ଲାଲ୍ଫୁଲ୍ ଓ କଳରବର ତାଳେ ତାଳେ ଝୁମିଲେ କ୍ଲବ୍ ବୁଲ୍ବୁଲ୍
ରାଜ୍ୟ ସ୍କାଉଟ୍ ଗାଇଡ଼୍ ମୁଖ୍ୟାଳୟରେ ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଆଞ୍ଚଳିକ ସ୍ତରୀୟ କବ୍ ବୁଲ୍ବୁଲ୍ ଉତ୍ସବର ତୃତୀୟ ଦିନର କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା । ସକାଳୁ କୁନି କୁନି ପିଲାମାନେ ସକାଳର କାର୍ଯ୍ୟକ୍ରମ ପରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ନିଜ ପରିବେଶକୁ ଅତି ସୁନ୍ଦର ଭାବେ ସଫାସୁତୁରା କରି ସାଜସଜ୍ଜା କରିଥିଲେ । ଦୈନନ୍ଦିନ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ପ୍ରତିଯୋଗିତା ଯଥା ମଡେଲ ନିର୍ମାଣ, କାଗଜ କାଟି ଭିନ୍ନ ଭିନ୍ନ ଉପକରଣ ପ୍ରସ୍ତୁତି, ଜଙ୍ଗଲି ଗଳ୍ପ, ତାରା ଗଳ୍ପ ଓ ଅଭିନୟ କଳା ଆଦିରେ ଅଂଶ ଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।ସନ୍ଧ୍ୟା ସମୟର ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ ଥିଲା, କବ୍ମାନଙ୍କର ଲାଲ୍ଫୁଲ ଏବଂ ବୁଲ୍ବୁଲ୍ମାନଙ୍କର କଳରବ କାର୍ଯ୍ୟକ୍ରମ । ବିଚିତ୍ର ବେଶ ପୋଷାକ ପରିଧାନ କରି କବ୍ ବୁଲ୍ବୁଲ୍ମାନେ ପ୍ରଦର୍ଶନ କରିଥିଲେ, ସେମାନଙ୍କ ନୃତ୍ୟକଳା । ଆଜିର ମୁଖ୍ୟ ଅତିଥି ଥିଲେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ର ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ । କବ୍ ବୁଲ୍ବୁଲ୍ମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ଧରଣର ନୃତ୍ୟକଳା ଅତିଥିମାନଙ୍କୁ ବିମୋହିତ କରିଥିଲା । କବ୍ ବୁଲ୍ବୁଲ୍ମାନଙ୍କ ଉତ୍ସବରେ ଯୋଗଦାନ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଆଦର୍ଶ ଛାତ୍ରଛାତ୍ରୀ ଭାବେ ନିଜର ପରିଚୟ କରିବାରେ ଏହି ଉତ୍ସବ ସେମାନଙ୍କ ପାଇଁ ନିଶ୍ଚିତ ଭାବେ ପଥପ୍ରଦର୍ଶକ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହିତ କବ୍ ବୁଲ୍ବୁଲ୍ମାନଙ୍କର ସଫଳତା କାମନା କରିଥିଲେ । କୁନି କୁନି ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ପ୍ରତ୍ୟେକ ଦର୍ଶକଙ୍କୁ ଭରପୁର ଆନନ୍ଦ ଦେଇଥିଲା ।


