ଆନ୍ଧ୍ରର ଅକ୍ତିଆର ପାଇଁ ଅପଚେଷ୍ଟା ଗଙ୍ଗାବାଡରେ ଗଜପତି ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଉନ୍ନୟନ ମୂଳକ କାର୍ଯ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାବର୍ତ୍ତୀ ବିବାଦୀୟ ଏବଂ ଆନ୍ଧ୍ର ଦବଙ୍ଗଗିରି ଦ୍ୱାରା ଅକ୍ତିଆର ପାଇଁ ଅପଚେଷ୍ଟା ଚଳାଇଥିବା ଆନ୍ଧ୍ରକୁ ଉଚିତ ଜବାବ ଦେବା ପାଇଁ ଓଡିଶାର ଗଙ୍ଗାବାଡ ପଞ୍ଚାୟତରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସ୍ୱତନ୍ତ୍ର ଭାବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ସୁଚନା ମିଳିଛି । ଏହି ଗଙ୍ଗାବାଡ ପଞ୍ଚାୟତ ଓଡିଶାରେ ଥିଲେ ମଧ୍ୟ ଏଠାରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡି ଆନ୍ଧ୍ର ଦଲାଲ, ଟାଉଟ.ସରକାରୀ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭକରି ଆନ୍ଧ୍ର ମନ୍ତ୍ରୀଙ୍କ ଅବାଧ ପ୍ରବେଶ ଏବଂ ଦବଙ୍ଗଗିରି ନେଇ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା । ଭୋଟ ଠାରୁ ଆରମ୍ଭ କରି ବେପାର ବେଉସା, ଜମି ମାଡିବସିବା ଆଦି ଆନ୍ଧ୍ର ଜାରି ରଖିଥିଲା । ଓଡିଶା ସରକାରଙ୍କ ନୀରବତାର ଫାଇଦା ଉଠାଇ ଆସୁଥିଲା ଆନ୍ଧ୍ର । ଏହାର ଦୃଢ ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଗଙ୍ଗାବାଡ ପଞ୍ଚାୟତ ଉପରେ ଫକୋସ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି । ବର୍ତ୍ତମାନ ଏହି ଗଙ୍ଗାବାଡ ପଞ୍ଚାୟତକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଙ୍ଗାବାଡରେ ୧କୋଟି ୭୧ ଲକ୍ଷ ଟଙ୍କାରେ ଏକ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଚାଲୁ ରହିଥିବା ବେଳେ ୧୭ଲକ୍ଷ ଟଙ୍କା ଅଟକଳରେ ଗଙ୍ଗାବାଡ ଏବଂ ମାଣିକପାଟଣା ଗ୍ରାମରେ ପ୍ରତ୍ୟେକ ଗୃହକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗଙ୍ଗାବାଡ, ମାଣିକପାଟଣା ଓ ଚମ୍ପାପୁର ଗ୍ରାମରେ ୮ଲକ୍ଷ ଟଙ୍କା ବ୍ୟୟରେ ୫ ଗୋଟି ଜାଗାରେ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଛି । କଇଁପୁର ପଞ୍ଚାୟତରୁ ଗଙ୍ଗାବାଡ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୯କୋଟି ୬୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ୫.୪କୋଟି ଟଙ୍କା ଅଟକଳରେ ଚମ୍ପାପୁର ଠାରୁ ଗଙ୍ଗାବାଡ ପର୍ଯ୍ୟନ୍ତ ୨.୫ କିମି ଗ୍ରାମ୍ୟ ସଡକର ନିର୍ମାଣ କାର୍ଯ୍ୟ ଚାଲୁଅଛି । ଗଙ୍ଗାବାଡ ଓ ଚମ୍ପାପୁର ଗ୍ରାମରେ ୧୦୦ ପରିବାରକୁ ଜୀବିକା ଅର୍ଜନ ନିମନ୍ତେ ଓଏଲ୍‌ଏମ୍ ତରଫରୁ କୁକୁଡା ଶାବକ ବଣ୍ଟନ କରାଯାଇଛି । ଚମ୍ପାପୁର ଠାରେ ଚିହ୍ନିତ ହୋଇଥିବା ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟବସାୟ ନିମନ୍ତେ ରଙ୍ଗୀନ ମାଛ ଉତ୍ପାଦନ ପାଇଁ ଆବଶ୍ୟକ ତାଲିମ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମାଣିକପାଟଣା ଗ୍ରାମରେ ଛେଳି ଚାଷ କରୁଥିବା ୩୦ ଗୋଟି ପରିବାକୁ ଚିହ୍ନଟ କରି ୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ଏବଂ ଓଏଲ୍‌ଏମ୍ ସହଯୋଗରେ ଛେଳିଙ୍କ ପାଇଁ ଟିକାକରଣ ଓ ଖାଦ୍ୟ ଯୋଗାଣର ବନ୍ଦୋବସ୍ତ କରାଯାଇଛି । ପାଚେଡି ଗ୍ରାମରେ ଜହ୍ନା ଉତ୍ପାଦନ କରୁଥିବା ୪୦ରୁ ଉର୍ଦ୍ଧ ପରିବାରକୁ ଜୀବିକା ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ମାଣିକପାଟଣା ଗ୍ରାମରେ କାଜୁ ଉତ୍ପାଦନ ପରିବାରକୁ ଓ ଗଙ୍ଗାବଡ ଗ୍ରାମରେ ତେନ୍ତୁଳି ଉତ୍ପାଦନ କରୁଥିବା ପରିବାରକୁ ଚିହ୍ନଟ କରି ଜୀବିକା ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ତରଫରୁ ଖମ୍ବଗାଁ, ଚମ୍ପାପୁର ଏବଂ ମାଣିକପାଟଣା ଗ୍ରାମର ଶେହେ ଗୋଟି ପରିବାରକୁ ଚିହ୍ନଟ କରି ମିଶନ ଜୀବୀକା କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ