ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣାପତ୍ର

ଭୁବନେଶ୍ୱର, ରାଜ୍ୟରେ ବାଉଁଶ ହସ୍ତଶିଳ୍ପର ସର୍ବାଙ୍ଗୀନ ବିକାଶ ନିମନ୍ତେ ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଅଧୀନସ୍ଥ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି କଳାଭୂମି ଠାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ଓଡ଼ିଶା ପିସିସିଏଫ୍ ଓ ବନବାହିନୀ ମୁଖ୍ୟ(ଏଚ୍‌ଓଏଫ୍‌ଏଫ୍‌) ଶିଶିର କୁମାର ରଥୋ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସନାତନ ନାୟକ ଓ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ରାଜ୍ୟ ମିଶନ ନିର୍ଦ୍ଦେଶକ ପ୍ରେମ କୁମାର ଝା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଆମ ଓଡ଼ିଶା ଏକ ଉତ୍କୃଷ୍ଟ ହସ୍ତଶିଳ୍ପ କଳାର ରାଜ୍ୟ ।
ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପକୁ ଆଧାର କରି କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ‘ବାଉଁଶ’ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହସ୍ତଶିଳ୍ପ ଅଟେ । ଏହି ସାମଗ୍ରୀଗୁଡ଼ିକ ପ୍ରାୟ ପ୍ରତି ଜିଲ୍ଲାରେ ଉତ୍ପାଦିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ କେତେକ ମୁଖ୍ୟ ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ମାଲକାନଗିରି । ରାଜ୍ୟରେ ଏହି ହସ୍ତଶିଳ୍ପର କାରିଗରଙ୍କ ସଂଖ୍ୟା ପ୍ରାୟ ୨୨ ହଜାର । ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ୭୨୧.୩୦ ଲକ୍ଷ ଟଙ୍କାର ଆର୍ôଥକ ସହଯୋଗରେ ଯେଉଁ ବାଉଁଶ ହସ୍ତଶିଳ୍ପ ପୁଞ୍ଜଗୁଡ଼ିକର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ସେଗୁଡ଼ିକ ହେଉଛି ମୟୂରଭଞ୍ଜ ଜିଲ୍ଲାର ଇଚିଣ୍ଡା(ରାଇରଙ୍ଗପୁର), ଯାଜପୁର ଜିଲ୍ଲାର ଗୋପାଳପୁର (ରସୁଲପୁର), ଢେଙ୍କାନାଳ ଜିଲ୍ଲାର ବଉଳପୁର(ଓଡ଼ାପଡ଼ା), ବରଗଡ଼ ଜିଲ୍ଲାର ବରଗାଁ/କଂଟାପଲ୍ଲୀ, ବରଗଡ଼ ଜିଲ୍ଲାର ବ୍ରାହ୍ମଣଡ଼ିହୀ(ପଦ୍ମପୁର) ଓ ସୁବର୍ଣ୍ଣପୁର ଜିଲ୍ଲାରବିନିକା ।
ଏହି କାର୍ଯ୍ୟକ୍ରମଗୁଡ଼ିକ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏହାର ଜିଲ୍ଲାସ୍ତରୀୟ ସହ ନିର୍ଦ୍ଦେଶକ(ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସଫଳ ରୂପାୟନ କରାଯିବ । ଏହି ପ୍ରକଳ୍ପ ଅଧୀନସ୍ଥ ପ୍ରମୁଖ କାର୍ଯ୍ୟଗୁଡ଼ିକ ହେଲା ଉପରୋକ୍ତ ବାଉଁଶ ହସ୍ତଶିଳ୍ପ ପୁଞ୍ଜରେ ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ, ଆଧୁନିକ ଯନ୍ତ୍ରପାତି ଦ୍ୱାରା କଂଚା ବାଉଁଶର ପ୍ରକ୍ରିୟାକରଣ ଓ କାରିଗରମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି । ଏତଦ୍‌ବ୍ୟତୀତ ବଜାର ସହାୟତା ପାଇଁ ଗ୍ରାମାଂଚଳରେ ହାଟ ଓ ବାଉଁଶ ବଜାର ପ୍ରତିଷ୍ଠା ତଥା ଇ-ବାଣିଜ୍ୟର ଉପଯୋଗ । ବଜାର ଚାହିଦା ମୁତାବକ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ସିଡାକ୍ ଠାରେ ଏକ ବଜାର ସହାୟତା ତଥା ନମୁନା ବିକାଶ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ଅଛି । ଆଜିର ଏହି ଉତ୍ସବରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସନାତନ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ରାଜ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀ ପ୍ରେମ କୁମାର ଝା ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ହସ୍ତଶିଳ୍ପ ଉପନିର୍ଦ୍ଦେଶକ ଶ୍ରୀ ଶିଶିର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ