ପଂଚାୟତ ନିର୍ବାଚନରେ ୨୭% ସଂରକ୍ଷଣ ଘୋଷଣାରେ ବିଜେପି ଭୟଭୀତ: ବିଜେଡି
ଭୁବନେଶ୍ୱର, (ୱାଇଏନ୍ଏସ୍): ପଂଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ ଘୋଷଣା କରିବାପରେ ଓଡିଶା ବିଜେପି ଭୟଭୀତ ଓ ଚିନ୍ତିତ ଜଣାପଡୁଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଲୋକଙ୍କୁ ମିଛ କହିବା ବଦଳରେ ଓଡିଶା ବିଜେପି ନିଜ ଦଳକୁ ୫୦% ସଂରକ୍ଷଣର ସୀମା ହଟାଇବା ପାଇଁ ଏକ କେନ୍ଦ୍ରୀୟ ଆଇନ ଆଣିବାକୁ କହିବା ଉଚିତ ଯାହା ଦ୍ୱାରା ଓଡିଶା ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ପ୍ରଦାନ କରିପାରିବ, ଯାହା ବିଜେଡି ବାରମ୍ବାର ଦାବି କରିଆସୁଛି । ଓଡିଶା ବିଜେପି କେନ୍ଦ୍ର ସରକାରଙ୍କୁ ଜାତି ଭିତିକ ଜନଗଣନା କଥା ପଚାରିବା ଉଚିତ । ବିହାର ବିଜେପି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପ୍ରତିନିଧୀ ଦଳ ସହିତ ଯାଇ ଜାତି ଭିତିକ ଜନଗଣନା ସହିତ ସଂରକ୍ଷଣ ସୀମା ହଟାଇବାକୁ ଦାବି କରିଥିଲେ ।
ଓଡିଶାର ଲୋକମାନେ, ବିଶେଷ କରି ଓବିସି ସମ୍ପ୍ରଦାୟ ଓଡିଶା ବିଜେପିର ଏପରି ମିଥ୍ୟା, ଭିତିହୀନ ତଥା ଭ୍ରମିତ କରିବା ଭଳି ବିବୃତି ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି ଏବଂ ଆଗାମୀ ଦିନରେ ଏହାର କଡା ଜବାବ ଦେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି ।


