‘ଆଜିକାଲି’ର ପ୍ରତିଷ୍ଠାତା ସମ୍ପାଦକ ବିସ୍ମୟ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକ
ବାଲେଶ୍ୱର, (ସରୋଜ ପଣ୍ଡା) : ଦୈନିକ ଓଡ଼ିଆ ଖବରକାଗଜ ‘ଆଜିକାଲି’ର ପ୍ରତିଷ୍ଠାତା ସମ୍ପାଦକ ସମାଜସେବୀ ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ଶନିବାର ପାଳିତ ହୋଇଯାଇଛି । ଗୋପାଳଗାଁ ସ୍ଥିତ ‘ଆଜିକାଲି’ କାର୍ଯ୍ୟାଳୟରେ ଆୟୋଜିତ ସ୍ମୃତିସଭାରେ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ଲକ୍ଷ୍ମୀନାରାୟଣ ମହାନ୍ତି ପୌରୋହିତ୍ୟ କରିଥିଲେ । ଆଜିକାଲିର ମୁଖ୍ୟ ସମ୍ପାଦକ ଦୁଲାଲ ମିଶ୍ର, ପ୍ରକାଶକ କିଶୋର ଦାସ, ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ କମିଟି ସଦସ୍ୟ ଭାବଗ୍ରାହୀ ମହାନ୍ତି, ଯୁବ ସଂଗଠକ ସତ୍ୟଶିବ ସୁନ୍ଦର ଦାଶ, ଭାଗବତ ସାହୁ, ଲକ୍ଷ୍ମୀନାରାୟଣ ଦାସ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କୁ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସମ୍ବାଦପତ୍ରର ପ୍ରତିଷ୍ଠା ସାଙ୍ଗକୁ ସମାଜସେବା ତଥା ବାଲେଶ୍ୱର ବିକାଶ କ୍ଷେତ୍ରରେ ସ୍ୱର୍ଗତ ମହାନ୍ତିଙ୍କ ଅବଦାନ ଅନ୍ୟମାନଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ନିରବ ପ୍ରାର୍ଥନା ସହ ସମସ୍ତେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ଜ୍ୟେଷ୍ଠଭ୍ରାତା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ନିର୍ମାଲ୍ୟ ମହାନ୍ତି, କନ୍ୟା ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ଜ୍ୱାଇଁ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଭାଉଜ ଜ୍ୟୋତିର୍ମୟୀ ପଟ୍ଟନାୟକ, ପୁତୁରା ଡ. ଶ୍ରୀମାନ ଶ୍ରୀଚନ୍ଦନ, ପୁତୁରାବୋହୂ ନିହାରିକା ମହାନ୍ତି, ଶଳାଭାଉଜ ରଶ୍ମିତା ମହାନ୍ତି, ନାତି ଶ୍ରୀୟାଂଶୁ କୁମାର ପଟ୍ଟନାୟକ, ମାନବ କୁମାର ମହାନ୍ତି ପ୍ରମୁଖ ପରିବାର ଲୋକେ ଏହି ସ୍ମୃତିସଭାରେ ଉପସ୍ଥିତ ଥିଲେ ।