ସୀମା ବିବାଦ :ପଡୋଶୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମାଧାନ କରନ୍ତୁ ନବୀନ -ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡିଶାର ସୀମା ଅସୁରକ୍ଷିତ ହୋଇ ପଡିଛି । ଓଡିଶାର ଦକ୍ଷିଣାଚଂଳ, ପଶ୍ଚିମାଚଂଳ ଏବଂ ଉତରା ପୂର୍ବାଚଂଳ ସୀମାରେ ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ବିଭିନ୍ନ ସମୟରେ ରାଜ୍ୟ ଭିତରେ ପଶି ଓଡିଶାର ଅଂଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଅପଚେଷ୍ଟା କରିଆସୁଛନ୍ତି । ରାଜ୍ୟ ସରକାର ସୀମା ବିବାଦ ନେଇ କୋର୍ଟ କଚେରୀରରେ ନିଜର ତଥ୍ୟ ନଦେଇପାରିବା ଯୋଗୁଁ ପଡୋଶୀ ରାଜ୍ୟମାନଙ୍କର ଅନୁପ୍ରବେଶ ଅଧିକ ମାତ୍ରାରେ ବଢିଛି ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ବିଗତ ୨ ବର୍ଷ ଧରି ପଡୋଶୀ ରାଜ୍ୟମାନେ ଓଡିଶାର କୋଟିଆ, ଗଜପତି ଜିଲ୍ଲାର ମାଣିକପାଟଣା ଏବଂ ବାଲେଶ୍ୱରର ଉଦୟପୁର ଅଂଚଳରେ ଅନାଧିକାର ପ୍ରବେଶ କରିଛନ୍ତି । ଗତ ୭ ଦିନ ତଳେ ଗଜପତି ଜିଲ୍ଲାର ରାଇଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଗ୍ରାମରେ ଆନ୍ଧ୍ର ସରକାର ଅଙ୍ଗନବାଡି କେନ୍ଦ୍ର ଖୋଲିଥିଲେ । ଜିଲ୍ଲା ପ୍ରଶାସନ ୭ ତାରିଖ ଦିନ ଅଙ୍ଗନବାଡି କେନ୍ଦ୍ରକୁ ସିଲ୍ କଲେ ଏବଂ ଆନ୍ଧ୍ର ସରକାରଙ୍କୁ ସହଯୋଗ କରୁଥିବା ସେହି ଗ୍ରାମର ବ୍ୟକ୍ତି ଗୁରୁନାଥ ଶବରଙ୍କୁ ଗିରଫ କଲେ । ଏହାର ପ୍ରତିବାଦରେ ସେପ୍ଟେମ୍ବର ୯ ତାରିଖରେ ମାଣିକ ପାଟଣାରେ ଆନ୍ଧ୍ର ମନ୍ତ୍ରୀ ଏସ.ଅପଲା ରାଜୁ ସାଙ୍ଗରେ ତହସିଲଦାର, ସବ କଲେକ୍ଟର, ଡିଏସପି ଏବଂ ୪ ପ୍ଲାଟୁନ ପୁଲିସ ନେଇ ମାଣିକ ପାଟଣାରେ ପହଂଚି ଦାଦାଗିରି ଆରମ୍ଭ କରିଥିଲେ । ଆନ୍ଧ୍ର ମନ୍ତ୍ରୀ ଓଡିଶା ଅଫିସରଙ୍କୁ ନାଲି ଆଖି ଦେଖାଇବା ସହ ଗିରଫ କରିବାର ଭୟ ଦେଖାଇଥିଲେ । ଏ ସମସ୍ତ ଘଟଣା ପରେ ବି ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ଏତଲା ରୁଜୁ ନକରିବା ନିନ୍ଦନୀୟ ଘଟଣା ।
ଗତ ଫେବୃଆରୀର ମାସରେ ପଡୋଶୀ ଆନ୍ଧ୍ର ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଂଜାମରେ ପଂଚାୟତ ନିର୍ବାଚନ କରିବା ପାଇଁ ଅପଚେଷ୍ଟା କରିଥିଲା । ଫେବୃଆରୀ ମାସରେ ରାଜ୍ୟ ସଭାପତି ଶ୍ର ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ସୀମାବିବାଦ ଅଂଚଳ ବୁଲି ସରଜମିନ ତଦନ୍ତ କରିଫେରିଥିଲା । ଗତ ୧୯ ଜାନୁଆରୀ ରେ ଓଡିଶାରେ ସୀମା ବିବାଦ ଗୃହ କମିଟି ବସିଥିଲା । ଏହା ଭିତରେ କମିଟିକୁ ୮ ମାସ ବିତିଥିଲେ ବି ଗୋଟିଏ ଦିନ ପାଇଁ ହାଉସ କମିଟି ସୀମା ବିବାଦ ଅଂଚଳକୁ ବୁଲି ଦେଖିଲେ ନାହିଁ । ସୀମା ବିବାଦକୁ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କଲେ ନାହିଁ । ଓଡିଶା-ଆନ୍ଧ୍ର ସୀମା ନିର୍ଦ୍ଧାରଣ ସମୟରେ ଓଡିଶା ଭିତରେ ମାଣିକପାଟଣା ଗ୍ରାମ ଅବସ୍ଥିତ ଅଛି । ଏହି ଗ୍ରାମ ଉପରେ ଆନ୍ଧ୍ର ସକରାକରଙ୍କ କୌଣସି ଅଧିକାର ନାହିଁ । କିନ୍ତୁ ଆନ୍ଧ୍ର ସରକାର ସୀମାନ୍ତବର୍ତୀ ଲୋକଙ୍କୁ ପ୍ରଲୋଭିତ କରାଇ ବିଭିନ୍ନ ଯୋଜନାରେ ସାମିଲ କରି ଓଡିଶାର ଗାଁକୁ ଆନ୍ଧ୍ରରେ ସାମିଲ କରିବା ନେଇ ଷଡଯନ୍ତ୍ର ରଚିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ସୀମା ବିବାଦକୁ ନେଇ ରାଜ୍ୟ ବିଜେପି ବାରମ୍ବାର ସରକାରଙ୍କୁ ସର୍ତକ କରାଇ ଆସୁଛି । କିନ୍ତୁ ରାଜ୍ୟ ସରକାର ସୀମା ସୁରକ୍ଷାକୁ ନେଇ ଚିନ୍ତିତ ନୁହଁନ୍ତି । ସମୁଦ୍ର ଜୁଆରରୁ ରକ୍ଷା ପାଇବା ପାଇଁ ପଶ୍ଚିମବଙ୍ଗ ସରକାର ବାଲେଶ୍ୱର ଉଦୟପୁର ଠାରେ ୩୦ ଫୁଟ ଲମ୍ବର ବନ୍ଧ ନିର୍ମାଣ କରିବା ପରେ ଗତ ୩ ଦିନ ହେବ କାମ ବନ୍ଦ ରଖିଛନ୍ତି । ଦକ୍ଷିଣ ଓଡିଶାର ସମସ୍ତ ସୀମାନ୍ତ ଗାଁ ଗୁଡିକରେ ଆଦିବାସୀ ଲୋକ ବସବାସ କରନ୍ତି । ତାଙ୍କ ସମସ୍ୟା ବୁଝିବା ପାଇଁ ଓଡିଶାର ସରକାରୀ ଅଫିସର ମାନେ ଆନ୍ଧ୍ର ଭିତର ଦେଇ ୪୦ କିମି ରାସ୍ତା ପାର୍ ହୋଇ ଆସୁଛନ୍ତି । ସେଠାରେ ଜଣେ ମହିଳା ତଦସିଲଦାର ଆନ୍ଧ୍ର ପୁଲିସ ଏବଂ ସରକାର ସହ ଲଢେଇ କରୁଛନ୍ତି । ଓଡିଶାର ସୀମା ମାଲକାନଗିରିରୁ ମୟୁରଭଂଜ, ନୂଆପଡାରୁ ସୁନ୍ଦରଗଡ ପର୍ଯ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଅଛି ।ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ରାଜ୍ୟ ସରକାର ଓଡିଶା ସୀମାର ସଂପୂର୍ଣ୍ଣ ସର୍ଭେ କରନ୍ତୁ । ଓଡିଶାର ପ୍ରତ୍ୟେକ ସୀମାନ୍ତ ଗାଁକୁ ଅଫିସରମାନେ ପହଁଚି ସୀମାନ୍ତ ଲୋକଙ୍କ ତଥ୍ୟ ସଂଗ୍ରହ କରନ୍ତୁ । ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶାର ମୁଖ୍ୟମନ୍ତ୍ରୀ କଥା ହୋଇ ସୀମା ବିବାଦର ସମାଧାନ କରନ୍ତୁ । ଆଗାମୀ ଦିନରେ ବିଜେପିର ସୀମା ସୁରକ୍ଷା କମିଟି ସୀମା ବିବାଦ ନେଇ ବିଚାର ବିମର୍ଷ କରିବା ସହ ସଂସଦ ଓ ବିଧାନସଭାରେ ଏଭଳି ଏକ ସ୍ପର୍ଶକାତର ବିଷୟକୁ ଉଠାଇବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ସଭାପତି କେ.ନାରାୟଣ ରାଓ, ମୁଖପାତ୍ର ଠାକୁର ରଂଜିତ ଦାସ, ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ, ଚିକିଟି ବିଜେପି ନେତା ମନୋରଂଜନ ଧ୍ୟାନସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ