ସମ୍ଭାବ୍ୟ ବାତ୍ୟା ବୁଲବୁଲ ଓ ବର୍ଷା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ) : ସମ୍ଭାବ୍ୟ ବୁଲବୁଲ ବାତ୍ୟା ଓ ତତଜନିତ ବର୍ଷା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପବନର ବେଗ କମ ଥିବାର ଦେଖାଯାଇଛି । ଜିଲ୍ଲା ଜରୁରୀ ବିଭାଗର କଂଟ୍ରୋଲରୁମରେ ଜିଲ୍ଲାର ଆଚଂଳିକ ପରିବହନ,ଟେଲିକମ,ଜଳସେଚନ,ଜନସ୍ୱାସ୍ଥ୍ୟ ଭଳି ବିଭିନ୍ନ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି । ଜରୁରୀ ଆବଶ୍ୟକ ସମୟରେ ସେହି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ଉଦେଶ୍ୟରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସେମାନେ ଉପସ୍ଥିତ ଅଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକ ଅଚଂଳରେ ମୋଟ ୧୧୭ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ରହିଥିବା ବେଳେ ସେଥିମଧ୍ୟରୁ ୭୧ଟି ଓସଡମାର ବାତ୍ୟା ଓ ୨୭ଟି ଓସଡମାର ବନ୍ୟା ଆଶ୍ରୟ ସ୍ଥଳ ହୋଇଥିବା ବେଳେ ୧୯ଟି ରେଡକ୍ରସର ଆଶ୍ରୟ ସ୍ଥଳ ରହିଛି । ଏହାବ୍ୟତିତ ଜିଲ୍ଲାରେ ଥିବା ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ବିପନ୍ନ ଲୋକମାନଙ୍କୁ ରଖାଯିବା ନିମନ୍ତେ ଅସ୍ଥାଇ ଆଶ୍ରୟ ସ୍ଥଳ ଖୋଲାଯାଇଛି । ଗୋଟିଏ ଏନ.ଡି.ଆର.ଏଫ.ଟିମକୁ ମାର୍ଶାଘାଇଠାରେ ରଖାଯାଇଥିବା ବେଳେ ୨ଟି ଓଡ୍ରାଫ ଟିମ ଜିଲ୍ଲାରେ ପହଁଚିବା ପରେ ସେମାନଙ୍କୁ ନିୟୋଜିତ କରାଯିବା ସହ ପ୍ରତ୍ୟେକ ବ୍ଲକ ଅଚଂଳରେ ଥିବା ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି । ଜରୁରୀ ଆବଶ୍ୟକ ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମେଡିକାଲ ଟିମ,ପଶୁସମ୍ପଦ ବିଭାଗ ଟିମ,ପାନୀୟଜଳ ଯୋଗାଇଦେବାକୁ ଜନସ୍ୱାସ୍ଥ୍ୟ ଓ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ଟିମ,ଜଳସେଚନ ଓ ପୂର୍ତ୍ତ ବିଭାଗର ଟିମ,ମତ୍ସ୍ୟ ବିଭାଗର ଟିମ,କୃଷି ବିଭାଗ ଟିମ ପ୍ରଭୃତିକୁ ସଜାଗ ରଖାଯାଇଛି । ପ୍ରତ୍ୟେକ ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ମଧ୍ୟ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ଏଥିସହିତ ପ୍ରତ୍ୟେକ ବ୍ଲକରେ ଜେସିବି ମେସିନ,କଟର ସହିତ ଏକ ଟିମ ଆବଶ୍ୟକ ସ୍ଥଳେ ରାସ୍ତା ରୁ ଗଛ କାଟିବା ଏବଂ ଜରୁରୀ ପରିସ୍ଥିତିରେ ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ବେଷାମରିକ ଯୋଗାଣ ଅଧିକାରୀଙ୍କ ସହିତ ୧୪ହଜାର ୮୩୧ କ୍ୱିଂଟାଲ ଚାଉଳ ମହଜୁଦ ରଖାଯାଇଥିବା ବେଳେ ରାଜନଗର ବ୍ଲକର ସାନବଡଗୋପାଳପୁର ଠାରେ ୨ଶହ କ୍ୱିଂଟାଲ ଚୁଡା ମହଜୁଦ ରହିଥିବା ଜିଲ୍ଲା ଜରୁରୀ ବିଭାଗ ଡେପୁଟୀ କଲେକ୍ଟର ସମ୍ବିତ ଶତପଥୀ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକ ଅଚଂଳ ଗ୍ରସ୍ତକରି ପ୍ରଶାସନ ପକ୍ଷରୁ ନିର୍ଦେଶ ମୁତାବକ ସମସ୍ତ ପ୍ରସ୍ତୁତି ଠିକ ଭାବରେ କରାଯାଇଛି କି ନାହିଁ ତାହାର ତଦାରଖ କରିବା ସହ ସଂପୃକ୍ତ ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବାକୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଜିଲ୍ଲା ଜରୂରୀ ବିଭାଗ କଂଟ୍ରୋଲରୁମରେ ରହି ସମସ୍ତ ପ୍ରାକ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ସେହିପରି ଜିଲ୍ଲା କୃଷି ବିଭାଗ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତ୍ୟେକ ବ୍ଲକ ଅଚଂଳରେ ଚାଷୀମାନଙ୍କୁ ପାଚିଲାଧାନକୁ ବିଲରୁ କାଟିଆଣି ସୁରକ୍ଷିତ ରଖିବା ସମ୍ପର୍କରେ ମାଇକେଯାଗେ ସଚେତନତା ସୃଷ୍ଟି କରାଯାଇଥିବାର ସୂଚନା ଦିଆଯାଇଛି । ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ଆଶ୍ରୟସ୍ଥଳିର ପରିଚାଳନା କମିଟି ଗୁଡିକୁ ଜରୁରୀ ସମୟରେ ଲୋକମାନଙ୍କୁ ଆଶ୍ରୟସ୍ଥଳକୁ ଆଣିବା ପାଇଁ ସତର୍କ କରି ଦିଆଯାଇଛି । ଜିଲ୍ଲାର ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି ଆବଶ୍ୟକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର କୈାଣସି ବ୍ଲକ ଅଚଂଳରେ ଲୋକମାନଙ୍କୁ ଆଶ୍ରୟସ୍ଥଳକୁ ବର୍ତ୍ତମାନ ସୁଦ୍ଧା ଅଣାଯାଇନଥିବା ବେଳେ ପରିସ୍ଥିତିକୁ ଦେଖି ସେମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ।


