ପଛୁଆବର୍ଗଙ୍କୁ ୨୭ ଭାଗରୁ କମ୍ ସଂରକ୍ଷଣ ଗ୍ରହଣୀୟ ନୁହେଁ-ସମାଜବାଦୀ ପାର୍ଟି
ଭୁବନେଶ୍ୱର, ଗତକାଲି ରାଜ୍ୟ ସରକାର ମ୍ୟୁନିିସିପାଲିଟି ସଂରକ୍ଷଣ ବିଲ୍ ବିଧାନସଭାରେ ଅନୁମୋଦନ କରିଛନ୍ତି । ଆଜି ମଧ୍ୟ ବିଧାନସଭାରେ ପଞ୍ଚାୟତିରାଜ ସଂରକ୍ଷଣ ଆଇନ ଅନୁମୋଦନ ଲାଭ କରିଛି । ଏହି ଆଇନରେ ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ସମୁଦାୟ ସଂରକ୍ଷଣ ମିଶି ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ ବୋଲି ବ୍ୟବସ୍ଥା କରାଯାଇଛି । ଫଳରେ ରାଜ୍ୟରେ ପଛୁଆବର୍ଗ ସଂରକ୍ଷଣ ନିଶ୍ଚିତ ଭାବରେ କମିବାକୁ ଯାଉଛି ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ଅଭିଯୋଗ କରିଛି । ରାଜ୍ୟରେ ଅନୁସୂଚିତ ଜାତିଙ୍କ ସଂଖ୍ୟା ୧୬.୨୫ ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୨୨.୫୦ । ତେଣୁ ସେମାନଙ୍କ ପାଇଁ ସମୁଦାୟ ସଂରକ୍ଷଣ ରହିବ ୩୮.୭୫ । ଏଣୁ ପଛୁଆବର୍ଗଙ୍କ ପାଇଁ ସମୁଦାୟ ସଂରକ୍ଷଣ ରହିବ ମାତ୍ର ୧୧.୨୫ । ଫଳରେ ରାଜ୍ୟ ପଛୁଆବର୍ଗ ଜନସାଧାରଣ ପାଖାପାଖି ୨୨୦୦ ସରପଞ୍ଚ, ୨୨୦୦ ପଞ୍ଚାୟତ ସମିତି ସଦସ୍ୟ ଓ ୨୨୩୦୦ ୱାର୍ଡ଼ ମେମ୍ବର ହରାଇବାକୁ ଯାଉଛନ୍ତି । ସେହିଭଳି ଜିଲ୍ଲା ପରିଷଦରେ ମଧ୍ୟ ରାଜ୍ୟର ପଛୁଆବର୍ଗ ୧୩୫ଟି ପଦବୀ ହରାଇବା ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ୬ଟି ପଦବୀ ହରାଇବାର ଆଶଙ୍କା ଦେଖାଦେଇଛି । ୩୧୪ ବ୍ଲକରୁ ରାଜ୍ୟର ପଛୁଆବର୍ଗ ପାଖାପାଖି ୭୩ଟି ପଦବୀ ହରାଇ ପାରନ୍ତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି । ତେଣୁ ଏଭଳି ପରିପ୍ରେକ୍ଷୀରେ ରାଜ୍ୟର ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ କମିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସମାଜବାଦୀ ପାର୍ଟି ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ପଛୁଆବର୍ଗଙ୍କ ସଂରକ୍ଷଣ ପାଇଁ ତୁରନ୍ତ ନାମ ଲେଖାରେ ସଂରକ୍ଷଣ ଲାଗୁ କରି ନିଜର ପ୍ରତିବଦ୍ଧତାର ପରିଚୟ ଦେବାକୁ ସେ ଦାବି କରିଛନ୍ତି । ତା ନହେଲେ ଚଳିତ ଶିକ୍ଷାବର୍ଷରେ ମଧ୍ୟ ରାଜ୍ୟର ପଛୁଆବର୍ଗର ଛାତ୍ରଛାତ୍ରୀମାନେ ଆପାତତଃ ୫୦୦ ମେଡ଼ିକାଲ ସିଟ୍, ୨୦୦୦ ଇଞ୍ଜିନିୟରିଂ ସିଟ୍ ଓ ୨୦୦୦ ପିଜି ସିଟ୍ରେ ନାମଲେଖାରୁ ବଞ୍ôଚତ ହେବେ । ତେଣୁ ରାଜ୍ୟର ଓବିସି ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ତୁରନ୍ତ ଓଡ଼ିଶା ପଛୁଆବର୍ଗ ସଂରକ୍ଷଣ ଆଇନ ୨୦୦୮କୁ ସମ୍ବିଧାନର ନବମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଜର ଦାବି ଦୃଢ ଭାବରେ ଉପସ୍ଥାପିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।