କଟକ ବଡ଼ଡାକ୍ତରଖାନା ଲାଗି ୧୦୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନିଆଯାଇଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡ଼ମେଡ଼ିକାଲ ଲାଗି ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବ ଏବଂ ଦେଶର ଶ୍ରେଷ୍ଠ ୩ଟି ମେଡିକାଲ ମଧ୍ୟରେ ଏହାକୁ ରଖିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି । ବର୍ତ୍ତମାନ ଦେଶର ଶ୍ରେଷ୍ଠ ୧୪ଟି ହସ୍ପିଟାଲ ମଧ୍ୟରେ ରହିଛି କଟକ ବଡ଼ ମେଡିକାଲ । ଏହାକୁ ଏମ୍ସ ପ୍ଲସ୍ ହସ୍ପିଟାଲ ଭାବେ ଗଢ଼ିବାକୁ ନିଷ୍ପତ୍ତି ହୋଇଛି ଏବଂ ଭଲ ଚିକିତ୍ସା ଲାଗି ଦେଶର ଅନ୍ୟ ବଡ଼ବଡ଼ ମେଡିକାଲରୁ କଟକକୁ ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୫-ଟି ସଚିବ, ସ୍ୱାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ ଓ କଟକ ବଡ଼ ମେଡିକାଲର ସବୁ ବିଭାଗୀୟ ମୁଖ୍ୟ ଏବଂ ପ୍ରାଶାସନିକ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ବୁଧବାର ଭୋର୍ ପାଞ୍ଚଟାରେ ୫ଟି ସଚିବ ଭି. କେ. ପାଣ୍ଡିଆନ୍, ସ୍ୱାସ୍ଥ୍ୟ ସଚିବ ପ୍ରମାଦ କୁମାର ମିହିର୍ଦା, ଏନ୍ଆର୍ଏଚର ନିର୍ଦେଶିକା ଶାଳିନୀ ପଣ୍ଡିତ କଟକ ସହରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ପହଞ୍ଚି ଏଠାକାର ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି । ଏଠାରେ ପ୍ରାୟ ଦେଢ଼ ଘଣ୍ଟା ବିତାଇ ଥିବା ତଦାରଖକାରୀ ଟିମ୍ ବଡ଼ ଡାକ୍ତରଖାନାର ଆଶୁ ଚିକିତ୍ସା ବିଭାଗକୁ ଯାଇ ରୋଗୀମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ବୁଝାବୁଝି କରିଥିବା ସହ ଏସ୍ସିବିର ଡିନ୍ ଡାକ୍ତର ଜୟଶ୍ରୀ ମହାନ୍ତି, ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରଫେସର୍ ସରୋଜକାନ୍ତ ସାହୁ, ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରଫେସର ସିବିକେ ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନଙ୍କ ସହ ବଡ଼ ଡାକ୍ତରଖାନାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ