ବୌଦ୍ଧିକ ବାଧକ ଶିକ୍ଷାର୍ଥୀଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ବୌଦ୍ଧିକ ବାଧକ ଶିକ୍ଷାର୍ଥୀମାନଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ କରାଯାଇଛି । ସମଗ୍ର ଶିକ୍ଷା ଅଭିଯାନ ଓ ସିକନ୍ଦରାବାଦ ସ୍ଥିତ ବୌଦ୍ଧିକ ବାଧକ ଦିବ୍ୟାଙ୍କ ଶିକ୍ଷାର୍ଥୀମାନଙ୍କ ବିକାସ ପାଇଁ କାର୍ଯ୍ୟ କରୁଥିବା ଜାତୀୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ମୁଖ୍ୟଅତିଥି ଭାବେ ଯୋଗଦେଇ ବୌଦ୍ଧିକ ବାଧକ ଶିକ୍ଷାର୍ଥୀମାନଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ସମୁଦାୟ ୫୫ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବୌଦ୍ଧିକ ବାଧକ ଶିକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକ ଏହି ଉପକରଣ ଗ୍ରହଣ କରିଥିଲେ । ‘ଦିବ୍ୟାଙ୍ଗ’ ଦିବ୍ୟ ଅର୍ଥାତ୍ ଭଗବାନ, ଅଙ୍ଗ- ଅଂଶ, ଭଗବାନଙ୍କ ଅଂଶ ବିଶେଷ ଶିକ୍ଷାର୍ଥୀଙ୍କୁ ସାଧାରଣ ଶିକ୍ଷାର୍ଥୀଙ୍କ ଠାରୁ ଯଥେଷ୍ଟ ଦାୟିତ୍ୱ ନେବାର ଆମର କର୍ତ୍ତବ୍ୟ । ଏହି ଶିକ୍ଷାର୍ଥୀମାନଙ୍କୁ ସାହାର୍ଯ୍ୟ ତଥା ସହଯୋଗର ହାତ ବଢାଇବା ପାଇଁ ଆସିଥିବା ସିକନ୍ଦରାବାଦର ଜାତୀୟ ଅନୁଷ୍ଠାନକୁ ଆନ୍ତରିକତା ସହ ପ୍ରଶଂସା କରିବା ସହ ଏହି ଶିକ୍ଷୀର୍ଥୀମାନଙ୍କ ବୌଦ୍ଧିକ ବିକାଶ ଲାଗି ପ୍ରକଳ୍ପ ସଂଯୋଜିକା ଶ୍ରୀମତି ସେନାପତି ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ । ସେମାନଙ୍କୁ ଆଜି ବଣ୍ଟନ କରାଯାଇଥିବା ଉପକରଣ ବ୍ୟବହାର ନିମନ୍ତେ ଶିକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରିବା ଲାଗି ବିଭାଗ ସଂଯୋଜକଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିକନ୍ଦରାବାଦ ଜାତୀୟ ଅନୁଷ୍ଠାନର ପ୍ରସାଦୀ କୁମାର ମାହାତୋ ଓ ସୌମ୍ୟରଞ୍ଜନ ମହାନ୍ତି ଶିକ୍ଷଣ ଉପକରଣ ଗୁଡିକର ଉତ୍ତମ ବ୍ୟବହାର ସମ୍ବନ୍ଧରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଅର୍ଥପରାମର୍ଶଦାତା ମଧୁସୂଦନ ପରିଡା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଂଯୋଜକ ଡଃ ସରୋଜ ମୋହନ ପାଳ, ଶିକ୍ଷାଶାସ୍ତ୍ର ସଂଯୋଜକ ଡଃ ସନ୍ତୋଷ କୁମାର ପଣ୍ଡା, ପ୍ଲାନିଂ ସଂଯୋଜକ ସାବିତ୍ରୀବାଳା ଦାଶ, ପ୍ରୋଗ୍ରାମ ସଂଯୋଜକ ପ୍ରଦୀପ କୁମାର ଖଟେଇ, ବାଳିକା ଶିକ୍ଷା ସଂଯୋଜକ ଜ୍ୟୋତି ପ୍ରକାଶ ରଥ ପ୍ରମୁଖ ଉପସ୍ଥିତ ରହି ଉପକରଣ ବଣ୍ଟନରେ ସହଯୋଗ କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ଜିଲ୍ଲା ସଂଯୋଜକ ତପନ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ସମସ୍ତ ବ୍ଲକ ସମ୍ବଳ ଶିକ୍ଷକ ସହଯୋଗ କରିଥିଲେ ।


