ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ପାଳିତ
ଚାନ୍ଦିପୁର, ବାଲେଶ୍ୱର,(ଓ୍କାଇଏନଏସ): ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ସମୁଦ୍ର ଉପକୂଳରେ ଆଜି ସକାଳ ୮.୦୦ ଘଟିକା ସମୟରେ ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ଉତ୍ସାହ ଓ ସଚେତନତାର ସହ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ସମୁଦାୟ ଏବଂ ବିଭିନ୍ନ ଅଂଶୀଦାରମାନେ ସକ୍ରିୟ ଭାବେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାମୁଦ୍ରିକ ଉପକୂଳ ପରିମଳ ଓ ଜୈବ ବିବିଧତାର ସୁରକ୍ଷା, ପ୍ଲାଷ୍ଟିକ୍ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଉପକୂଳ ପରିବେଶର ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା। ଏହି ଅବସରରେ ରେଡ୍ କ୍ରାବ୍ ଅଞ୍ଚଳରେ ଉପକୂଳ ସଫେଇ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ବାଲେଶ୍ୱର ବନ୍ୟପ୍ରାଣୀ ବିଭାଗର ବିଭାଗୀୟ ବନ ଅଧିକାରୀ (DFO) ଶ୍ରୀଯୁକ୍ତ ପ୍ରତୀକ ଇନ୍ଦଲକର, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ, ଶ୍ରୀଯୁକ୍ତ ମନମୋହନ ମୁର୍ମୁ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଅଧ୍ୟକ୍ଷ, ସ୍ନାତକୋତ୍ତର ପରିଷଦ, ଫକୀର ମୋହନ ବଶ୍ୱବିଦ୍ୟାଳୟ ପ୍ରଫେସର ସନ୍ତୋଷ କୁମାର ଅଗରୱାଲା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଓ କର୍ମଚାରୀ, ବିଭିନ୍ନ NGO ପ୍ରତିନିଧି, ସ୍ଥାନୀୟ PRI ସଦସ୍ୟ, VSS ସଦସ୍ୟ, ବାଲେଶ୍ୱର ବନ୍ୟପ୍ରାଣୀ ବିଭାଗର ବନ କର୍ମଚାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଅଧିକାରୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, NGO ପ୍ରତିନିଧି, PRI ସଦସ୍ୟ, VSS ସଦସ୍ୟ ଏବଂ ବନ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇ ଉପକୂଳ ଅଞ୍ଚଳରୁ ବିଭିନ୍ନ ପ୍ରକାରର ଆବର୍ଜନା ଓ ପ୍ଲାଷ୍ଟିକ୍ ସାମଗ୍ରୀ ସଫା କରିଥିଲେ। ଏଥିସହିତ ଆବର୍ଜନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ନିଷ୍କାସନ କରିବା ଏବଂ ଉପକୂଳ ପରିବେଶକୁ ସୁରକ୍ଷିତ ରଖିବାରେ ସାମୂହିକ ଜନସହଭାଗିତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି ଅବସରରେ ସାମୁଦ୍ରିକ ଜୀବଜନ୍ତୁ, ଉପକୂଳୀୟ ଆବାସସ୍ଥଳୀ ଏବଂ ଜୈବ ବିବିଧତାର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର କମାଇବା ସହିତ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଏବଂ ଉପକୂଳ ସୁରକ୍ଷାର ବାର୍ତ୍ତାକୁ ସମାଜର ସମସ୍ତ ବର୍ଗଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଭିନ୍ନ ଗଣମାଧ୍ୟମ ଓ ପ୍ରେସ୍ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ଖବର ସଂଗ୍ରହ କରିଥିଲେ। ଏହା ମାଧ୍ୟମରେ ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ସ୍ୱଚ୍ଛ ଉପକୂଳ ସମ୍ପର୍କିତ ସଚେତନତା ବ୍ୟାପକ ଭାବେ ପ୍ରଚାରିତ ହୋଇଥିଲା। ଚାନ୍ଦିପୁର ରେଡ୍ କ୍ରାବ୍ ଠାରେ ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ–୨୦୨୬ର ସଫଳ ଆୟୋଜନ ଉପକୂଳ ପରିବେଶର ସୁରକ୍ଷା ଏବଂ ଏକ ସ୍ୱଚ୍ଛ, ସୁସ୍ଥ ଓ ସ୍ଥାୟୀ ଉପକୂଳୀୟ ପରିବେଶ ଗଠନ ଦିଗରେ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ସମୁଦାୟ ଏବଂ ଛାତ୍ରଛାତ୍ରୀମାନଙ୍କର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।


