ଭୟାବହ ବେଲୁନ୍ ଦୁର୍ଘଟଣା
ରଙ୍ଗବେରଙ୍ଗର ବେଲୁନ୍ ଦେଖିଲେ ସମସ୍ତଙ୍କ ମନ ଖୁସି ହାଇଯାଏ । ମାତ୍ର ୧୯୮୬ ମସିହାରେ ଉତ୍ତର ଆମେରିକାର କ୍ଲିବଲାଣ୍ଡର ଓହିରେ ହୋଇଥିବା ବେଲୁନ୍ ଫେଷ୍ଟିଭାଲ କଥା ମନେ ପଡ଼ିଲେ ଭୟରେ ଦେହ ଥରିଉଠେ । ଏହି ମହୋତ୍ସବ ଖୁସି ବଦଳରେ ଆଣି ଦେଇଥିଲା ଅନେକ ଦୁଃଖ । ଏଥିରେ ଅନେକ ମରିହଜି ମଧ୍ୟ ଯାଇଥିଲେ । ଚାରିଟେବୁଲ ଅର୍ଗାନାଇଜେସନ ପକ୍ଷରୁ ଏହି ବେଲୁନ୍ ମହୋତ୍ସବର ଆୟୋଜନ କରାଯାଇଥିଲା । ବିଶ୍ୱ ରେକର୍ଡ କରିବାକୁ ଏକା ସାଙ୍ଗରେ ହଜାର ହଜାର ବେଲୁନ୍ ଆକାଶକୁ ଛାଡ଼ି ଦେଇଥିଲେ । ଏକାଥରକେ ୨ ମିଲିୟନ ଅର୍ଥାତ ୨୦ ଲକ୍ଷ ବେଲୁନ ହିଲିଅମ ଗ୍ୟାସରେ ଭର୍ତ୍ତି କରାଯାଇ ଆକାଶରେ ଛାଡ଼ିବା ପାଇଁ ଲକ୍ଷ୍ୟ ରଖିଥିଲେ । ଏହି କ୍ରମରେ ପ୍ରାୟ ୨୫୦୦ ଲୋକ ରାତିସାରା ବେଲୁନ ଫୁଙ୍କିବା କାର୍ଯ୍ୟରେ ଲାଗିଥିଲେ । ମେଳା ଆରମ୍ଭ ପୂର୍ବରୁ ସବୁକିଛି ଠିକ୍ଠାକ୍ ଥିଲା । ସମଗ୍ର କ୍ଲିବଲାଣ୍ଡବାସୀ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ପ୍ରସ୍ତୁତ ଥିଲେ । ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ବଦଳି ଯାଇଥିଲା । ପାଗ ଖରାପ ଥିବାରୁ ୧୫ ଲକ୍ଷ ବେଲୁନ୍ ଉଡ଼ାଇବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଅଚାନକ ବର୍ଷା ହେବାରୁ ସହରବାସୀଙ୍କ ସବୁ ସ୍ୱପ୍ନ ଧୂଳିସାତ୍ ହୋଇଗଲା ।
ଲୋକେ ଭାବିଥିଲେ ବେଲୁନ୍ ଆକାଶକୁ ଉଡ଼ିଯିବ । ମାତ୍ର ବର୍ଷା ଯୋଗୁ ସବୁ ବେଲୁନ୍ ତଳକୁ ଚାଲିଆସିଲା । ଦେଖୁଦେଖୁ ସମଗ୍ର କ୍ଲିବଲାଣ୍ଡ ବେଲୁନ୍ରେ ଭରିଗଲା । ଏହା ଫାଟିଯାଇ ସାରା ସହର ହିଲିୟମ ଗ୍ୟାସରେ ଭର୍ତ୍ତି ହୋଇଗଲା । ପରିସ୍ଥିତିର ଗମ୍ଭୀରତା ଦେଖି ଏୟାରପାର୍ଟକୁ ୩୦ ମିନିଟ୍ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା । ଉତ୍ତର ଆମେରିକାର ଇରି ହ୍ରଦ ପୂରା ବେଲୁନରେ ଆଚ୍ଛାଦିତ ହୋଇଗଲା । ଏହି ସମୟରେ ହ୍ରଦକୁ ମାଛ ମାରିବାକୁ ଯାଇଥିବା ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ । ଏମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଉଦ୍ଧାରକାରୀ ଦଳ ବେଲୁନ ଯୋଗୁ କିଛି ସମସ୍ୟା ସାମ୍ନା କରିଥିଲେ । ଅନେକ ସମୟ ଖୋଜିବା ପରେ ମତ୍ସ୍ୟଜୀବୀ ଦ୍ୱୟଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହା ପରେ ମତ୍ସ୍ୟଜୀବୀଙ୍କ ପତ୍ନୀ ବେଲୁନ ଉତ୍ସବ ଆୟୋଜନ କରିଥିବା ସଂଚାଳକଙ୍କ ନାମରେ ମାମଲା ରୁଜୁ କରିଥିଲେ । ଏଥିରେ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିଲା ।