ଗୁଣପୁର ପୌର ପାଳିକା ଜମି ଘୋଟଲା : ତଦନ୍ତ ପାଇଁ କମିଟି ଗଠନ

ଗୁଣପୁର,(ୱାଇଏନଏସ): ଗୁଣପୁର ପୋୖର ପାଳିକାର ମହା ଜମି ଦୁର୍ନୀତିର ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର କମିଟି ଗଠନ କରାଯାଇଛି। ସମସ୍ତ ଜମିର ଦସ୍ତାବିଜ ଓ ମାନଚିତ୍ରର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଯୁବ ଆଇଏଏସ ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲୀପ ସୂଚନା ଦେଇଛନ୍ତି। ଗୁଣପୁର ପୋୖର ପାଳିକାର କୋଟି କୋଟି ଟଙ୍କାର ଜମି ଘୋଟଲା ହୋଇଥିବା ସମ୍ପର୍କରେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଏହାକୁ ଗୁରୁତର ସହ ଗ୍ରହଣ କରି ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି।ଭତଦନ୍ତ କମିଟିରେ ତହସିଲଦାର ଲୀଳାବତୀ ଆଚାର୍ଜିଙ୍କ ନେତୃତ୍ୱରେ ଡେ଼ପୁଟି କଲେକ୍ଟର, ଅତିରିକ୍ତ ତହସିଲଦାର ଏବଂ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ରହିଛନ୍ତି। ଉଲେଖଯୋଗ୍ୟଯେ ଦୁଇ ବର୍ଷ ପୂର୍ବେ ଶ୍ରୀମତି ଆଚାର୍ଜି ତହସିଲଦାର ତଥା ସବ ରେଜିଷ୍ଟାର ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ପୋୖରାଞ୍ଚଳରେ ସ୍ଵତନ୍ତ୍ର ଟାଉନ ପ୍ଲାନିଂର ବିନା ଅନୁମୋଦନରେ ଦୀର୍ଘ ବର୍ଷ ଧରି ଚାଲିଥିବା ଜମି ରେଜିଷ୍ଟ୍ରେସନ ଦୁର୍ନୀତିକୁ ବନ୍ଦ କରିଥିଲେ। ଏବେ ପୋୖର ପାଳିକାର ଜମି ଦୁର୍ନୀତିର ମଧ୍ୟ ନିରପେକ୍ଷ ତଦନ୍ତ ହୋଇ ଦୁର୍ନୀତିଖୋର ବ୍ୟକ୍ତି ମାନଙ୍କ ମୁଖା ଖୋଲିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଟାଉନ ପ୍ଲାନିଂ ସମୟରେ ଗୁଣପୁର ପୈାର ସଂସ୍ଥାକୁ ଅଞ୍ଚଳର ଉନ୍ନତି ପାଇଁ ନିୟମ ମୁତାବକ ମିଳିଥିବା ପ୍ରାୟ ୫୦ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ପ୍ଲଟ ଜମିର ହିସାବ ନାହିଁ। ବାରମ୍ବାର ଅଭିଯୋଗ ସତ୍ବେ ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ ମାନେ ଏବଂ ଅମିନ ବର୍ତ୍ତମାନ ସୁଦ୍ଧା ମିଳିଥିବା ଜମିରେ ତାର ବାଡ଼ କିମ୍ବା ସୁରକ୍ଷା ପ୍ରାଚୀର ନିର୍ମାଣ କରି ନିଜ ଅକ୍ତିଆରକୁ ଆଣିବାକୁ ଇଚ୍ଛା କରିନାହାନ୍ତି। ଗୁଣପୁର ମ୍ୟୁନିସିପାଲଟି ଅଫିସରେ ଗତ ୧୯୯୮ ମସିହାରେ ଅମିନ ରୂପେ ନିଯୁକ୍ତି ପାଇବାର ୨୮ ବର୍ଷ ଧରି ଗାଦି ମାଡି ବସିଥିବା ଅମିନ ଚିନ୍ତାଡା କଣ୍ଡା ଏହି ସବୁ ଜମିର ଦସ୍ତାବିଜ ଓ ମାନଚିତ୍ର ନିଜ ଜିମାରେ ରଖିଥିଲେ। ବର୍ତ୍ତମାନ ଅମିନଙ୍କୁ ରାୟଗଡା ପୋୖର ସଂସ୍ଥାକୁ ବଦଳି ହେବା ପରେ ରିଲିଭ ହୋଇଛନ୍ତି। ବର୍ତ୍ତମାନ ଏହି ସବୁ ୪୦ ବର୍ଷର ଜମିର ହିସାବ କିଏ ଦେବ ବୋଲି ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମ୍ୟୁନିସିପାଲଟିକୁ ନିୟମ ଅନୁଯାୟୀ ମିଳିଥିବା ଅନେକ ଜମିର ଗିଫ୍ଟ ଡିଡ଼ ଫାଇଲ ଗୁଡିକୁ ଗାଏବ କରିଦେଇ ଜମି ପ୍ରଦାନ କରିଥିବା ମାଲିକ ମାନଙ୍କ ସହ ବୁଝାମଣାରେ ଉକ୍ତ ପ୍ଲଟ ଗୁଡିକୁ ଅନ୍ୟତ୍ର ବିକ୍ରୟ କରି ଦେଇଥିବା ନେଇ ଅନେକ ଦିନ ହେଲା ଅଭିଯୋଗ ହୋଇ ଆସୁଛି। ସେହିପରି ପ୍ଲାନ ଅନୁମୋଦନ ହୋଇଥିବା ଜମିର ମାନଚିତ୍ରକୁ ପରିବର୍ତ୍ତନ କରି କାମରେ ନଆସିବା ଜମିକୁ ଦେବା ଭଳି ଦର୍ଶାଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ବର୍ତ୍ତମାନ ଜମି ଗୁଡିକର ସ୍ଥିତାବସ୍ଥା ନେଇ ସନ୍ଧେହ ଦୃଢ଼ୀବୁତ ହୋଇଛି। ପୂର୍ବରୁ ଜମି ପ୍ଲାନ ଅନୁମୋଦନ ସମୟରେ ଗିଫ୍ଟ ଡିଡ଼ ଗୁଡିକ ମ୍ୟୁନିସିପାଲଟିକୁ ବିନା ରେଜିଷ୍ଟ୍ରେସନରେ ଲିଖିତ ଆକାରରେ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ପୋୖର ପାଳିକାର ନେତା, ଅଧିକାରୀ, ଅମୀନଙ୍କ ଆସାଧୁ ମେଣ୍ଟ ଜମି ମାଲିକଙ୍କ ସହ ମିଶି ଉକ୍ତ ପ୍ଲଟ ଗୁଡିକୁ ଅନ୍ୟତ୍ର ବିକ୍ରି କରି ଦେଇଛନ୍ତି। ଏହି ସମ୍ପର୍କରେ ପଚାରିଲେ ଅମିନ ମହାଶୟ ଜମି ମାଲିକ ମାନେ ସେତେବେଳେ ଗିଫ୍ଟ ଡିଡ଼ ଦେଇ ନାହାନ୍ତି ବୋଲି ସଫେଇ ଦେଇ ଚାଲିଛନ୍ତି। ଯଦି ଗିଫ୍ଟ ଡିଡ଼ ଦେଇନାହାନ୍ତି ତେବେ ସେମାନଙ୍କର ଜମି ପ୍ଲଟ ଆକାରରେ ବିକ୍ରି କରିବା ପାଇଁ କେମିତି ଅନୁମୋଦନ କରା ଗଲା ବୋଲି ପ୍ରଶ୍ନ କଲେ କାହାରି ନିକଟରେ ସନ୍ତୋଷଜନକ ଉତ୍ତର ନାହିଁ। ଉଲେଖଯୋଗ୍ୟ ତତ୍କାଳୀନ ଗୁଣପୁର ପୋୖର ପାଳିକାର ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଚୌଧୁରୀ ମଧ୍ୟ ଅଭିଯୋଗ କରିଛନ୍ତିଯେ ତାଙ୍କ କାର୍ଯ୍ୟକାଳ ସମୟରେ ନୀଳାଦ୍ରି ବିହାର ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ମିଳିଥିବା ଗିଫ୍ଟ ଜମିକୁ ବିକ୍ରି କରି ଦେଇଛନ୍ତି । ଉଲେଖନୀୟ ବିଷୟ ହେଉଛି ୨୦୨୧ ମସିହାରେ ତତ୍କାଳୀନ ନିର୍ବାହୀ ଅଧୁକାରୀ ଉମାପ୍ରସାଦ ଦାଶ ଜମି ଫାଇଲ ଗୁଡିକୁ ଯାଞ୍ଚ କରିଥିଲେ। ପୌରପାଳିକାକୁ ୨୭ ଜଣ ରିଏଲ ଇଷ୍ଟେଟ ମାଲିକଙ୍କଠାରୁ ମିଳିଥିବା ଜମି ତାଲିକା ଅମିନ କଣ୍ଡା ଙ୍କ ଦ୍ଵାରା ପ୍ରସ୍ତୁତ କରିଥିଲେ। ସେଥିରେ ରହିଥିଲା ପ୍ରାୟ ସାଢ଼େ ୪ ଏକର ପରିମାଣ ଜମିର ପ୍ଲଟ। ଯାହାର ବର୍ତ୍ତମାନ ମୂଲ୍ୟ
୫୦ କୋଟିରୁ ଅଧିକ ହେବ। ଜମି ଚିହ୍ନଟ କରି ତାର ବାଡ଼ ନିର୍ମାଣ କରି ସୁରକ୍ଷିତ ରଖିବାକୁ ଶ୍ରୀ ଦାଶ ଅମିନ ଏବଂ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ଏହା ତାଲିକାଭୁକ୍ତ ଜମିର ମାତ୍ର ୪୦ ପ୍ରତିଶତ। ଜମି ମାଲିକଙ୍କଠାରୁ ମିଳିଥିବା ବଳକା ୬୦ ପ୍ରତିଶତ ଜମିର ପୁରୁଣା ଫାଇଲ ଗୁଡିକ ଯାଞ୍ଚ କଲେ ଆହୁରି ଅଧିକା ଜମି ସମ୍ପର୍କରେ ଜଣାପଡିବ। ତତ୍କାଳୀନ ନିର୍ବାହୀ ଅଧିକାରୀ ଶ୍ରୀ ଦାଶଙ୍କୁ ଏଠାରୁ ବଦଳି ହୋଇ ଚାଲିଯିବା ପରେ ପରବର୍ତୀ ସମୟରେ ନିର୍ବାହୀ ଅଧିକାରୀ ସ୍ଵୟଂ ସମ୍ପୂର୍ଣ୍ଣା ରାଉତ,ସ୍ବସ୍ତିକ ଜମାଦାର ,ମନୋଜ କୁମାର ତାଣ୍ଡି ଓ ଏବେ ସନ୍ତୋଷ କୁମାର ନାୟକ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ। ସେମାନଙ୍କ ନିକଟରେ ମଧ୍ୟ ଜମି ଘୋଟଲା ଉପରେ ପ୍ରମାଣ ସହ ତଥ୍ୟ ଉପସ୍ଥାପନ କରାଯାଇଥିଲେ ମଧ୍ୟ ଅଧିକାରୀ ମାନେ ଏହା ଉପରେ ଗୁରୁତ୍ୱ ଦେଲେ ନାହିଁ। କାହାର ଚାପ ଓ ଭୟରେ ତୁନି ପଡିଛନ୍ତି ତାହା ତଦନ୍ତ ସାପେକ୍ଷ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ