ଓଡ଼ିଶା ପତ୍ରକାର ସଂଘର ପ୍ରେସ୍ ଦିବସ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମ୍ପ୍ରତିକ ସ୍ଥିତିରେ ସମାଜକୁ ବଦଳାଇବାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବହୁ ବିଶିଷ୍ଟ ସାମ୍ବାଦିକ ମତପ୍ରକାଶ କରିଛନ୍ତି । ଆଜି ଓଡ଼ିଶା ପତ୍ରକାର ସଂଘ ପକ୍ଷରୁ ଭୁବନେଶ୍ୱରଠାରେ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆକାଶବାଣୀର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା କହିଛନ୍ତି ଯେ, ସାମ୍ବାଦିକମାନେ ସମାଜର ଚିକିତ୍ସକ ସଦୃଶ । ଜଣେ ଚିକିତ୍ସକ ରୋଗୀର ଚିକିତ୍ସା କରୁଥିଲେ ମଧ୍ୟ ରୋଗୀ ସୁସ୍ଥ ହେବାକୁ ନ ଚାହିଁଲେ ସୁଫଳ ମିଳେନାହିଁ । ଠିକ୍ ସେହିପରି ସାମ୍ବାଦିକ ସମାଜର ଦୋଷତୃଟିକୁ ଦେଖୁଥିଲେ ମଧ୍ୟ, ଏହାକୁ ପ୍ରକାଶ ନକରିବା ଏବଂ ପ୍ରଶାସନିକ ପଦକ୍ଷେପ ନେବାର କ୍ଷମତା ନଥିବାରୁ ସାମ୍ବାଦିକ ହାତରେ ସମାଜ ବଦଳିବ ନାହିଁ । ସାମ୍ବାଦିକ, ପ୍ରଶଂସକ ଏବଂ ପ୍ରଶାସନ ଏକ ଚେନ୍ର ଗୋଟିଏ ଗୋଟିଏ କଡ଼ି । ସବୁଗୁଡ଼ିକର ସମନ୍ୱୟର ଆବଶ୍ୟକତା ଥିବାରୁ ଜଣେ ବୃତ୍ତି ଅପେକ୍ଷା ପ୍ରବୃତ୍ତି ଭାବରେ ସମାଜର ଦୋଷତୃଟି ଦେଖାଇବା ଉଚିତ୍ ବୋଲି ଶ୍ରୀ ଧଡ଼ା କହିଥିଲେ ।ଓଡ଼ିଶା ପତ୍ରକାର ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁ ଆଲୋଚନା ପ୍ରସଙ୍ଗରେ ଜାତୀୟ ପ୍ରେସ୍ ଦିବସ ପାଳନର ଉଦ୍ଦେଶ୍ୟ ବର୍ଣ୍ଣନା କରି କରେନା ସଂକ୍ରମଣ ଜନିତ ଦେଶର ପରିସ୍ଥିତି ସମୟରେ ସାମ୍ବାଦିକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଲୋକମାନଙ୍କୁ ସରକାରଙ୍କ ପ୍ରକାଶିତ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇ ଲକ୍ଷ ଲକ୍ଷ ଲୋକଙ୍କୁ ନିରାପଦରେ ରଖିବାର ଦାୟିତ୍ୱ ସାମ୍ବାଦିକମାନେ ସ୍ୱତଃପ୍ରବୃତ୍ତ ଭାବରେ ନିଜ କାନ୍ଧକୁ ନେଇଥିଲେ । ନିଜ ଜୀବନକୁ ବିପନ୍ନ କରି ସମାଜର ସେବା କରୁଥିବା ସାମ୍ବାଦିକମାନଙ୍କୁ ସମାଜର ପ୍ରକୃତ ବନ୍ଧୁ ବୋଲି କହିଥିଲେ । ସଂଘର ସମ୍ପାଦକ ଅଶ୍ୱିନୀ ପତି ସାମ୍ବାଦିକମାନେ ବିଭିନ୍ନ ଗୋଷ୍ଠୀରେ ଥିଲେ ମଧ୍ୟ ନୀତିଗତ ଦୃଷ୍ଟିରୁ ଏକତା ରକ୍ଷା କରିବା ଉଚିତ୍ ବୋଲି କହିଥିଲେ । ଗୋପୀନାଥ ପରିଡ଼ା କହିଥିଲେ ଯେ, ସାମ୍ବାଦିକମାନେ ସମସ୍ତଙ୍କର ଦୁଃଖଦୁର୍ଦ୍ଦଶାକୁ ଦେଖୁଥିବା ସମୟରେ ସାମ୍ବଦିକର ଦୁଃଖଦୁର୍ଦ୍ଦଶା ଦେଖିବାକୁ କେହି ନାହିଁ । ସାମ୍ବାଦିକତା କ୍ଷେତ୍ରରେ ନିଜର ବ୍ୟକ୍ତିତ୍ୱ ଉପରେ ଗୁରୁତ୍ୱ ନଦେଲେ ସାମ୍ବାଦିକତା ନିମ୍ନମାନର ହେବା ସହ ସମାଜର କୌଣସିି ଉପକାରରେ ଲାଗେ ନାହିଁ ବୋଲି ‘ପ୍ରିୟ ଖବର’ର ସମ୍ପାଦକ ତଥା ସାମ୍ବାଦିକ ରାଜକିଶୋର ଦାସ କହିଥିଲେ । ସରକାରୀ ବ୍ୟବସ୍ଥାରେ ସାମ୍ବାଦିକ ମାନଙ୍କ ପ୍ରତି ପାତର ଅନ୍ତର କରାନଗଲେ ସମାଜର ବୃହତ୍ତର ଉନ୍ନତି ହୋଇପାରିବ ବୋଲି ସଂଘର ଅନ୍ୟତମ ସମ୍ପାଦକ କିଶୋର ରଥ କହିଥିଲେ । ସାମ୍ବାଦିକତା ଏବଂ ସାମାଜିକ ମାନଙ୍କର ସମସ୍ୟା ସମ୍ପର୍କରେ ମୂରଲୀଧର ମିଶ୍ର, ଉମେଶ ରାୟ, ସସ୍ମିତା ମଲିକ ପ୍ରମୁଖ ସାମ୍ପ୍ରତିକ ସ୍ଥିତିରେ ସମ୍ବାଦପତ୍ରର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସଂଘର ସଭାପତି ଅବିନାଶ ମିଶ୍ର ପ୍ରାରମ୍ଭିକ ସୂଚନା ଦେବା ସହ ଆଲୋଚ୍ୟ ପ୍ରସଙ୍ଗର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ ଓ ଆଲୋଚନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।