ଭଦ୍ରକ ଜିଲାରେ ଉର୍ଦ୍ଦୁ ଶିକ୍ଷା ପ୍ରତି ଉଦାସୀନତା
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲାରେ ସଂଖ୍ୟାଲଘୁ ସଂପ୍ରଦାୟ ସର୍ବାଧିକ ଥିବା ବେଳେ ପ୍ରଶାସନିକ ଅବହେଳା ଓ ସରକାରଙ୍କ ଉଦାସୀନତା ଯୋଗୁଁ ଛାତ୍ରଛାତ୍ରୀ ମାନେ ଉର୍ଦ୍ଦୁ ଶିକ୍ଷାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ଜିଲାରେ ବହୁ ଛାତ୍ରଛାତ୍ରୀ ଉର୍ଦ୍ଦୁ ସି.ଟି ଓ ଓ.ଟି.ଇ.ଟି ପାସ୍ କରି ଥିବା ବେଳେ ସେମାନଙ୍କୁ ଅଦ୍ୟାବଧି ନିଯୁକ୍ତି ପ୍ରଦାନ କରାଯାଉନାହିଁ । ଫଳରେ ବହୁ ସ୍କୁଲରେ ଉର୍ଦ୍ଦୁ ଶିକ୍ଷକ ପଦବୀ ଖାଲି ଥିବାରୁ ପିଲା ମାନେ ଉର୍ଦ୍ଦୁ ଶିକ୍ଷାରୁ ବଂଚିତ ହେଉଛନ୍ତି । ଏପରିକି ସରକାରଙ୍କ ତରଫରୁ ଦିଆଯାଉଥିବା ପାଠ୍ୟ ପୁସ୍ତକ ପିଲା ମାନେ ପାଇପାରୁ ନାହାନ୍ତି । ଏନେଇ ଭଦ୍ରକର ମୁସଲିମ୍ ସଂପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର ଯଥାଶିଘ୍ର ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉର୍ଦ୍ଦୁ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଓଡିଶା ୱାକ୍ ଅପ୍ ବୋର୍ଡର ପ୍ରାକ୍ତନ ସଦସ୍ୟ ସେକ୍ ଜଲାଲଉଦ୍ଦୀନ ଦାବୀ କରିଛନ୍ତି ।


