କାର୍ ରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

ଖୋର୍ଦ୍ଧା : ରାଜଧାନୀରୁ ଭଡ଼ା କାର୍ ରେ ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି । ଖୋର୍ଦ୍ଧା ଉପକଣ୍ଠ ଜେମାଦେଈ ଛକ ନିକଟ ଶ୍ମଶାନ କଡ଼ରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କ ସହ ବହୁତ କିଛି ଘଟିଛି ଏବଂ ସେ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି କାନ୍ଦି କାନ୍ଦି କହିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍ପି ହସ୍ପିଟାଲକୁ ଆସି ଯୁବତୀଙ୍କୁ ପଚରାଉଚରା କରିଛନ୍ତି । ତେବେ ତାଙ୍କ ସହ କ’ଣ ଘଟିଛି ତାହା ରହସ୍ୟ ହୋଇ ରହିଛି । ଯୁବତୀଙ୍କ ମାନସିକ ଅବସ୍ଥା ସଂପୂର୍ଣ୍ଣ ସ୍ୱାଭାବିକ ହୋଇ ନ ଥିବା ବେଳେ ପୁଲିସ ଏବେ ଏ ନେଇ କିଛି ପ୍ରକାଶ କରୁ ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ଗ୍ରାମ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଜଣେ ଯୁବତୀ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କର ଶରୀର କ୍ଷତାକ୍ତ ହୋଇଥିବା ଓ ପିନ୍ଧା ପୋଷାକ ଏବଂ ଅନ୍ତଃବସ୍ତ୍ର ଚିରି ଯାଇଥିଲା । ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ୱରରେ କାମ କରୁଥିବା କହିଥିଲେ । ସେ ସବୁଦିନ ପରି କାର୍ ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ । ସେହି କାରରେ ୩ ଜଣ ବସିଥିଲେ । ତେବେ ତାଙ୍କ ସହ ବହୁତ କିଛି ହୋଇଛି ଓ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି ଉଦ୍ଧାର କରିଥିବା ଯୁବକମାନଙ୍କ ଆଗରେ କାନ୍ଦି କାନ୍ଦି ପ୍ରକାଶ ପରିଥିଲେ । ତେଣୁ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ କରି ଯୁବକମାନେ ପୁଲିସକୁ ଖବର ଦେବା ସହ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍ ଆଣିଥିଲେ । ଖବର ପାଇ ଟାଉନ୍ ଥାନା ଅଧିକାରୀ ଜଣେ ମହିଳା ଏସ୍ଆଇ ଓ ଅନ୍ୟ କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ପଚରାଉଚୁରା କରିଥିଲେ । ରାତି ପ୍ରାୟ ସାଢେ ୮ଟା ବେଳେ ଏସ୍ପି ଅଜୟ ପ୍ରତାପ ସ୍ୱାଇଁ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ । ଉଦ୍ଧାର ହୋଇଥିବା ଯୁବତୀ ଜଣକ ପୁଲିସକୁ ଦେଇଥିବା ବୟାନରୁ ତାଙ୍କର ବୟସ ୩୩ ବର୍ଷ ଓ ସେ ଅବିବାହିତ ବୋଲି ଜଣାପଡ଼ିଛି । ତାଙ୍କ ଘର ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ । ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ସେ ଓ ତାଙ୍କ ବିଧବା ମା’ ଖୋର୍ଦ୍ଧାରେ ରହୁଛନ୍ତି । ଆଜି ସେ କୌଣସି ସାଟିର୍ଫିକେଟ୍ ଆଣିବା ପାଇଁ ଭୁବନେଶ୍ୱର ଯାଇଥିଲେ । ଖଣ୍ଡଗିରି ଛକରୁ ଏକ ଭଡ଼ା କାରରେ ଆସୁଥିଲା ବେଳେ ବାଟରେ ଏଭଳି କିଛି ଘଟିଥିବା ସନ୍ଦେହ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ