୨୭ ପ୍ରତିଶତ ସଂରକ୍ଷଣରୁ ପଛୁଆ ବର୍ଗଙ୍କୁ ବଂଚିତ କରାଯାଇଛି : ବିଜେପି

ଭୁବନେଶ୍ୱର, ରାଜ୍ୟ କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ପୈାର ଓ ପଂଚାୟତ ନିର୍ବାଚନରେ ସର୍ବାଧିକ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ୧୯୯୬ ମସିହାଠାରୁ ୫ଟି ପଂଚାୟତ ନିର୍ବାଚନ ଏବଂ ପୈାର ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିଲା । କିନ୍ତୁ ୨୦୧୮ ମସିହାରେ ପୈାର ନିର୍ବାଚନ ପାଇଁ ୬୫ ପ୍ରତିଶତ ସଂରକ୍ଷଣ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ ମକଦ୍ଦମାର ରାୟରେ ମାନ୍ୟବର ହାଇକୋର୍ଟ ୫୦ ପ୍ରତିଶତ ସଂରକ୍ଷଣ କଥା ଉଠାଇଲେ ।ଏହି ନିଷ୍ପତି ବାହାନାରେ ରାଜ୍ୟ ସରକାର ପୈାର ନିର୍ବାଚନ ଘୁଂଚାଇବାରେ ସଫଳ ହେଲେ ଏବଂ ପଛୁଆ ବର୍ଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲେ । ରାଜ୍ୟ ସରକାର ତାଙ୍କର ଷଡଯନ୍ତ୍ରରେ ସଫଳ ହେଲେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।ରାଜ୍ୟରେ ସର୍ବାଧିକ ଅନୁସୁଚିତ ଅଂଚଳ ଥିବା ଏବଂ ପଛୁଆ ବର୍ଗଙ୍କ ସଂଖ୍ୟା ୫୨ ପ୍ରତିଶତ ଥିବାବେଳେ ରାଜ୍ୟ ସରକାର ଏହି ତଥ୍ୟକୁ କୋର୍ଟରେ ଉପସ୍ଥାପିତ କାହିଁକି କରିଲେ ନାହିଁ ? ପରବର୍ତୀ ସମୟରେ ସୁପ୍ରିମକୋର୍ଟ ଯାଇଥିବା ରାଜ୍ୟ ସରକାର ପଛୁଆ ବର୍ଗ ସଂରକ୍ଷଣ ସପକ୍ଷରେ ପକ୍ଷ ରଖିବା ପାଇଁ କେଉଁ ବରିଷ୍ଠ ଆଇନଜୀବିଙ୍କୁ ନିଯୁକ୍ତି ଦେଇଥିଲେ ? ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ କଣ ତଥ୍ୟପ୍ରମାଣ ଉପସ୍ଥାପିତ କରିଥିଲେ, ଏହା ରାଜ୍ୟର ୨.୫କୋଟି ପଛୁଆ ବର୍ଗ ଲୋକଙ୍କୁ ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ବିଶ୍ୱାଳ ଦାବୀ କରିଛନ୍ତି ।କେଉଁ କେଉଁ ନୂତନ ଜାତି ଓ ଉପଜାତିକୁ ପଛୁଆ ବର୍ଗରେ ସାମିଲ କରାଯିବ, ସେ ଦାୟୀତ୍ୱ ହେଲା ରାଜ୍ୟ ସରକାରଙ୍କର । କିନ୍ତୁ ରାଜ୍ୟରେ ଓବିସି କମିଶନ ଗଠନ ହେବାର ୨ ବର୍ଷ ବିତିଯାଥିଲେ ସୁଦ୍ଧା ନୂତନ ତାଲିକା ପ୍ରସ୍ତୁତ କରାଯାଇପାରିଲା ନାହିଁ । କିଛି ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତି ଯେଉଁମାନେ ଦୀର୍ଘ ସମୟ ଧରି ଶାସନକୁ ମାଡି ବସିଛନ୍ତି ଏବଂ ତାଙ୍କ ପାଖ ଲୋକମାନେ ଏହି ଷଡଯନ୍ତ୍ରକୁ ସଫଳତାର ସହ କାର୍ଯ୍ୟକାରୀ କରି ଆସୁଛନ୍ତି । ୫୨ ପ୍ରତିଶତ ପଛୁଆ ବର୍ଗ ଜନସଂଖ୍ୟା ବିଶିଷ୍ଟ ଓଡିଶାରେ ପଛୁଆ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଶାସକ ବିଜେଡି ସବୁବେଳେ ପଛଘୁଂଚା ଦେଇଆସୁଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ଦୀର୍ଘ ୨୧ ବର୍ଷ ଶାସନ ପରେ ବି ଶାସକ ବିଜେଡି ପାଖରେ ପଛୁଆ ବର୍ଗଙ୍କ ଭଳି ଚାଷୀ ଓ ଗରୀବଙ୍କ ତାଲିକା ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନ୍ୟ ପଟେ କେବଳ ଚକ୍ରାନ୍ତ କରି ଏବଂ ଭୂଆଁ ବୁଲାଇ ପୈାର ଓ ପଂଚାୟତ ନିର୍ବାଚନ ପାରି ହେବା ଶାସକ ବିଜେଡିର ଏକମାତ୍ର ଲକ୍ଷ୍ୟ । ପଛୁଆ ବର୍ଗର ଲୋକଙ୍କ ସାମ୍ବିଧାନିକ ଅଧିକାର ପାଇଁ ଭାରତୀୟ ଜନତା ପାର୍ଟୀ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।ଏହି ଅବସରରେ ବିଧାୟକ କେ.ନାରାୟଣ ରାଓ ଏବଂ ଗଣମାଧ୍ୟମ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ