ବେସରକାରୀ ଜମିରେ ସରକାରୀ ରାସ୍ତା, ମାଟି ପକାଇ ରାସ୍ତା ଅବରୋଧ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : ଗଂଜାମ ଭଞ୍ଜନଗରର ନବନିର୍ମିତ ପରିବହନ କାର୍ଯ୍ୟାଳୟକୁ ହୋଇଥିବା ନୂତନ ରାସ୍ତା ବେସରକାରୀ ଜମିରେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ମାଟି ପକାଇ ରାସ୍ତା ଅବରୋଧ କରିଛନ୍ତି ଲାଲସିଂ ଅଞ୍ଚଳର କିଛି ବ୍ୟକ୍ତି। ସେମାନେ ଙ୍କ ଅଭିଯୋଗ ହେଉଛି ସରକାର ଏହି ରାସ୍ତା ନିର୍ମାଣ କରିବା ସମୟରେ ସେମାନଙ୍କୁ କୌଣସି ସୂଚନା ଦେଇନଥିବା ସହ ବେଆଇନ ଭାବେ ସେମାନଙ୍କ ପୈତୃକ ଜମିରେ ରାସ୍ତା ନିର୍ମାଣ କରିଛନ୍ତି। ଲାଲସିଂ ଗ୍ରାମର ପ୍ରତାପ ସିଂ ରାଉତ,ସନ୍ତୋଷ କୁମାର ରାଉତ,ହର କିଶୋର ସାହୁ ଙ୍କ ସମେତ ଆଉ କିଛି ଲୋକଙ୍କ ବ୍ୟକ୍ତିଗତ ପ୍ଲଟ ଉପରେ ଏହି ଜାଗା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଏସଂର୍ପକରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ତହସିଲଦାର ଓ ପ୍ରଶାସନିକ ଅଧିକାରୀ ଙ୍କ ପର୍ଯ୍ୟନ୍ତ ସେମାନେ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି। ଏଥିସହ ରାସ୍ତା କଡ ଦେଇ ନୂତନ ବିଦ୍ୟୁତ୍ ଲାଇନ୍ ପାଇଁ ପୋତା ଯାଉଥିବା ଖୁଣ୍ଟ ପୋତା କାର୍ଯ୍ୟକୁ ମଧ୍ୟ ବନ୍ଦ କରିଛନ୍ତି। ପ୍ରକାଶ ଯେ ନୂତନ ପରିବହନ କାର୍ଯ୍ୟାଳୟ ଉଦ୍ଘାଟନ ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ଏହି ରାସ୍ତା ରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ନୂତନ ଆଇଟିଆଇ ନିର୍ମାଣ କାଯ୍ୟ ଚାଲୁ ରହିଛି। ବିଭିନ୍ନ କାଯ୍ୟ ପାଇଁ ସର୍ବସାଧାରଣ ଏହି ରାସ୍ତାରେ ଯାତାୟତ କରୁଥିବା ବେଳେ ରାସ୍ତା ଅବରୋଧ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତୁରନ୍ତ ଏଥି ପ୍ରତି ନଜର ଦେବାକୁ ଦାବି ହୋଇଛି। ଏ ନେଇ ତହସିଲଦାର ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।


