ଇଡ଼ିଙ୍କ ନିକଟରେ ହାଜର ହେଲେ ଅଭିଷେକ
ନୂଆଦିଲ୍ଲୀ, କୋଇଲା ଚୋରୀ ଅଭିଯୋଗରେ ଟଙ୍କା ହେରଫେର ମାମଲାରେ ପଚରାଉଚୁରା ପାଇଁ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ସୋମବାର ଦିଲ୍ଲୀର ଏନଫୋର୍ସମେଂଟ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ସକାଳ ପ୍ରାୟ ୧୧ଟା ସମୟରେ ଇଡ଼ିର ଜାମନଗର କାର୍ଯ୍ୟାଳୟରେ ପହଂଚିଥିଲେ । ମନି ଲଣ୍ଡରିଂ ଆକ୍ଟ ଅଧିନିୟମ ଅନୁଯାୟୀ ପଂଜୀକୃତ ହୋଇଥିବା ଅପରାଧିକ ମାମଲାର ତଦନ୍ତର ଏକ ଅଂଶ ଭାବରେ ତାଙ୍କୁ ଡକାଯାଇଥିଲା ।
ଏହି ସମୟରେ ସେ କହିଛନ୍ତି ଯେ, ସେ ପ୍ରତ୍ୟେକ ଅନୁସନ୍ଧାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଏବଂ ଏଜେନସି ସହ ସହଯୋଗ କରିବେ । ୩୩ ବର୍ଷୀୟ ଅଭିଷେକ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ସିଟରୁ ସାଂସଦ ଅଛନ୍ତି । ପଶ୍ଚିମବଙ୍ଗର କୁନୁସ୍ତୁରିଆ, ଆସନସୋଲ ଏବଂ ଏହାର ଆଖପାଖର କଜୋରା ଅଂଚଳରେ ଇଷ୍ଟର୍ଣ୍ଣ କୋଲଫିଲ୍ଡ଼ସ ଲିମିଟେଡ଼ର ଖଣି ସହ କୋଟି କୋଟି ଟଙ୍କା ମୂଲ୍ୟର କୋଇଲା ଚୋରୀ ମାମଲାରେ ତାଙ୍କ ନାମ ସାମନାକୁ ଆସିଛି ।
ଏହି ବେଆଇନ ବ୍ୟବସାୟରୁ ମିଳିଥିବା ଅର୍ଥ ଅଭଷେକ ବାନାର୍ଜୀ ହେଉଛନ୍ତି ହିତାଧିକାରୀ ବୋଲି ଇଡ଼ି ଦାବି କରିଛି । ଅନ୍ୟ ପକ୍ଷରେ ବାନାର୍ଜୀ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ରାଜନୈତିକ ଘୃଣା ଯୋଗୁଁ ଏହା ଘଟୁଛି ବୋଲି ସେମାନେ କହିଛନ୍ତି ।


