‘ସ୍ୱଚ୍ଛତା ହିଁ ସେବା-୨୦୨୬’ ସଚେତନତା କାର୍ଯ୍ୟକ୍ରମ

ଧାମନଗର(ଓ୍ବାଇଏନଏସ): ଧାମନଗର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ଆସନ୍ତା ୧୭ ସେପ୍ଟେମ୍ବରରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ପକ୍ଷ ପାଳନ କରାଯିବ। ଚଳିତବର୍ଷର ଥିମ୍‌ ‘ସ୍ୱଚ୍ଛତାରେ ସହଭାଗିତା, ସ୍ୱଚ୍ଛ ଭାରତ ବିକଶିତ ଭାରତ’। ଏନେଇ ଧାମନଗର ପଞ୍ଚାୟତ ସମିତି ପକ୍ଷରୁ ଚିଠି ନଂ ୪୧୮୩ରେ ନିର୍ଦ୍ଦେଶନାମା ଜାରି ହୋଇଛି। ଅଭିଯାନରେ ଲୋକପ୍ରତିନିଧି, ଶିକ୍ଷକ, ଛାତ୍ରଛାତ୍ରୀ, ସ୍ୱଚ୍ଛତା କର୍ମୀ, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତି ଓ ଓଏଲ୍‌ଏମ୍‌ ମହିଳା ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରାଯିବ। ଏହି ଅବସରରେ ସ୍ୱଚ୍ଛତା ସଚେତନତା,ସଫେଇ,ରାଲି,ମାନବ ଶୃଙ୍ଖଳ ଓ ଶ୍ରମଦାନ ଭଳି କାର୍ଯ୍ୟକ୍ରମ ହେବ।ସେପ୍ଟେମ୍ବର ୧୭ ଓ ୧୮ରେ ବିଦ୍ୟାଳୟଗୁଡ଼ିକରେ ସଚେତନତା, ବକ୍ତୃତା ଓ କୁଇଜ୍‌ ପ୍ରତିଯୋଗିତା ହେବ। ୧୯ ଓ ୨୦ରେ ଅଳିଆ ଆବର୍ଜନାପୂର୍ଣ୍ଣ ସ୍ଥାନ ଚିହ୍ନଟ କରି ସଫେଇ କରାଯିବ। ୨୧ ଓ ୨୨ରେ ବଜାର, ବସ୍‌ଷ୍ଟାଣ୍ଡ, ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଧର୍ମାନୁଷ୍ଠାନରେ ସଫେଇ ଅଭିଯାନ ହେବ।ସେହିପରି ୨୩ ଓ ୨୪ରେ ଘରକୁ ଘର ସଚେତନତା ସହ ରାଲି ଓ ମାନବଶୃଙ୍ଖଳ, ୨୫ରୁ ୨୭ ପର୍ଯ୍ୟନ୍ତ ନଦୀକୂଳ ସଫେଇ, ଶୂନ୍ୟ-ବର୍ଜ୍ୟବସ୍ତୁ କାର୍ଯ୍ୟକ୍ରମ ଓ ପର୍ଯ୍ୟଟନସ୍ଥଳୀ ସଫେଇ କରାଯିବ। ୨୮ ଓ ୨୯ରେ ବର୍ଜ୍ୟବସ୍ତୁର ପୁନଃବ୍ୟବହାର ଓ ପ୍ଲାଷ୍ଟିକ ରିସାଇକ୍ଲିଂ ଉପରେ ଗୁରୁତ୍ୱ ଦିଆଯିବ।ସେପ୍ଟେମ୍ବର ୩୦ରେ ସଫେଇ ମିତ୍ରମାନଙ୍କ ପାଇଁ ସୁରକ୍ଷା ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଓ ସୁରକ୍ଷା ସାମଗ୍ରୀ ବଣ୍ଟନ କରାଯିବ। ଅକ୍ଟୋବର ୧ରେ ‘ଏକ ଦିନ, ଏକ ଘଣ୍ଟା, ଏକ ସାଥ୍’ କାର୍ଯ୍ୟକ୍ରମରେ ସାମୁହିକ ଶ୍ରମଦାନ ହେବ। ଅକ୍ଟୋବର ୨ରେ ସ୍ୱଚ୍ଛ ଭାରତ ଦିବସ ଅବସରରେ ସ୍ୱତନ୍ତ୍ର ଗ୍ରାମସଭାରେ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଲୋଚନା କରାଯିବ।ଅଭିଯାନକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗୀୟ କର୍ମକର୍ତ୍ତା, ଲୋକପ୍ରତିନିଧି ଓ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ