ଖବର କାଗଜ ବିତରକଙ୍କ ସାମାଜିକ ସୁରକ୍ଷା ପାଇଁ ସରକାରୀ ସହାୟତା ଘୋଷଣା
ବାଲେଶ୍ୱର, (ସରୋଜ ପଣ୍ଡା):ଖବର କାଗଜ ବିକ୍ରେତାଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀଙ୍କ ବହୁବିଧ ସହାୟତା ଘୋଷଣାକୁ ନେଇ ବାଲେଶ୍ୱରର ବିତରକଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଖବର କାଗଜ ବିତରକ ସଂଘ ପକ୍ଷରୁ ଏକ ଧନ୍ୟବାଦ ପର୍ବ ସ୍ଥାନୀୟ ହିନ୍ଦ ମଜଦୁର ସଭା କାର୍ଯ୍ୟାଳୟରେ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ ଏଥିରେ ସଭାପତିତ୍ୱ କରିବା ସହିତ ଦୀର୍ଘଦିନର ଦାବି ପରେ ମୁଖ୍ୟମନ୍ତ୍ରୀଙ୍କ ଏହି ସହାୟତା ଘୋଷଣା ପ୍ରତ୍ୟେକ ବିତରକଙ୍କ ପାଇଁ ଆଶୀର୍ବାଦ ବୋଲି କହିଥିଲେ । ସଂଘର ସମ୍ପାଦକ ଅନିରୁଦ୍ଧ ଲେଙ୍କା, ଉପ-ସଭାପତି ଅଭୟ ପ୍ରଧାନ, କୋଷାଧ୍ୟକ୍ଷ ଯୋଗେନ୍ଦ୍ର ତପସି, ଗୌରଗୋପାଲ, ପଦ୍ମଲୋଚନ ରାଉତ, ଦିଲୀପ ଖଟୁଆ ‘ସମାଜ’ର ବାଲେଶ୍ୱର ସହର ବିକ୍ରୟ ପ୍ରତିନଧି ଧୀରେନ କୁମାର ନାୟକ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିତରକଙ୍କୁ ଜୀଇଁବାର ରାହା ଦେଖାଇଛି ବୋଲି କହିଥିଲେ । ଅଣସଂଗଠିତ ଶ୍ରମିକଙ୍କ ଭଳି ସମସ୍ତଙ୍କୁ ବୀମାଭୁକ୍ତ କରିବା, ଦୁର୍ଘଟଣା ଓ ମୃତ୍ୟୁକାଳୀନ ସହାୟତା, ଆବାସ ଯୋଜନାରେ ସାମିଲ କରିବା ଆଦି ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏନେଇ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଥିଲେ ।