ହନିଟ୍ରାପରେ ଫସିଲେ ଓଡିଆ ଯବାନ ବିଚିତ୍ର ବେହେରା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମ ନୂଆଁସାହି ବାସିନ୍ଦା ଜଣେ ଭାରତୀୟ ଯବାନ ପାକିସ୍ଥାନୀ ମହିଳା ଏଜେଂଟଙ୍କ ହନିଟ୍ରାପରେ ଫଶି ଦେଶର ଗୁରୁତ୍ୱପୁର୍ଣ୍ଣ ଖବରକୁ ଟଙ୍କା ବଦଳରେ ଦେଉଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଗିରଫ ଯବାନ ହେଲେ ବିଚିତ୍ର ବେହେରା । ସେ ଭାରତୀୟ ସେନା ବାହିନୀରେ ସିପାହୀ ଭାବେ ରାଜସ୍ଥାନର ପୋଖରାନରେ କାମ କରୁଥିଲେ । ଏପରି ଦେଶଦ୍ରୋହ ଓ ଘୃଣ୍ୟ କାର୍ଯ୍ୟ କରିଥିବା ଅଭିଯୋଗରେ ରାଜସ୍ଥାନ ପୋଲିସର ଇଂଟିଲଜେନ୍ସ ବ୍ୟୁରୋ ଓ ରାଜ୍ୟ ସିଆଇଡ଼ି ଯୁଗ୍ମ ତଦନ୍ତରେ ବିଚିତ୍ରଙ୍କ ସହ ଅନ୍ୟ ଜଣେ ଯବାନଙ୍କୁ ମଧ୍ୟ ଗିରଫ କରିଥିବା ଜଣା ପଡ଼ିଛି । ଜାତୀୟ ଗଣ ମାଧ୍ୟମ ଗୁଡ଼ିକରେ ଏହି ରିପୋର୍ଟ ପ୍ରକାଶ ପରେ ଶୁକ୍ରବାର ଆଙ୍କୋରଡ଼ା ଗ୍ରାମକୁ ବିଭିନ୍ନ ପଗଣମାଧ୍ରମ ପ୍ରତିନିଧି ସହ ବିଭିନ୍ନ ବର୍ଗର ଲୋକଙ୍କ ସୁଅ ଛୁଟିଛି । ଏପରି ଘଟଣା ପରେ ଏହାକୁ ନେଇ ବିଭିନ୍ନ ବର୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହିଂଜିଳି ପୋଲିସ ଶୁକ୍ରବାର ଗିରଫ ଯବାନଙ୍କ ଗରେ ପହଂଚି ତଦନ୍ତ ଜାରୀ ରଖିଛି । ଗତ କଛି ବର୍ଷ ମଧ୍ୟରେ ବିଚିତ୍ରଙ୍କ କିଣିଥିବା ସମ୍ପତି ଓ ବିଭିନ୍ନ ବ୍ୟାଙ୍କ ଆକାଉଂଟ ନେଇ ଖୋଳତାଡ଼ ଚାଲିଛି । ଏଥିସହ ବିଚିତ୍ରଙ୍କ ଆକାଂଉଟରୁ କିଛି ସାଙ୍ଗସାଥୀଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର ହୋଇଛି କି ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି । ତଦନ୍ତକୁ ଅଧିକ ବ୍ୟାପକ କରାଯିବା ସହ ଏଥିରେ ଆଉ କିଏ କିଏ ଜଡ଼ିତ ଥାଇ ପାରନ୍ତି ତାହା ମଧ୍ୟ ପୋଲିସ ତଦନ୍ତ କରୁଛି । ଆଙ୍କୋରଡ଼ା ନୂଆଁସାହିର କଂଗ୍ରେସ ବେହେରାଙ୍କ ଜଣେ ଝିଅ ଓ ୩ପୁଅ । ବିଚିତ୍ର ପୁଅ ମାନଙ୍କ ମଧ୍ୟରେ ସବା ବଡ଼ ଅଟନ୍ତି । ୨୦୧୩ରେ ବିଚିତ୍ର ଫାୟାରମ୍ୟାନ ଭାବେ ଚାକିରୀ କରୁଥିଲା ପରେ ସେନା ବାହିନୀରେ ସିପାହୀ ଭାବେ ଯୋଗ ଦେଇଥିଲା । ୨୦୧୫ରୁ ସେନାରେ ଚାକିରୀ କାଳ ସମୟରେ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ଥିଲା ବିଚିତ୍ର । ଗତ ୨ବର୍ଷ ଧରି ସେ ପାକିସ୍ଥାନୀ ଗୁପ୍ତଚର ମହିଳା ଏଜେଂଟଙ୍କ ସହ ଫ୍ୟାକ ଫେସବୁକ ଆକାଉଂଟ ‘ସିରାତ’ ସହ ସମ୍ପର୍କ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ପରେ ବିଚିତ୍ର ଉକ୍ତ ଗୁପ୍ତଚର ମହିଳାଙ୍କ ସହ ଫେସବୁକ ଓ ହ୍ୱାଟସଅପରେ ସମ୍ପର୍କ ରଖି ଟଙ୍କା ବଦଳରେ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଆଙ୍କୋରଡ଼ାରେ ମା କାଳୁଆଙ୍କ ଯାତ୍ରା ଚାଲିଥିବାରୁ ଗ୍ରାମରେ ଉତ୍ସାହ ଦେଖା ଦେଇଥିବା ବେଳେ ଏପରି ଖବର ପ୍ରକାଶ ପରେ ଆଲୋଡ଼ନ ଦେଖା ଦେଇଛି ।


