କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବେଳେ ବିଜେଡି ବିଧାୟକମାନେ ହୋହଲ୍ଲା କରିଥିଲେ। ରାଜନଗରର ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିବା ସଭାମଞ୍ଚ ତଳେ ଧାରଣା ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ ସରକାରୀ ଅଧିକାରୀମାନେ ପ୍ରୋଟୋକଲ(ବିଧି ବ୍ୟବସ୍ଥା) କ’ଣ ତାହା ଜାଣି ପାରୁ ନାହାଁନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଧାୟକ ପାଣ୍ଠିରେ ନିର୍ମିତ ଏକ ରାସ୍ତା କାର୍ଯ୍ୟର ଉଦ୍ଘାଟନ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ କୁହାଗଲା ଉଦ୍ଘାଟନକୁ ଘୁଞ୍ଚାଇ ଦିଆଯାଇଛି। ତାଙ୍କୁ ଉଦ୍ଘାଟନରେ ସାମିଲ ନ କରିବା ପାଇଁ ସରକାରୀ ଅଧିକାରୀମାନେ ଯୋଜନା କରିଥିଲେ। ସେହିପରି ବିନା କୌଣସି ଚିଠିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଜେପି କର୍ମୀମାନେ ସଭା ମଞ୍ଚରେ ବସୁଛନ୍ତି। ସାଂସଦଙ୍କ ପ୍ରତିନିଧି ବେଲି ନିଜକୁ ପରିଚୟ ମଧ୍ୟ ଦେଉଛନ୍ତି। ତେଣୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜିଲ୍ଲାରେ କେତେ ଜଣ ପ୍ରତିନିଧି ରହିଛନ୍ତି ତାହା ସେ ସ୍ପଷ୍ଟ କରନ୍ତୁ। ଏହାସହ ଯେଉଁ ବ୍ୟକ୍ତିଙ୍କୁ ଯେଉଁଦିନ ସାଂସଦଙ୍କ ପ୍ରତିନିଧି ଭାବେ କୌଣସି ବୈଠକକୁ ପଠାଯାଉଛି ସେ ନେଇ ସାଂସଦ ନିଜେ ଚିଠି କରନ୍ତୁ। ବିନା କୌଣସି ଚିଠିରେ ଯିଏ ପାରିଲା ସିଏ ସାଂସଦଙ୍କ ପ୍ରତିନିଧି କହି ବୈଠକରେ ବସୁଛନ୍ତି। ଏହାଦ୍ୱାରା ବୈଠକର ମର୍ଯ୍ୟାଦା ହାନି ହେଉଛି। ଏହିଭଳି ଭାବେ ପ୍ରୋଟୋକଲର ଉଲ୍ଲଙ୍ଘନ କରାଯାଉଛି। ଜିଲ୍ଲାପାଳ ରଘୁରାମ ଆର. ଆୟର ଏ ନେଇ ଦୁଃଖ ପ୍ରକାଶ କରିବା ସହ ଏହିଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବାପରେ ଓ କେନ୍ଦ୍ରାପଡା ବିଧାୟକ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଅନୁରୋଧ କରିବା ପରେ ବିଧାୟକ ଶ୍ରୀ ସାହୁ ଧାରଣାରୁ ଉଠି ନିଜ ସିଟରେ ଯାଇ ବସିଥିଲେ। ବିଧାୟକ ଶ୍ରୀ ସାହୁ ଆହୁରି କହିଥିଲେ ଯେ କୌଣସି ଉନ୍ନୟନ କାର୍ଯ୍ୟରେ ୫୦ରୁ ୫୨ ପ୍ରତିଶତ ଲେସରେ ଟେଣ୍ଡର ପଡୁଛି। ଏହାଦ୍ୱାରା ସେହି କାମ କିପରି ହୋଇପାରିବ। ଫଳରେ ଠିକାଦାର ଅଧା କାମ କରି ଛୁ ମାରୁଛନ୍ତି। ଏଥିପାଇଁ ସରକାର ଦାୟୀ ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ। ସେହିପରି ୮ ନଂ. ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ କହିଥିଲେ ଯେଉଁ ଠିକାଦାର ୫୦ ପ୍ରତିଶତରୁ ଅଧିକ ଲେସ୍ରେ ଟେଣ୍ଡର ପକାଉଛନ୍ତି ସେମାନଙ୍କର ମେସିନ, ଶ୍ରମିକ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଆସବାବପତ୍ର ରହିଛି ବୋଲି ସେମାନଙ୍କ ଠାରୁ ଏକ ସତ୍ୟପାଠ ସଂପୃକ୍ତ ବିଭାଗ ଟେଣ୍ଡର ଦେବା ପୂର୍ବରୁ ରଖିବା ଉଚିତ। ଫଳରେ କେତେବେଳେ ଯଦି ଠିକାଦାର ଫେରାର ହୋଇଯିବେ ତେବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବା ସହ ତାଙ୍କ ଲାଇସେନ୍ସ ରଦ୍ଦ ହୋଇପାରିବ। ଏହାପରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ସାଂସଦଙ୍କ ପ୍ରତିନିଧି ସୁନାକାର ବେହେରାଙ୍କ ସମେତ ଜିଲ୍ଲାପାଳ ରଘୁରାମ ଆର. ଆୟର ଏବଂ ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ଆରମ୍ଭରେ ସଭାପତି ସମସ୍ତ ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାର ସାମଗ୍ରିକ ବିକାଶ, ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି, ଶିକ୍ଷକ ଉପଲବ୍ଧତା, ଛାତ୍ରଛାତ୍ରୀଙ୍କ ଶିକ୍ଷା ପରିବେଶ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ନିର୍ବାଚିତ ପ୍ରତିନିଧିମାନେ ଆଲୋଚନା କରିଥିଲେ। ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରି କାର୍ଯ୍ୟଗୁଡ଼ିକୁ ଶୀଘ୍ର ଆରମ୍ଭ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଲୋକଙ୍କ ଆବଶ୍ୟକତା ସହିତ ଜଡ଼ିତ ଉନ୍ନୟନ କାର୍ଯ୍ୟରେ ବିଳମ୍ବ ନହେବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା। ଚଳିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ଆବଶ୍ୟକ ସେବା ଯୋଗାଣ, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ଏବଂ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଦିବଂଗତ ୨୦ ନମ୍ବର ଜିଲା ପରିଷଦ ସଦସ୍ୟ ସୁବ୍ରତ ଲେଙ୍କାଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ସ୍ମୃତିରେ ଏକ କମ୍ୟୁନିଟି ସେଣ୍ଟ ଖୋଲିବା ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ନିର୍ବାଚିତ ଜନପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା, ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ସମ୍ପର୍କିତ ବିଷୟଗୁଡ଼ିକୁ ଗୃହରେ ଉପସ୍ଥାପନ କରିଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉଠିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ସହ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାର ଉନ୍ନୟନ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମୟବଦ୍ଧ ସମାଧାନ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ନିରନ୍ତର ସମନ୍ୱୟ ଓ ସହଯୋଗ ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


