ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ବିନୟତୋଷ ମିଶ୍ର

କଟକ, (ଓ୍ବାଇଏନଏସ): ଓଡ଼ିଶା ପୁଲିସର ଡିଜିପି ପଦରେ ପରିବର୍ତ୍ତନ ହୋଇଛି। ଡିଜିପି ୱାଇ.ବି. ଖୁରାନିଆ ରବିବାର ଚାକିରିରୁ ଅବସର ନେବା ପରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଅପରାହ୍ନରେ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱ ନେଇଥିଲେ। ଅବସରପ୍ରାପ୍ତ ଡିଜିପି ୱାଇ.ବି. ଖୁରାନିଆ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଦୁଇ ଦିନ ପୂର୍ବରୁ ରାଜ୍ୟ ସରକାର ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଡିଜିପି ଭାବେ ନିଯୁକ୍ତ କରିଥିଲେ। ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହି ନିଯୁକ୍ତି ଗୁରୁତ୍ୱ ବହନ କରୁଛି। ସୂଚନା ଅନୁଯାୟୀ, ଗତ ଗୁରୁବାର ଓଡ଼ିଶାରେ ଡିଜିପି ଚୟନ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଥିଲେ। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ନୂଆ ଡିଜିପି ଚୟନ ପ୍ରକ୍ରିୟା ଆଗକୁ ନବଢ଼ାଇବାକୁ ୟୁପିଏସ୍‌ସିକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଏହି ସମୟରେ ପୁଲିସ ପ୍ରଶାସନରେ ନେତୃତ୍ୱର ନିରନ୍ତରତା ବଜାୟ ରଖିବାକୁ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଦାୟିତ୍ୱ ଦିଆଯାଇଛି। ବିହାରର ମଧୁବନୀ ଜିଲ୍ଲାରେ ୧୯୬୬ ନଭେମ୍ବର ୩ତାରିଖରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମିଶ୍ର ପୁଲିସ ମ୍ୟାନେଜମେଣ୍ଟରେ ମାଷ୍ଟରଡିଗ୍ରୀ ହାସଲ କରିଛନ୍ତି। ବିନୟତୋଷ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଥିଲେ। ସେ ୨୦୨୫ ଜାନୁୟାରୀରୁ ରାଜ୍ୟରେ ଡିଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି। ତାଙ୍କର ଡିଜି ପାହ୍ୟାର କାର୍ଯ୍ୟକାଳ ୬ ମାସରୁ କମ୍‌ ଥିବାରୁ ୟୁପିଏସ୍‌ସି ନିୟମ ଅନୁଯାୟୀ ସ୍ଥାୟୀ ଡିଜିପି ଚୟନ ପ୍ୟାନେଲରେ ତାଙ୍କୁ ସାମିଲ କରାଯାଇନଥିବା ଜଣାପଡ଼ିଛି।ଆସନ୍ତା ୧୮ ତାରିଖରେ ସୁପ୍ରିମକୋର୍ଟର ଶୁଣାଣି ପରେ ଓଡ଼ିଶାର ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟା ନେଇ ପରବର୍ତ୍ତୀ ଚିତ୍ର ସ୍ପଷ୍ଟ ହେବ। ସେପର୍ଯ୍ୟନ୍ତ ବିନୟତୋଷ ମିଶ୍ର ରାଜ୍ୟ ପୁଲିସର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ