ନେହେରୁ ଯୁବକେନ୍ଦ୍ର ତରଫରୁ କ୍ଲିନ୍ଇଣ୍ଡିଆ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକରେ “କ୍ଲିନ୍ ଇଣ୍ଡିଆ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ଗୁଡିକ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହେଉଛି । ପାରଳାଖେମୁଣ୍ଡି ସହରର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବି.ଏନ୍. ପ୍ୟାଲେସ ରାସ୍ତାରେ ପଡିଥିବା ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ସଂଗ୍ରହ କରାଯାଇଥିବା ବେଳେ ରାସ୍ତାଟିକୁ ସଫେଇ କରାଯାଇଥିଲା । ଏଥିରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ତଥା “ସାଇବାବା ଯୁବକ ସଂଘ”, “ଗଜପତି ଟ୍ରାନ୍ସଜେଣ୍ଡର ଏସୋସିଏସନ”ର ସଦସ୍ୟସଦସ୍ୟା ମାନଙ୍କ ସହ ସହରର କିଛି ଯୁବଗୋଷ୍ଠି ସାମିଲ ହୋଇଥିଲେ । ଏଥିରେ ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ଶ୍ରୀମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦରକାରୀ ପ୍ଲାଷ୍ଟିକ ଗୁଡିକୁ ସଂଗ୍ରହ କରି ପରିବେଶକୁ ସଫାସୁତୁରା କରିବା ପାଇଁ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି କାଶୀନଗର ବ୍ଲକର କେ.ସୀତାପୁର ଠାରେ ଝାନ୍ସୀରାଣୀ ଯୁବକ ସଂଘ ଦ୍ୱାରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିବା ବେଳେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଛତ୍ରପୁର ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର, ନୂଆଗଡ ବ୍ଲକର ଖଜୁରିପଦା ଗ୍ରାମ, ଗୁ୍ମ୍ମା ବ୍ଲକର ପାଞ୍ଚମାଇଲ ଗ୍ରାମ, ଗଜପତି ନଗର ଅଙ୍ଗନବାଡି କେନ୍ଦ୍ର, ଆର୍.ଉଦୟଗିରି ବ୍ଲକ ଠାରେ ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମ ଓ ଅଦରକାରୀ ପ୍ଲାଷ୍ଟିକ ସାମଗ୍ରିକୁ ସଫେଇ କରାଯାଇଥିଲା ।


