ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ କ୍ୟାଣ୍ଡେଲ ଶୋଭାଯାତ୍ରା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରୀ ଠାରେ ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନ ଉପରେ କେନ୍ଦ୍ର ଗୃହ ରାଷ୍ଠ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଗାଡି ଚଢାଇ ୫ଜଣ କୃଷକଙ୍କୁ ହତ୍ୟା କରିବା ଏବଂ ପରେ ଦଳାଚକଟାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁର ପ୍ରତିବାଦରେ ମଙ୍ଗଳବାର ସାରା ଦେଶ ବ୍ୟାପି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ କ୍ୟାଣ୍ଡେଲ ଶୋଭାଯାତ୍ରା ପରିପ୍ରେକ୍ଷୀରେ କେନ୍ଦ୍ରାପଡା ସହରର ସ୍ଥାନୀୟ ସାନ୍ତସାହି ପୋଲ ନିକଟରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ସନ୍ଧ୍ୟାରେ ବାହାରି ସହର ମଧ୍ୟ ଦେଇ ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିଥିଲା । ଏହାପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, ସିପିଆଇର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ସିପିଆଇ(ଏମ)ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, ଏସୟୁସିଆଇ ଜିଲ୍ଲା ସମ୍ପାଦିକା ଏଲୀନା ସାମନ୍ତରାୟ, ସିପିଆଇ(ଏମଏଲ) ନେତା ପ୍ରକାଶ ଚନ୍ଦ୍ର ମଲ୍ଲିକ, ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଜୟ ସାମଲ, ଏଆଇଟିୟୁସି ସଭାପତି ବାବାଜୀ ଧଳ, ଓଡିଶା କୃଷକ ସଭାର ଜିଲ୍ଲା ନେତା ମାଧବ ଦାସ, କିଷାନ କଂଗ୍ରେସର ଜିଲ୍ଲା ସଭାପତି ନାରାୟଣ ପରିଡା, କମଳାକାନ୍ତ ବେହେରା, ଏଆଇକେଏସ ଜିଲ୍ଲା ଆବାହକ ପଦ୍ମନାଭ ଦାସ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ସୈାମେନ୍ଦ୍ର ପୃଷ୍ଟି, ଫକିର ଚରଣ ଖଟୁଆ, ସମ୍ବିତ ଶ୍ରୀଚନ୍ଦନ, ରତିକାନ୍ତ ସାମଲ, ଆଶିଷ ମେକାପ, ମୀର ମୁର୍ଶିଦ୍ଦ, ଯଶ୍ମିନ ପରୱିନ, ପିତାମ୍ବର ଜେନା, ଗୋପାଳକୃଷ୍ଣ ଜେନା, ବିବେକବିକାଶ ମହାନ୍ତି, ବିକାଶ ଚନ୍ଦ୍ର ବେଉରା,ଏସୟୁସିଆଇର ହୀରାମଣୀ ରାଉତ ପ୍ରମୁଖ ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହିତ ଜରିଆ ଠାରେ ବିଜୟ ଦାସଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିବା ବେଳେ ବାରୋ ଠାରେ ଭାଗିରଥୀ ଜେନା, ମାର୍ଶାଘାଇରେ ବିକାଶ ଦାସ, ରାଜକନିକାରେ କାଳି ପ୍ରସାଦ ନାୟକ, ମହାକାଳପଡାରେ ନରୋତ୍ତମ ପାର୍ଥସାରଥୀଙ୍କ ନେତୃତ୍ୱରେ ଓ ଆଳି ଠାରେ ଧନେଶ୍ୱର ରାଉତଙ୍କ ନେତୃତ୍ୱରେ ଚାଷୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ସହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।