ତିନିବର୍ଷିଆ ବଦଳି ନିୟମକୁ ଫୁ: ବର୍ଷ ବର୍ଷ ଧରି ରହିଥିବା ଷ୍ଟାଫନର୍ସ ଓ କର୍ମଚାରୀଙ୍କ ବଦଳିକୁ ନେଇ ପ୍ରଶ୍ନ
ଧାମନଗର(ଓ୍ବାଇଏନଏସ): ସରକାରୀ ନିୟମ ଅନୁଯାୟୀ ପ୍ରତି ୩ ବର୍ଷରେ ଡାକ୍ତର ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କର ବଦଳି ହେବା କଥା। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତିନି ବର୍ଷିଆ ବଦଳି ନିୟମ କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ନିୟମକୁ ଉଲଘଂନ କରି ବର୍ଷ ବର୍ଷ ଧରି କିଛି ଷ୍ଟାଫନର୍ସ,କର୍ମଚାରୀ ଓ ଡାକ୍ତର ମନମୁଖୀ ଓ ଅନିୟମିତତା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ଧରି ରହିବା ଫଳରେ ସ୍ଥାନୀୟ ମେଡିସିନ୍ ଦୋକାନୀମାନଙ୍କ ସହ ସେମାନଙ୍କର ଏକ ଅସାଧୁ ମଧୁଚନ୍ଦ୍ରିକା ଗଢ଼ି ଉଠିଛି। ଏହା ଦ୍ୱାରା ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବିଭାଗର ଓ କର୍ମଚାରୀ ଏବଂ ଡାକ୍ତରଙ୍କ ରୋଗୀସେବା ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ରୋଗୀ ମୃତ ମୁଖକୁ ଚାଲି ଯାଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏମାନଙ୍କ ରହିବା ସମୟସୀମା ତଦନ୍ତ କରି ସରକାରଙ୍କ ନିୟମ ଅନୁଯାୟୀ ଯଥାଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନୂତନ କର୍ମଚାରୀ ଦିଆଗଲେ ରୋଗୀ ମାନେ ସ୍ୱାସ୍ଥ୍ୟ ସେବାରେ ଉପକୃତ ହୋଇପାରିବେ ବୋଲି ଆଲୋଚନା ସହ ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି।


