ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଜାତୀୟ ରାଜପଥର ଜମି ଅଧିଗ୍ରହଣ ସମୀକ୍ଷା
ଛତ୍ରପୁର, (ଦେବଦତ୍ତ ମହାରଣା):ଜମିଜମା ଅଧିଗ୍ରହଣ ସମସ୍ୟାକୁ ନେଇ ଅଟକି ରହିଥିବା ଜାତୀୟ ରାଜପଥ ବିଭାଗର ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଉଦ୍ୟମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜମି ଅଧିଗ୍ରହଣ ସଂକ୍ରାନ୍ତରେ ସମସ୍ୟାର ସମାଧାନ ଏବଂ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଗଞ୍ଜାମ ଜିଲ୍ଲା ଗିରିସୋଲା ଠାରୁ ନାରାୟଣୀ ମନ୍ଦିର ଛକ ପର୍ଯ୍ୟନ୍ତ ଜମିଜମା ସମସ୍ୟାକୁ ନେଇ ଅଟକି ରହିଥିବା ଜାତୀୟ ରାଜପଥର ବିଭାଗର ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଗିରିସୋଲା ଠାରୁ ନାରାୟଣୀ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ବିଭାଗର ଜମିକୁ ଜବରଦଖଲ ସମ୍ବନ୍ଧରେ ଭୂ-ଅର୍ଜନ ଅଧିକାରୀ, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଏକ ପ୍ରତିନିଧି ଦଳ ଅନୁଧ୍ୟାନ କରିବେ । ୧୯୭୬, ୨୦୦୨ ଏବଂ ୨୦୦୩ ମସିହାରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପ୍ରାଇଭେଟ୍ ଓ ଜାତୀୟ ରାଜପଥ ବିଭାଗର ଜମିକୁ ଅନୁଧ୍ୟାନ କରାଯିବ । ଏହାପରେ ପ୍ଲାନ୍ ପ୍ରସ୍ତୁତ କରାଯାଇ ଯେଉଁମାନେ ଜାତୀୟ ରାଜପଥ ଜମିକୁ ଜବରଦଖଲ କରିଛନ୍ତି ସେମାନଙ୍କୁ ହଟାଇବାର ବ୍ୟବସ୍ଥା କରାଯିବା ଉପରେ ଜିଲ୍ଲାପାଳ କହିଛନ୍ତି । ଡିଆରଡିଏ ଛକ ଏବଂ କଲେଜ ଛକ ଠାରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ପ୍ରସଙ୍ଗକୁ ଜାତୀୟ ରାଜପଥ ବିଭାଗ ପ୍ରାଥମିକତା ଭାବେ ଅଗ୍ରଗିତ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଛନ୍ତି । ଏହି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଜାତୀୟ ରାଜପଥ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ବୈଠକରେ କହିଥିଲେ । ଜାତୀୟ ରାଜପଥ ବିଭାଗ ପକ୍ଷରୁ ସର୍ଭିସ୍ ରାସ୍ତା ନିର୍ମାଣ ପାଇଁ ଡିଆରଡିଏ ଛକ ଜିଲ୍ଲା ପରିଷଦ ଭବନ ନିକଟରେ ଥିବା ଜାତୀୟ ରାଜପଥ ଜମି ଏବଂ ସାଉଥ୍ କୋ ବିଭାଗ ଗୋଦାମ ଗୃହକୁ ମଧ୍ୟ ଉଚ୍ଛେଦ କରିବା ପାଇଁ କୁହାଯାଇଛି । ଛତ୍ରପୁର ଏନ୍ଏସି ପକ୍ଷରୁ ଜାତୀୟ ରାଜପଥ କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡିକୁ ଏବଂ ପାଲିଆ ଛତ୍ରପୁର ଶ୍ମଶାନ ନିକଟରେ ଥିବା ଏକ ମନ୍ଦିରକୁ ମଧ୍ୟ ଉଚ୍ଛେଦ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଜାତୀୟ ରାଜପଥ ବିଭାଗ ଜମି ଉପରେ ଥିବା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପାଚେରୀକୁ ଭଙ୍ଗା ଯିବାକୁ ଜାତୀୟ ରାଜପଥ ବିଭାଗ କହିଥିଲେ । ପରବର୍ତ୍ତୀ ସମୟରେ ଯେଉଁ ଜାଗା ଚିହ୍ନଟ ହୋଇ ମହାବିଦ୍ୟାଳୟର ପାଚେରୀକୁ ପୁନଃ ନିର୍ମାଣ କରିବା ଦିଗରେ ଜାତୀୟ ରାଜପଥ ବିଭାଗ ଖର୍ଚ୍ଚ ବହନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ହୁମ୍ମା ବିଦ୍ୟୁତ୍ ସବଷ୍ଟେସନ୍ ଜାତୀୟ ରାଜପଥ ବିଭାଗ ଜମିରେ ଥିବା ନେଇ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କୁହାଯାଇଥିଲା । ଏଥିପାଇଁ ଜାତୀୟ ରାଜପଥ ବିଭାଗ ଖର୍ଚ୍ଚ ବହନ କରିବା ପାଇଁ କୁହାଯାଇଥିଲା । ଛତ୍ରପୁର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବ୍ୟାଙ୍କ କଲୋନି ଜନସାଧାରଣଙ୍କ ସୁବିଧା ଲାଗି ଗଳାଶଙ୍ଖ କରିବା ପାଇଁ ଜାତୀୟ ରାଜପଥ ବିଭାଗକୁ ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ । ଏହାକୁ ତୁରନ୍ତ ମଞ୍ଜୁରୀ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ କହିଥିଲେ । ପରିବହନ ବିଭାଗର ପକ୍ଷରୁ ଗିରିସୋଲା ଚେକ୍ ଗେଟ୍କୁ ତୁରନ୍ତ ସେଠାରୁ ହଟାଇବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ, ଜାତୀୟ ରାଜପଥ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରାଜ କିଶୋର ଜେନା, ଛତ୍ରପୁର ତହସିଲଦରା ନୀଳମାଧବ ଭୋଇ, କନିଷି ଓ କୁକୁଡାଖଣ୍ଡି ତହସିଲଦାର, ଡିଏଫ୍ଓ ଅମ୍ଲାନ୍ ନାୟକ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସପାଲ କିଶୋର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


