ଶିଶୁମାନଙ୍କ ପାଇଁ କଟକରେ ନିର୍ମିତ ହୋଇଛି ୭.୫ କୋଟି ଟଙ୍କାର ପାର୍କ

କଟକ, (ଓ୍ବାଇଏନଏସ): ଶିଶୁମାନଙ୍କ ପାଇଁ କଟକରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଆକର୍ଷଣ । ଖେଳିବା, ବୁଲିବା ସହ ବିଜ୍ଞାନ ଓ ମାନବ ଶରୀର ସମ୍ବନ୍ଧରେ ଜ୍ଞାନ ହାସଲ କରିପାରିବେ ପିଲା । ଏଥିପାଇଁ ସିଡିଏ ସେକ୍ଟର-୯ରେ ନିର୍ମାଣ ହୋଇଛି ‘ଇନ୍ଦ୍ରିୟ ବିକାଶ ଉଦ୍ୟାନ’ । କଟକ ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏ ପକ୍ଷରୁ ପ୍ରାୟ ୭.୫ କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଛି । କଟକର ପ୍ରଥମ ସେନସୋରି ପାର୍କ ଭାବେ ଏହାକୁ ଦେଖାଯାଉଛି। ପାର୍କରେ ଶିଶୁମାନଙ୍କ ଇନ୍ଦ୍ରିୟ ଅନୁଭୂତିକୁ ଜାଗ୍ରତ କରିବା ସହ ଶିକ୍ଷାକୁ ମଜାଦାର କରିବା ପାଇଁ ବିଭିନ୍ନ ଆଧୁନିକ ଓ ବିଜ୍ଞାନଭିତ୍ତିକ ସରଞ୍ଜାମ ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ଖେଳିବା ସହିତ ପିଲାମାନେ ମାନବ ଶରୀରର ବିଭିନ୍ନ ଅଙ୍ଗ ଓ ଇନ୍ଦ୍ରିୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ସାଧାରଣ ପାର୍କଠାରୁ ଏହି ପାର୍କର ଧାରଣା କିଛିଟା ଭିନ୍ନ। ଏଠାରେ ମନୋରଞ୍ଜନ ସହିତ ଶିକ୍ଷାକୁ ଯୋଡ଼ାଯାଇଛି । ବିଭିନ୍ନ ବିଜ୍ଞାନଭିତ୍ତିକ ଉପକରଣ ଓ ଇଣ୍ଟରାକ୍ଟିଭ୍ ବ୍ୟବସ୍ଥା ମାଧ୍ୟମରେ ପିଲାଙ୍କ ଜିଜ୍ଞାସା ବଢ଼ାଇବା ସହ ନୂଆ କିଛି ଶିଖିବାର ସୁଯୋଗ ଦେବା ଏହି ପାର୍କର ମୁଖ୍ୟ ଉଦ୍ଦେଶ୍ୟ । ତେବେ କୋଟି କୋଟି ଟଙ୍କା ବ୍ୟୟରେ ପାର୍କ ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। କଟକ ସହରରେ ଅନେକ ପାର୍କ ନିର୍ମାଣ ପରେ ଉପଯୁକ୍ତ ଯତ୍ନ ଅଭାବରୁ ଅବହେଳିତ ହୋଇପଡ଼ିଥିବା ଅଭିଯୋଗ ରହିଛି। ଏପରି ସ୍ଥିତିରେ ନୂଆ କରି ନିର୍ମିତ ଏହି ବିଜ୍ଞାନଭିତ୍ତିକ ପାର୍କର ଉପକରଣ ଓ ପରିବେଶର ନିୟମିତ ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ । ପାର୍କ ନିର୍ମାଣ ହେବା ପରେ ଏହା କେବଳ ଉଦଘାଟନ କିମ୍ବା ଆରମ୍ଭିକ ଆକର୍ଷଣରେ ସୀମିତ ନରହି, ଦୀର୍ଘଦିନ ଧରି ଶିଶୁମାନଙ୍କୁ ଶିକ୍ଷା ଓ ମନୋରଞ୍ଜନର ସୁଯୋଗ ଦେବା ଆବଶ୍ୟକ। ତେଣୁ ଆଗାମୀ ଦିନରେ ‘ଇନ୍ଦ୍ରିୟ ବିକାଶ ଉଦ୍ୟାନ’ର କିଭଳି ରକ୍ଷଣାବେକ୍ଷଣ କରାଯାଉଛି ଏବଂ ଏହାର ଉଦ୍ଦେଶ୍ୟ କେତେଦୂର ସଫଳ ହେଉଛି, ତାହା ଉପରେ ନଜର ରହିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ