ମହେନ୍ଦ୍ରଗିରିରେ ସ୍କୁଟି ଦୁର୍ଘଟଣା: ଜଣେ ମୃତ, ଜଣେ ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ପବିତ୍ର ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ଖୋର୍ଦ୍ଧା ଜଟଣୀରୁ ଗତକାଲି ବିଳମ୍ବିତ ରାତ୍ର 11ଘଣ୍ଟା ସମୟରେ ଦେବଗଡ ଜିଲ୍ଲା ଅନ୍ତର୍ଗତ ଭୂୟାଁସାହି ଗ୍ରାମର ସତ୍ୟବ୍ରତ ନାୟକ (19) ଙ୍କ ସମେତ ଖୋର୍ଦ୍ଧା ଜଟଣୀର ସାଶ୍ବତ କୁମାର ସାହୁ (19) ଏକ ସୁଜୁକି ଏସେସ୍ 125 ଓଡି 15 କ୍ୟୁ 8177 ନମ୍ବର ବିଶିଷ୍ଟ ସ୍କୁଟିରେ ମହେନ୍ଦ୍ରଗିରି ଅଭିମୁଖେ ବାହାରିଥିଲେ । ଆଜି ସକାଳୁ ସକାଳୁ ମହେନ୍ଦ୍ରଗିରି ଅଞ୍ଚଳରେ ପହଞ୍ଚି ପାର୍ବ୍ୟତ୍ୟ ଅଞ୍ଚଳ ବୁଲି ଦେଖିଥିଲେ । ମଧ୍ୟାହ୍ନ ସମୟରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିବା ସମୟରେ ମହେନ୍ଦ୍ରଗିରି ଘାଟିର ବୁରୁଖତ ଗେଟ୍ ନିକଟ ଅଞ୍ଚଳରେ କୌଣସି କାରଣରୁ ସ୍କୁଟିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପ୍ରତ୍ୟେକ୍ଷ ଦର୍ଶୀମାନେ କହିବା ମୁତାବକ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘାଟିର ସିଧାସଳଖ ଥିବା ଏକ ରାସ୍ତାର ବାମପଟ ପଥରରେ ସ୍କୁଟିଟି ପିଟି ହୋଇଯାଇଥିବା ବେଳେ ଚାଳକ ଓ ଆରୋହୀ ଦୁଇ ଛିଟିକି ଘାଟି ତଳ ଅଞ୍ଚଳରେ ପଡିଯାଇଥିଲେ । ତେବେ ସାଶ୍ବତ ବର୍ତ୍ତିଯାଇଥିଲେ ମଧ୍ୟ ସତ୍ୟବ୍ରତ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଖବର ପାଇ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ଏବଂ ଏଏସ୍ଆଇ କେ.ରବିକୁମାରଙ୍କ ସହ ସଦଳେବଳେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି । ଆହତ ସାଶ୍ବତ କଇଁପୁର ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ପରିବାର ବର୍ଗ ପହଞ୍ଚି ତାଙ୍କୁ ଭୁବନେଶ୍ବର ସ୍ଥିତ ଘରୋଇ ଚିକିତ୍ସାଳୟରେ ଅଧିକା ଚିକିତ୍ସା କରାଇବା ପାଇଁ ନେଉଥିବାର ଜଣାପଡିଛି । ଆସନ୍ତାକାଲି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ସତ୍ୟବ୍ରତଙ୍କ ଶବ ବ୍ୟବଚ୍ଛେଦ କରାଯିବ ଏବଂ ଏନେଇ ଗାରାବନ୍ଧ ଥାନାରେ 77/26 ନମ୍ବରରେ ଏକ ସଡକ ଦୁର୍ଘଟଣା ସମ୍ପର୍କିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ନିସିକା ସୂଚନା ଦେଇଛନ୍ତି । ତେବେ ମୃତ ସତ୍ୟବ୍ରତ ନାୟକ ଏବଂ ଆହତ ସାଶ୍ବତ କୁମାର ସାହୁ ଉଭୟେ ବୀରସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ବିଟେକ୍ ଛାତ୍ର ବୋଲି ଜଣାପଡିଛି ।


