ଦେଶର ସର୍ବ ଶ୍ରେଷ୍ଠ ୩ ଥାନା ତାଲିକାରେ ଗଂଜାମର ଗାଙ୍ଗପୁର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦେଶର ସର୍ବଶ୍ରେଷ୍ଠ ତିନି ଥାନାର ତାଲିକା ପ୍ରକାଶ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ I ଏହି ସର୍ବଶ୍ରେଷ୍ଠ ତିନି ଥାନା ମଧ୍ୟରେ ଓଡ଼ିଶାରୁ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନାର ନାମ ରହିବା ଉଭୟ ରାଜ୍ୟ ଏବଂ ଜିଲ୍ଲାର ଗୌରବ ବଢାଇ ଦେଇଛି I ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ସହର ଭଞ୍ଜନଗର ଠାରୁ ଏବଂ ଆସିକା ଠାରୁ ,ପାଖାପାଖି ସମ ଦୂରତାରେ ଅବସ୍ଥିତ ଏହି ଥାନା । ବେଲଗୁଣ୍ଠା ବ୍ଲକ ସୋରଡ଼ା, ଆସିକା ଏବଂ ଧରାକୋଟ ବ୍ଳକ୍ ର ୨୦ ରୁ ଉର୍ଦ୍ଧ୍ବ ଗ୍ରାମପଞ୍ଚାୟତ କୁ ନେଇ ସ୍ଥାପିତ ହୋଇଥିବା ବେଳେ ଏହି ଥାନା ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସବୁ ସମୟରେ ସଫଳତା ହାସଲ କରି ଚର୍ଚ୍ଚାରେ ରହି ଆସିଛି I ବିଶେଷ କରି ଗତ ତିନି ବର୍ଷ ଧରି ଚାଲିଥିବା ଥାନା ପରିସରର ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଉତ୍ତମ ଜନ ସମ୍ପର୍କ ଆଜି ସାରା ଭାରତ ବର୍ଷରେ ଏହାକୁ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିଛି । ଥାନା ଭିତରକୁ ଜଣେ ପ୍ରବେଶ କଲେ ଅନୁଭବ କରି ପାରିବ ଯେ ସେ ଥାନା ନୁହଁ କୌଣସି ଏକ ମନୋରମ ଉଦ୍ୟାନ ଭିତରକୁ ପଶି ଆସିଛି I ଥାନା ପୋଖରୀ ମଧ୍ୟରେ ବୁଲୁଥିବା ହଂସ ଦଳ,ବୋଟିଂ ବ୍ୟବସ୍ଥା,ଥାନା ପରିସରରେ ଥିବା ମନ୍ଦିର,କୃତ୍ରିମ ଝରଣା,ଭଳିକି ଭଳି ଫୁଲ ଗଛ ସହିତ ଥାନାର ପାଚେରୀ କାନ୍ଥରେ ଅଙ୍କା ଯାଇଥିବା ବିଭିନ୍ନ ସଚେତନ ମୂଳକ ଚିତ୍ର ଜନ ସାଧାରଣଙ୍କୁ ବିମୋହିତ କରିବା ସ୍ଵାଭାବିକ I ପୂର୍ବତନ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ସବୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ବର୍ତ୍ତମାନର ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ I ବିଶେଷ କରି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ ରାୟ, ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଙ୍କ ନିୟମିତ ଥାନା ପରିଦର୍ଶନ ଏବଂ ପରାମର୍ଶକୁ ପାଥେୟ କରି ଥାନାର ନବକଳେବର କରାଯାଇ ସର୍ବଭାରତୀୟ ସ୍ତରରେ ସ୍ଵତନ୍ତ୍ର ପରିଚୟ ସୃ୍ଷ୍ଟି କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି I କେନ୍ଦ୍ର ଗୃହ ବିଭାଗର ଏକ ଟିମ୍ ସାରା ଦେଶର ଥାନା ପରିଦର୍ଶନ କରି ଥାନା ଗୁଡ଼ିକର ସ୍ଵଚ୍ଛତା ଫିଟନେସ୍ ପଞ୍ଜୀକରଣ , ଅପରାଧ ନିୟନ୍ତ୍ରଣ ସହ ଚୋରି ଡ଼କାୟତିକୁ ରୋକିବା ଦିଗରେ ପଦକ୍ଷେପ,ଦୂର୍ଗମ ଗ୍ରାମ ଗୁଡ଼ିକରେ ଗୁଣିଗାରେଡ଼ି ଏବଂ ହେଲମେଟ୍ ଚେକିଂ, ବେଆଇନ୍ ମଦ କାରବାରରେ ଅଙ୍କୁଶ ଲଗାଇବା, ଜୁଆ ଖେଳ ନିୟନ୍ତ୍ରଣ, କରୋନା ମହାମାରୀ ପାଇଁ ଘୋଷଣା କରାଯାଇଥିବା ଲକ୍ ଡ଼ାଉନ୍ ପରିସ୍ଥିତିର ସୁନିୟନ୍ତ୍ର, ସାମାଜିକ କାର୍ଯ୍ୟକ୍ରମ ଏବଂ ଜନସାଧାରଣଙ୍କ ମତାମତ ଏବଂ ଅନ୍ୟାନ୍ୟ ମାନଦଣ୍ଡକୁ ନେଇ ସର୍ଭେ କରିଥିବା ବେଳେ ଏଥିରେ ଗାଙ୍ଗପୁର ଥାନା ଉତ୍ତୀର୍ଣ୍ଣ ହୋଇ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ପାଇଁ ମନୋନୀତ ହୋଇଥିବା ସୂଚନା ମିଳିଛି I ଏଥିପାଇଁ ଅତିରିକ୍ତ ଡିଜିଙ୍କ ପକ୍ଷରୁ ଏକ ଚିଠି ମାଧ୍ୟମରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟକୁ ଜଣାଇଛନ୍ତି I ଶ୍ରେଷ୍ଠ ଥାନା ବିବେଚିତ ହୋଇଥିବା ଗାଙ୍ଗପୁର ଥାନାର ଥାନା ଅଧିକାରୀ ଧୀରେଶ୍ କୁମାର ଦାଶଙ୍କୁ ଚଳିତ ମାସ ୧୯ ତାରିଖରେ ଲକ୍ଷ୍ନୌ ଠାରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ କେନ୍ଦ୍ର ଗୃହ ମନ୍ତ୍ରୀ ଟ୍ରଫି ଦେଇ ପୁରସ୍କୃତ କରିବେ ବୋଲି ଏହି ଚିଠିରେ ଉଲ୍ଲେଖ ଥିବା ବେଳେ ଥାନା ଅଧିକାରୀ ଶ୍ରୀ ଦାଶ ଆସନ୍ତା ୧୭ ତାରିଖ ସୁଦ୍ଧା ୟୁନିଫର୍ମ ସହ କ୍ରସ୍ ବେଲ୍ଟ ପରିଧାନ କରି ଅନୁଷ୍ଠିତ ଉତ୍ସବରେ ଟ୍ରଫି ଗ୍ରହଣ ପାଇଁ ଲକ୍ଷ୍ନୌରେ ଆୟୋଜିତ ରିହର୍ସଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି I ଏହି ସଫଳତା ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ଦାଶ ଗଞ୍ଜାମ ଏସପି ,ଦକ୍ଷିଣାଞ୍ଚଳ ଡ଼ିଆଇଜି ଏବଂ ଏସ୍ଡିପିଓଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ,ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ, ଭଞ୍ଜନଗର ରୋଟାରୀ କ୍ଳବ୍, ବେଲଗୁଣ୍ଠା ଦିବ୍ୟ ଜୀବନ ସଂଘ ସମେତ ବିଭିନ୍ନ ମହଲରୁ ଶ୍ରୀ ଦାଶଙ୍କୁ ଅଭିନନ୍ଦନର ସୁଅ ଛୁଟିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ