ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ସ୍କାଉଟସ୍ ଏବଂ ଗାଇଡସ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସେପ୍ଟେମ୍ବର ୨୧ ତାରିଖ ଆନ୍ତର୍ଜାତୀୟ ଶାନ୍ତି ଦିବସ ଉପଲକ୍ଷେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ୍ ସଂଗଠନ ପକ୍ଷରୁ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପୁରୁଷୋତମ ବସ୍ତିରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ୟୁନିଟ୍-୪, ଭୁବନେଶ୍ୱରସ୍ଥିତ କର କ୍ଲିନିକର ମୁଖ୍ୟ ମେଡିକାଲ ଅଧ୍ୟକ୍ଷ ଡଃ. ସିଦ୍ଧାନ୍ତ କୁମାର କରଙ୍କ ନିର୍ଦ୍ଦେଶରେ ଡଃ. ସୁନିଲ୍ କୁମାର ସାହୁ ଉପସ୍ଥିତ ରହି ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପ୍ରତ୍ୟେକଙ୍କର ରକ୍ତଚାପ ପରୀକ୍ଷା ସହିତ ବ୍ୟକ୍ତିଗତ ରୋଗ ନିମନ୍ତେ ଔଷଧ ଦିଆଯାଇଥିଲା । ଏତଦ୍ବ୍ୟତୀତ ସେମାନଙ୍କୁ ନିଜର ତଥା ଅନ୍ୟମାନଙ୍କର ପ୍ରାଥମିକ ଚିକିତ୍ସା କରିବା ପାଇଁ ପ୍ରାଥମିକ ଚିକିତ୍ସା ପୁସ୍ତକ ରାଜ୍ୟ କାର୍ଯ୍ୟାଳୟ ତରଫରୁ ଦିଆଯାଇଥିଲା । ଏହି ଅବସରରେ ରୋଭର ଓ ରେଞ୍ଜରମାନେ ଘର ଘର ବୁଲି ଲୋକମାନଙ୍କୁ ଡେଙ୍ଗୁ ଓ କରୋନା ସମ୍ବନ୍ଧୀୟ ପ୍ରଚାରପତ୍ର ବାଣ୍ଟିବା ସହିତ ମାସ୍କ ଓ ସାନିଟାଇଜର ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଏହି ଏକଦିବସୀୟ ଶିବିରରେ ମୁଖ୍ୟାଳୟର ଶ୍ରୀ ସୁରଜିତ୍ ସେନ୍, ଶ୍ରୀ ଚନ୍ଦନ ଦାଶ, ଶ୍ରୀ ସନ୍ତୋଷ ଦେଓ, ଶ୍ରୀ ଅନିଲ୍ କୁମାର ମହାନ୍ତି, ଶ୍ରୀ ଅବିନାଶ ଗଡନାୟକ, ସୁଶ୍ରୀ ଅୟସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ ।