ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଶାକର୍ମୀଙ୍କ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଭିତରକୁ ଆଶାକର୍ମୀମାନେ ନ ଯିବା ପାଇଁ ବାରଣ କରାଯାଇଥିବାର ଜଣାପଡିଛି । ଏହି ବାରଣକୁ ବିରୋଧ କରି ଆଶାକର୍ମୀମାନେ ଡାକ୍ତରଖାନାର ବାରଣ୍ଡାରେ ବସି ଧାରଣା ଦେଇଥିଲେ । ପରେ ଡିଏମ୍ଓ ଏହି ଧାରଣାରତ ଆଶାକର୍ମୀମାନଙ୍କ ମାମଲାରେ ହସ୍ତକ୍ଷେପ କରି ଏମାନଙ୍କୁ ଭିତରକୁ ଯିବା ପାଇଁ କହିଥିଲେ ମଧ୍ୟ ସର୍ତ୍ତ ଅନୁଯାୟୀ ଲ୍ୟାବ୍ କକ୍ଷକୁ ଯାଇପାରିବେ ନାହିଁ ବୋଲି ଜଣାଇ ଦିଆଯାଇଥିଲା । ଏହି ଆଶାକର୍ମୀମାନଙ୍କୁ ଭିତରକୁ ନ ଯିବା ପାଇଁ ବାରଣ କରାଯାଇଥିବା କାରଣ ସମ୍ପର୍କେ କେହି କିଛି ସ୍ପଷ୍ଟ ଭାବେ କହୁ ନଥିବା ବେଳେ କିଛି ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି ଯେ, ଆଶାକର୍ମୀମାନେ ଆଣୁଥିବା ଗର୍ଭବତୀଙ୍କ ଠାରୁ ନଗଦ ଦେଣନେଣ କାରବାର କରୁଛନ୍ତି । ଏଥି ପାଇଁ ସେମାନଙ୍କୁ ସିଡିଏମ୍ଓ ଭିତରକୁ ଯିବା ପାଇଁ ମନା କରିଛନ୍ତି । ଏଥି ଯୋଗୁଁ ସିଡିଏମ୍ଓ ସିକ୍ୟୁରିଟି ଗାର୍ଡଙ୍କୁ ଆଶାକର୍ମୀ ମାନଙ୍କୁ ଡାକ୍ତରଖାନା ଭିତରକୁ ନ ଛାଡିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ମୁତାବକ ସିକ୍ୟୁରିଟି ଗାର୍ଡମାନେ ଏହି ଆଶାକର୍ମୀମାନଙ୍କୁ ଡାକ୍ତରଖାନା ଭିତରକୁ ଯିବାପାଇଁ ବାରଣ କରିଥିଲେ । ଯଦ୍ୱାରା ଆଶାକର୍ମୀମାନେ ଧାରଣାରେ ବସିଥିଲେ । ଏସମ୍ପର୍କରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପି.କେ. ପାତ୍ରଙ୍କୁ ପଚରାଯିବାରେ କହିଛନ୍ତି ଯେ, ଏମାନେ ଆଣୁଥିବା ଗର୍ଭବତୀ ମହିଳାଙ୍କୁ ଆଣି ମଧ୍ୟସ୍ଥି ସାଜି ଡାକ୍ତରଖାନା ମଧ୍ୟରେ ଟଙ୍କା କାରବାର କରୁଥିବାର ଅଭିଯୋଗ ଆସିଥିଲା । ଏହାକୁ ଭିତ୍ତି କରି ଆଶାକର୍ମୀଙ୍କୁୁ ବାରଣ କରାଯାଇଛି ବୋଲି ପ୍ରକାଶ କରିଥିଲେ ।