ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାର୍ଯ୍ୟ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଂଚାୟତରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଲ୍ପ କାର୍ଯ୍ୟରେ ଅନିୟମିତତା ଓ ନିମ୍ନ ମାନର କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଖୋଦ୍ ଶାସକ ଦଳର ନେତା ଓ କର୍ମୀ ମାନେ । ଓଡିଶା ସରକାରଙ୍କ ଅନୂସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସୁନ୍ଦରପୁର ପଂଚାୟତର ପାଇତାରି ଗ୍ରାମର ସମସ୍ତ ପରିବାରଙ୍କୁ ସୁଦ୍ଧ ଜଳ ଯୋଗାଣ ନିମନ୍ତେ ୭୦ ଲକ୍ଷ ୫୬ ହଜାର ବ୍ୟୟରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଗ୍ରାମର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ପରିବାର ରହୁଥିଲେ ମଧ୍ୟ ଅଧିକାଂଶ ପରିବାର ଅନୂସୁଚିତ ଜାତି ବର୍ଗର ରହିଛନ୍ତି । ଗ୍ରାମର ସମସ୍ତ ଘରକୁ ପାଇପ ବିଛାଇ ହୋଇଯାଇଥିଲେ ସୁଦ୍ଧା ଜଳ ସଂରକ୍ଷଣ ନିମନ୍ତେ ଓଭରହେଡ ଟ୍ୟାଙ୍କର କାର୍ଯ୍ୟ ଚାଲୁ ରହିଛି । ଏହି କାର୍ଯ୍ୟ ଅତି ନିମ୍ନ ମାନର ଓ ଉପଯୋଗୀ ସ୍ଥାନରେ କରାଯାଉନଥିବା ଗ୍ରାମର ବହୁ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । ୨ ଲକ୍ଷ ଲିଟର ବିଶିଷ୍ଟ ହେବାକୁ ଥିବା ଏହି ଟ୍ୟାଙ୍କଟି ଏକ ପାହାଡ ର ତଳ ପାଶ୍ୱର୍ରେ ବିପଦପୂର୍ଣ୍ଣ ସ୍ଥାନରେ ନିର୍ମାଣ କରାଗଲେ ବର୍ଷା, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଲେ ଏହି ଓଭରହେଡ ଟ୍ୟାଙ୍କଟି ପାହାଡ ର ତଳ ପାଶ୍ୱର୍ରେ ଥିବା ଘର ଉପରେ ପଡିଯିବାର ସମ୍ଭାବନା ରହିଥିବାରୁ ଏହାକୁ ଏଠାରେ ନିର୍ମାଣ କରିବା ପାଇଁ ବାରଣ କରୁଛନ୍ତି । ନିମ୍ନ ମାନର ସାମଗ୍ରୀ ଦ୍ୱାରା ଏହି କାର୍ଯ୍ୟ କରାଯାଉଥିବା ନେଇ ଗ୍ରାମବାସୀ ମାନେ ବିଭାଗୀୟ ଯନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । ଯାହା ଫଳରେ ଗୁରୁବାର ଗ୍ରାମର ବହୁ ଗ୍ରାମବାସୀ ଉକ୍ତ ସ୍ଥାନରେ ପହଂଚି କାର୍ଯ୍ୟର ମାନ ଯାଂଚ କରିଥିଲେ । ସେଠାରେ ଅତି ନିମ୍ନ ମାନର ରଡ୍ ସାହାର୍ଯ୍ୟରେ ପିଲର କାର୍ଯ୍ୟ କରାଯାଉଥିବା ଦେଖି କ୍ଷୋଭ ପ୍ରକାଶ କରିଥିଲେ । ଉପଯୋଗୀ ସ୍ଥାନରେ ଉତ୍ତମ ମାନର ସାମଗ୍ରୀ ବ୍ୟବହାର କରି ଏହି କାର୍ଯ୍ୟ ନ କରାଗଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଯୁବ ବିଜେଡି ବ୍ଲକ ସଭାପତି କାଳିଆ ନାହାକ, ପୂର୍ବତନ ସମିତିସଭୟ ଗଗନ ବେହେରା, ଦେବରାଜ ସାହୁ, ସୁଦାମ ମହାରଣା, ସଚ୍ଚିଦା ସାହ. କୈବଲ୍ୟ ସାହୁ, ବସନ୍ତ ବିଷୋୟୀ, ସୁରେନ୍ଦ୍ର ବେହେରା, ଋଷି ବେହେରା, ଜୟରାମ ବେହେରା, ରମେଶ ବେହେରା, ଗୋବିନ୍ଦ ବେହେରା ଓ କାଳିଆ ବେହେରା ଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ମାନେ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ପ୍ରକଳ୍ପ ନିମନ୍ତେ ଗତ ୦୨.୦୭.୨୦୨୧ ଦିନ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର କାର୍ଯ୍ୟ ୦୨.୦୮.୨୦୨୧ ତାରିଖ ଠାରୁ ଆରମ୍ଭ କରାଯାଇଥିଲା । ମାତ୍ର, ଫଳକ ରେ କାର୍ଯ୍ୟର ଶେଷ ତାରିଖ ଲେଖା ହୋଇନଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ କେବେ ସରିବ ସେନେଇ ଗ୍ରାମବାସୀ ମାନେ ସଠିକ୍ ସୂଚନା ପାଇ ପାରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଗରିବ ଓ ଅସହାୟ ସମେତ ସମସ୍ତ ବର୍ଗର ଜନସାଧାରଣ ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କରିବା ସହ ଘରକୁ ଘର ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ କରିଆସୁଛନ୍ତି । ଏହି କାର୍ଯ୍ୟ ଗୁଡିକ ସ୍ୱଚ୍ଛତା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଥିଲେ ମଧ୍ୟ ଖୋଦ୍‌୍ ଛତ୍ରପୁର ବ୍ଲକରେ ଏପରି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଯୁବ ବିଜେଡି ବ୍ଲକ ସଭାପତି କାଳିଆ ନାହାକ କହିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ ନ କରି ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଲି ନିମ୍ନ ମାନର କାର୍ଯ୍ୟ କରିଥିବାରୁ ଏନେଇ ୫ ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ