ଗଜପତି ବିଜେଡିରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ବିଜେଡିରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିବା ସୂଚନା ମିଳିଛି । ଏହି ଜିଲ୍ଲାର ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର ନୂଆଗଡ, ରାୟଗଡ ଓ ଆର୍‌.ଉଦୟଗିରି ବ୍ଲକର ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ କର୍ମୀ ବୈଠକ ନୂଆଗଡ ବ୍ଲକ ବିଜେଡି ସଭାପତି ଏନୋଷ ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ, ରାଜ୍ୟ ସମ୍ପାଦକ ମାରୁତ ପାଳ, ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଲକ୍ଷ୍ମୀକାନ୍ତ ପରିଚ୍ଛା, ଜିଲ୍ଲା ଯୁବ ସଭାପତି ଏସ୍‌. ଲିଙ୍ଗରାଜ, ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ଏଥିରେ ତୃଣମୂଳ ସ୍ତରରେ ବିଜେଡିର ସଙ୍ଗଠନ ଓ ତ୍ରିସ୍ଥରୀୟ ଆଗାମୀ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଆଲୋଚନା କରିବା ସହିତ ଦଳକୁ କିଭଳି ମୋହନା ନିର୍ବାଚନ ମଣ୍ଡଳୀରେ ଅଧିକ ସୁଦୃଢ କରାଯିବ ସବିଶେଷ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆଗଡ, ରାୟଗଡ, ଆର୍‌.ଉଦୟଗିରି ବ୍ଲକର ଶତାଧିକ ସଂଖ୍ୟକ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏହି କଂଗ୍ରେସ କର୍ମୀଙ୍କ ଯୋଗଦାନ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳକୁ ବେଶ ସହାୟକ ହେବ ବୋଲି ଜିଲ୍ଲା ସଭାପତି ପ୍ରଦୀପ ନାୟକ ଏବଂ ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ