାହକମାନେ ସେହି ଏଟିଏମକୁ ଯାଇ ବାରମ୍ବାର ଫେରୁଥିବା କହିଛନ୍ତି। ଅଧିକାଂଶ ସମୟରେ ଗ୍ରାହକମାନେ ସେହି ଏଟିଏମକୁ ଯାଇ ଦେଖିବାକୁ ପାଆନ୍ତି ଯେ କ୍ୟାସ ନାହିଁ ବା ଏଟିଏମ ଖରାପ ଅଛି। ସହରର ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଏବଂ ପୁରୁଣା ବସଷ୍ଟାଣ୍ଡରୁ ସାନ୍ତସାହି ପୋଲ ପର୍ଯ୍ୟନ୍ତ କୈାଣସି ଏସବିଆଇ ଏଟିଏମ ନାହିଁ। ପୂର୍ବରୁ ମୀରପାଟଣା, ଚାଟରାପାଟଣା, ମହିପାଳ ଓ ତିନିମୁହାଣି କଲେଜଛକ ଠାରେ ଥିବା ଏସବିଆଇ ଏଟିଏମ ଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ତେଣୁ ଗ୍ରାହକମାନେ ଅର୍ଥ ଉଠାଇବାକୁ ନାହିଁ ନଥିବା ସାମସ୍ୟାର ସମ୍ମୁୁଖୀନ ହେଉଛନ୍ତି। ଯଥାଶୀଘ୍ର ନୂତନ ଏଟିଏମ ଖୋଲାଯିବା ସହ ପୁରୁଣା ବସଷ୍ଟାଣ୍ଡରେ ଥିବା ଏଟିଏମକୁ ସର୍ବଦା ସଚଳ ରଖାଯିବାକୁ କଂଗ୍ରେସ ସଂଖ୍ୟାଲଘୁ ନେତା ସୟଦ ଅବଦୁଲ ସତ୍ତାର ଓ ଯୁବ କଂଗ୍ରେସ ନେତା ରାଜେଶ ଓଝା ଦାବି କରିଛନ୍ତି।


