ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ: ସରପଞ୍ଚଙ୍କ ସ୍ବାମୀ ଗିରଫ
କଟକ, (ଓ୍ବାଇଏନଏସ): ଆଜିକାଲି ମହିଳା ଅସଦାଚାରଣର ମାମଲା ରାଜ୍ୟରେ ବଢି ବଢି ଚାଲିଛି । ପଡ଼ୋଶୀ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ । ଜଣେ ୧୮ ବର୍ଷିୟା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମରେ ଘଟଣାକୁ ନେଇ କଟକ କନ୍ଦରପୁର ଥାନାରେ ଏକ ଅଭିଯୋଗ ହୋଇଛି। ଯୁବତୀଙ୍କୁ ଗତିରାଉତପାଟଣା ଅଞ୍ଚଳର ସରପଞ୍ଚଙ୍କ ସ୍ବାମୀ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ବିଶ୍ୱକର୍ମାଙ୍କ ପୂଜା ଅବସରରେ ସ୍ଥାନୀୟ ସରପଞ୍ଚଙ୍କ ଘରେ ପୂଜା ଚାଲି ଥିଲା। ତେବେ ସେହି ଗ୍ରାମର ଜଣେ କଲେଜ ଛାତ୍ରୀ ସରପଞ୍ଚଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସରପଞ୍ଚ ଉପର ମହଲାରେ ଥିବା ବେଳେ ତାଙ୍କ ସ୍ବାମୀ ତଳ ମହଲାରେ ଛାତ୍ରୀ ଜଣକୁ ଭୋଗ ଖାଇବା ପାଇଁ ଘର ଭିତରକୁ ଡାକିଥିଲେ। ସେଠାରେ ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ । ଯୁବତୀ ଜଣକ ସେଠାରୁ କୌଶଳକ୍ରମେ ଖସିଯାଇ ଏହି ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ନିଜ ଘରେ କହିଥିଲେ। ଏହାପରେ ପରିବାର ଲୋକେ କନ୍ଦରପୁର ଥାନାରେ ଏତଲା ଦେଇଥିଲେ। ଏତଲା ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ। ପରେ ଘଟଣାର ପ୍ରମାଣ ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କ୍ଷମତା ଓ ପଦପଦବୀର ଦେଖାଉଥିବା ନିଶା ତାଙ୍କର ମାଟିରେ ମିଶିଯାଇଥିଲା । ଏବେ ପୋଲିସ ଅସଦାଚାରଣ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଜୁକ୍ତଙ୍କୁ କୋର୍ଟକୁ ପଠାଇଛି । ସରପଞ୍ଚଙ୍କ ସ୍ବାମୀଙ୍କ ନାମରେ ଆଗରୁ ବହୁ ସଙ୍ଗୀନ ଅପରାଧିକ ମାମଲା ଯେପରି ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ନ କରି ଲକ୍ଷାଧିକ ଟଙ୍କା ଲୁଟ କରିବା ଘଟଣାର ଭିଜିଲାନ୍ସ ଚଢ଼ାଉ, ଫୌଜଦାରୀ ମକଦ୍ଦମା ରହିଥିବା ଜଣାପଡ଼ିଛି।


