ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ ଓ ଗିରିଫ କରାଯିବାକୁ ଦାବୀ
ବ୍ରହ୍ମପୁର, (ଅନିଲ କୁମାର): ଉତ୍ତର ପ୍ରଦେଶ ଲଖିମପୁର ଖିରି ଠାରେ ଶାନ୍ତିପୂର୍ଣ କୃଷକ ଆନ୍ଦୋଳନକୁ ବଳପୂର୍ବକ ଦମନ କରିବାପାଇଁ କୃଷକଙ୍କ ଉପରେ ଗାଡି ଚଢାଇ ଚାରି ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯିବାକୁ ଜନ ଅଧିକାର ଆନ୍ଦୋଳନ ଦୃଢ଼ ନିନ୍ଦା କରିଛି l ଏମକେସିଜି ମେଡିକାଲ ପଡିଆ ଠାରେ ଆଜି ଜନ ଅଧିକାର ଆନ୍ଦୋଳନ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ଵାନ କ୍ରମେ ସମଗ୍ର ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ବଦନାମ କରିବାପାଇଁ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅଧିକାଂଶ ମନ୍ତ୍ରୀ ଭିନ୍ନ ଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇଚାଲିଛନ୍ତି l ଲକ୍ଷିମପୁର ଖିରି ଅଂଚଳରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଖୋଲାଖୋଲିଭାବେ ଚାଷୀ ଆନ୍ଦୋଳନକୁ ଧମକ ଦେବାସହ ତାଙ୍କ ପୁଅ ଆଶିଷ ମିଶ୍ର କିଛି ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଚାଷୀ ମାନଙ୍କ ଉପରେ ଗାଡି ଚଢାଇ ଚାରି ଜଣ ଚାଷୀଙ୍କୁ ହତ୍ୟା କରିଛି l ବର୍ତମାନ ଜନ ଆନ୍ଦୋଳନ ଫଳରେ ଆଶିଷକୁ ଉତ୍ତର ପ୍ରଦେଶ ପୋଲିସ ଗିରିଫ କରିଛି l କିନ୍ତୁ ଏହି ସମସ୍ତ ଘଟଣାର ଅସଲ ଷଡଯନ୍ତ୍ରକାରୀ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ l ଜନଗଣଙ୍କ ସୁରକ୍ଷା ଓ ସମ୍ବିଧାନ କୁ ଶପଥ କରି ମନ୍ତ୍ରୀପଦରେ କ୍ଷମତାସୀନ ଅଜୟ ମିଶ୍ର ଖୋଲାଖୋଲି ଲୋକଙ୍କୁ ଧମକ ଦେବା ଓ ଏହି ଗଣହତ୍ୟାର ଷଡଯନ୍ତ୍ରକାରୀ ଭାବେ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବରଖାସ୍ତ କରିବା ଓ ନରହତ୍ୟା ଅପରାଧରେ ଗିରିଫ କରିବା କୁ ଆଜି ଜନ ଅଧିକାର ଆନ୍ଦୋଳନ ବୈଠକରେ ଦାବୀ ହୋଇଛି l ଆଜିର ବୈଠକରେ ଅବନୀ ଗୟା, ନିରାକାର ନାୟକ, ବିଜୟ ସ୍ୱାଇଁ, ମନୋଜ ତରାଇ, ଶିବରାମ ସାହୁ, ମଧୁସୂଦନ, ନବକୃଷ୍ଣ ସ୍ୱାଇଁ ପ୍ରମୁଖ ଏକ ପ୍ରେସ ବିବୃତ୍ତିରେ ଦାବିକରିଛନ୍ତି l