କ୍ୟାଡ଼ର ଏପିପି ଓ ସହଯାତ୍ରୀଙ୍କ ଦ୍ୱାରା ବାଳକ ଉଦ୍ଧାର
ଛତ୍ରପୁର, (ଦେବଦତ୍ତ ମହାରଣା) : ଗତକାଲି ନିଜର ଧର୍ମପତ୍ନୀଙ୍କ ଜନ୍ମଦିନ ପାଳନ ପାଇଁ ତଥା ରବିବାର ଛୁଟି ପରିବାର ସହ କଟାଇବା ପାଇଁ ଛତ୍ରପୁର ଏସଡିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର କୋର୍ଟରେ କାମ ସରିବା ପରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟ୍ରେନରେ ଚଢିଥିଲେ । ପୂର୍ବପରି ଟ୍ରେନରେ ଚଢିବା ପରେ, ସେ ସମସ୍ତ ସହଯାତ୍ରୀଙ୍କ ସହ ବର୍ତ୍ତାଳାପ ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ନଜର ଏକ ପିଲା ଉପରେ ପଡିଥିଲା । ଯିଏ କାହା ସହ ମିଶୁନଥିଲା କି କଥା ହେଉନଥିଲା। କିନ୍ତୁ ସହଯାତ୍ରୀଙ୍କ ଦୟାରୁ ଯାହା କିଛି ମିଳୁଥିଲା ଖାଉଥିଲା । ଏପରି ପରିସ୍ଥିତିରେ ଗୋଟେ ମୁହୂର୍ତ୍ତ ପାଇଁ ଶ୍ରୀ ମିଶ୍ରଙ୍କୁ ଲାଗିଲା ଯେ, ବୋଧ ହୁଏ ଏଇ ପିଲାଟା ସେଇ ସହଯାତ୍ରୀଙ୍କ ପାଖ ଗାଁ ଲୋକ ହୋଇଥିବ ଓ ଏବେ ବହୁତ ଦିନ ପରେ ନିଜ ଘରକୁ ଯାଉଛି । ତେଣୁ କିଛି ନ କହି ଖାଲି ଖାଉଛି ଆଉ ଅଜଣା ଭାବି ଇଆଡ଼େ ସିଆଡେ ନଜର ପକାଉଛି । କିନ୍ତୁ ପରେ ଯେତେବେଳେ ଖୋର୍ଦ୍ଧା ଷ୍ଟେସନ ଆସିଲା, ସେତେବେଳେ କିଛି ଯୁବକ କହିବା ଆରମ୍ଭ କଲେ, ଆରେ ଆମେ ତ ଆମ ଗାଁକୁ ପଳାଇବା । କିନ୍ତୁ ଏଇ ପିଲା କୁଆଡେ ଯିବ? ପ୍ରଥମ ଥର ପାଇଁ ସେତିକିବେଳେ ଶ୍ରୀ ମିଶ୍ର ଜାଣିବାକୁ ପାଇଲେ ଯେ, ଏଇ ପିଲାଟି ବାଟ ଭୁଲି ପଳେଇ ଆସିଛି ଓ ଅଲଗା ଭାଷା ପାଇଁ ସେ କାହା ସହ ଠିକ ସେ କଥା ହେଇପାରୁନାହିଁ। ତେଲୁଗୁ ଭାଷାରେ ନିଜର କିଞ୍ଚିତ ଜ୍ଞାନକୁ ବ୍ୟବହାର କରି ଶ୍ରୀ ମିଶ୍ର ଯେତେବେଳେ ତେଲୁଗୁ ଭାଷାରେ ତା ନାଁ ପଚାରିଲେ, ସେତେବେଳେ ଜାଣିଲେ ଯେ ତା ନାଁ ଏନ. ରାମବାବୁ। ତା ପରେ ଭାଷାଗତ ତାରତମ୍ୟ ପାଇଁ ତା ବିଷୟରେ ଆଉ କିଛି ଜାଣିପାରିଲେ ନାହିଁ ଓ ଘରର କୌଣସି ଲୋକଙ୍କ ଫୋନ ନମ୍ବର ଜାଣିପାରିଲେ ନାହିଁ। ସେହି ସମୟରେ ଜଣା ପଡିଲା ଯେ, ତା ପାଖରେ ଏକ ମୋବାଇଲ ବ୍ୟାଟେରୀ ଶୁନ୍ୟ ହୋଇ ରହିଛି। ସହଯାତ୍ରୀଙ୍କ ସହାୟତାରେ ସେହି ସିମରୁ କିଛି ନମ୍ବର ବାହାର କରି ଲୋକଙ୍କୁ ଯୋଗାଯୋଗ କଲେ, କିନ୍ତୁ ଭାଷାଗତ ତାରତମ୍ୟ ପାଇଁ ଯୋଗାଯୋଗ ସଫଳ ହେଲା ନାହିଁ । ପରେ ଭୁବନେଶ୍ୱର ସ୍ଥିତ ଚାଇଲଡ୍ଡ ହେଲ୍ପଲାଇନକୁ ଯୋଗାଯୋଗ କରି ଶିବ ପ୍ରସାଦ ବରାଳଙ୍କ ସହାୟତାରେ ପିଲାଟିକୁ ସେଠି ହସ୍ତାନ୍ତର କରିଥିଲେ । କିନ୍ତୁ ସେଠାରେ କର୍ତ୍ତବ୍ୟରତ କର୍ମଚାରୀ କହିଥିଲେ, ଯଦି ପିଲାଟି ୧୮ବର୍ଷରୁ କମ ହୋଇଥିବ ତେବେ ଆମେ କିଛି କରିପାରିବୁ ନଚେତ ପିଲାଟିକୁ ସେମିତି ବାହାରେ ଛାଡ଼ିଦେବୁ। କାରଣ ସେମିତି କିଛି ବିଶେଷ ବ୍ୟବସ୍ଥା ନାହିଁ । ପିଲାଟିର ଭବିଷ୍ୟତ କଥା ଚିନ୍ତା କରି ଶ୍ରୀ ମିଶ୍ର ଯଥାସମ୍ଭବ ସହାୟତା ପାଇଁ କର୍ମଚାରୀଙ୍କୁ କହିଥିଲେ । ସେଠି ଉପସ୍ଥିତ ଜଣେ ତେଲୁଗୁ ଭାଷୀ ଦୋକାନୀ ଏସ ଦିଲେଶ୍ୱର ରାଓ ଆସି ପୂର୍ବରୁ ମିଳିଥିବା ଫୋନ ନମ୍ବରରେ କଥା ହୋଇ ଜାଣିବାକୁ ପାଇଲେ ଯେ, ପିଲାଟି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ବାସିନ୍ଦା । କିଛି ଗୋଟେ କାରଣକୁ ନେଇ ପିଲାଟି ରାଗିଯାଇ ନିଜ ଘରୁ ସକାଳୁ କୁଆଡେ ପଳେଇ ଆସିଛି ଓ ଘରଲୋକ ଚାରିଆଡେ ତା ସନ୍ଧାନ କରି ହତାଶ ହୋଇଛନ୍ତି । ପିଲାଟି ମାନସିକ ଅବସାଦଗ୍ରସ୍ଥ ଥିବାରୁ କିଛି ଠିକରେ କହୁନଥିଲା। କିନ୍ତୁ ଏବେ ତା ଘର ଲୋକଙ୍କ ଠିକଣା ମିଳିବାରୁ ତଥା ପିଲାଟି ଘରଲୋକଙ୍କ ସହ କଥା ହେବାରୁ ପିଲାଟି ସୁରକ୍ଷିତ ଥିବା ଜାଣି ସମସ୍ତଙ୍କୁ ଶ୍ରୀ ମିଶ୍ର ଧନ୍ୟବାଦ ଦେବା ସହ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସୂଚନାଯୋଗ୍ୟ ଯେ, ଆଜିର ସମାଜରେ କେହି କାହାରିକୁ ସହାୟତା କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଟ୍ରେନରେ ଥିବା ସହଯାତ୍ରୀଙ୍କ ଯଥାସମ୍ଭବ ସାହାଯ୍ୟ ପାଇଁ ଆଜି ଗୋଟେ ପିଲାଟିର ଜୀବନ ଖରାପ ହାତରେ ପଡିବା ପୂର୍ବରୁ ବଞ୍ଚିଗଲା ।


