ପିଏମଶ୍ରୀ ଜଗନ୍ନାଥ ନୋଡାଲ ବିଦ୍ୟାଳୟରେ ଏକାଠି ହେଲେ ପୁରାତନ-ନୂତନ ବିଦ୍ୟାର୍ଥୀ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ସବୁଠି ପବିତ୍ର ଗଣେଶ ପୂଜାର ଉତ୍ସବ ମୁଖର ପରିବେଶ ଲାଗିରହିଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ପିଏମଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନ୍ତିଲୋ ରେ ଭକ୍ତି ଓ ଉଲ୍ଲାସର ସହ ଶ୍ରୀଗଣେଶ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ପୂଜା ସବୁଠୁ ନିଆରା ଥିଲା। କାରଣ ଏଥର ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନାରାୟଣ ପରିଡା ନିଜେ କର୍ତ୍ତା ହୋଇ ପୂଜା ସମ୍ପାଦନ କରିଥିଲେ। ତାଙ୍କ ନେତୃତ୍ୱରେ ସମଗ୍ର ବିଦ୍ୟାଳୟ ପରିବାର ଏକ ମନ, ଏକ ପ୍ରାଣ ହୋଇ ବାପ୍ପାଙ୍କ ଆରାଧନା କରିଥିଲେ। ସକାଳୁ ମନ୍ତ୍ର ଉଚ୍ଚାରଣ, ଢୋଲ, ମୃଦଙ୍ଗର ତାଳେ ତାଳେ ଗଜାନନଙ୍କୁ ବିଦ୍ୟାଳୟ ପରିସରକୁ ଆବାହନ କରାଯାଇଥିଲା। ବିଦ୍ୟାର ଅଧିପତି ଶ୍ରୀଗଣେଶଙ୍କ ପୂଜା ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ପୂଜାର ସବୁଠୁ ବଡ ଆକର୍ଷଣ ଥିଲା ପୁରାତନ ଓ ନୂତନର ମିଳନ। ବିଦ୍ୟାଳୟରୁ ଅବସର ନେଇଥିବା ସମସ୍ତ ପୂର୍ବତନ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ପୂଜାକୁ ଆହୁରି ଗୌରବମୟ କରିଥିଲେ। ବର୍ତ୍ତମାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ପୂର୍ବତନ ଗୁରୁଜୀମାନଙ୍କୁ ପାଛୋଟି ନେଇଥିଲେ। ଏହି ଦୃଶ୍ୟ ସମସ୍ତଙ୍କ ଆଖିରେ ଆନନ୍ଦଅଶ୍ରୁ ଆଣି ଦେଇଥିଲା। ପ୍ରଧାନଶିକ୍ଷକ ନାରାୟଣ ପରିଡା କହିଛନ୍ତି, ଶିକ୍ଷା ସହ ସଂସ୍କାର ଓ ପରମ୍ପରାକୁ ଯୋଡିବା ଆମ ଲକ୍ଷ୍ୟ। ପିଏମଶ୍ରୀ ବିଦ୍ୟାଳୟ କେବଳ ପାଠ ପଢା କେନ୍ଦ୍ର ନୁହେଁ, ଏହା ଏକ ପରିବାର। ପୁରାତନ ଛାତ୍ର ଓ ଶିକ୍ଷକଙ୍କୁ ଡାକି ଆମେ ପରିବାରର ବନ୍ଧନକୁ ମଜବୁତ କରିଛୁ। ବିଘ୍ନହର୍ତ୍ତା ଗଣେଶ ଆମ ବିଦ୍ୟାଳୟର ସମସ୍ତ ବିଘ୍ନ ଦୂର କରନ୍ତୁ। ପୂଜା ଶେଷରେ ସମସ୍ତଙ୍କୁ ପ୍ରସାଦ ସେବନ କରାଯାଇଥିଲା। ଶେଷରେ ବିଦ୍ୟାର୍ଥୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ଏହି ଭବ୍ୟ ଆୟୋଜନ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ ପରିବାରକୁ ପ୍ରଶଂସା କରାଯାଉଛି।


