୨ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଛତ୍ରପୁରରେ ସମୀକ୍ଷା କଲେ

ଛତ୍ରପୁର,: ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜରିଆରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ଗୁଡିକର ତଦାରଖ ଓ ସମୀକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ପଞ୍ଚମ ସାଧାରଣ ସମୀକ୍ଷା ମିସନ୍‌ର ଏକ ୨ ଜଣିଆ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳର ମୁଖ୍ୟ ଗିରିରାଜ୍ ପି.ଗୁପ୍ତା ଓ ଏନ୍‌.ଆର୍ .ଭାନୁମୂର୍ତ୍ତି ଗୁରୁବାର ଠାରୁ ଜିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ଶନିବାର ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ଯୋଜନା ଗୁଡିକୁ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଯୋଜନା ଗୁଡିକୁ ପରିଚାଳିତା କରୁଥିବା ଅଧିକାରୀମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
କେନ୍ଦ୍ର ସରକାରଙ୍କ ମହତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିସନ୍‌, ସାଂସଦ ଆଦର୍ଶ ଗ୍ରାମୀଣ, ଜାତୀୟ ବାର୍ଧକ୍ୟ ଭତ୍ତା, ଚତୁର୍ଦ୍ଦ୍‌ଶ ଅର୍ଥ କମିଶନ,ଜିପିଡିପି, ମିସନ୍ ଅନ୍ତୋଦେୟ, ଦୀନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଲ୍ୟ ପ୍ରମୁଖ କେନ୍ଦ୍ରୀୟ ଯୋଜନା ଗୁଡିକୁ ଗଞ୍ଜାମ ଜିଲ୍ଲାରେ ଯେଉଁଭଳି କାର୍ଯ୍ୟକାରୀ ହେଉଅଛି ତାହାକୁ କେନ୍ଦ୍ରୀୟ ପ୍ରତିନିଧି ଦଳ ପ୍ରଶଂସା କରିଥିଲେ । ବିଶେଷ କରି ଜଗନ୍ନାଥପ୍ରସାଦ ବ୍ଲକ ଅଳସୁଗୁମା ପଞ୍ଚାୟତ ଏକଘରିଆ ଗ୍ରାମର ଜଣେ ଦାଦନ ଶ୍ରମିକ ସିତାରାମ ସାହୁ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକରୁ ନିଜ ଉଦ୍ୟମରେ ଏକ କ୍ଷୁଦ୍ର ବ୍ୟବସାୟୀ ହୋଇଯାଇଛନ୍ତି । ଫଳରେ ଗାଁକୁ ଛାଡି ଦାଦନ ଖଟିବା ଭୁଲି ଯାଇଛନ୍ତି । ଦୀପାବଳିର ଗୋଟିଏ ଦିନରେ ୧୦ ହଜାର ଟଙ୍କା ଆଖୁ ବିକ୍ରି କରିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳକୁ ବେଶ୍ ସନ୍ତୋଷଜନକ କରିଅଛି । ସେହିପରି ଭଂଜନଗର ଠାରେ ଲେମ୍ବୁ ଘାଷ ଚାଷ କରି ସେଥିରୁ ଏକ ଏସେନ୍ସ ତିଆରି ହେଉଛି । ଯାହା ଫିନାଇଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଆବଶ୍ୟକ ପଡୁଛି । ଏହା ମଧ୍ୟ କେନ୍ଦ୍ରୀୟ ପ୍ରତିନିଧି ଦଳ ତଦାରଖ କରି ଆନନ୍ଦିତ ହୋଇଛନ୍ତି । ଭଞ୍ଜନଗର ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗୋଟିଏ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ କେନ୍ଦ୍ରୀୟ ପ୍ରତିନିଧି ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି ରାସ୍ତାର ନିର୍ମାଣ କାର୍ଯ୍ୟକୁ ବାହାର ଜିଲ୍ଲାର ଏକ ବୈଷୟିକ ପ୍ରତିନିଧି ଦଳ ଜରିଆରେ ଯାଞ୍ଚ କରିବାକୁ କେନ୍ଦ୍ରୀୟ ପ୍ରତିନିଧି ନିର୍ଦ୍ଦେଶ ଦେଇଥିଲେ । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଯେଉଁ ହିତାଧିକାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, ସେଠାରେ ତୁରନ୍ତ ଯୋଜନା ସମ୍ବନ୍ଧୀୟ ଫଳକ ଲଗାଯିବା ଉପରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଗୁରୁତ୍ୱାରୋପ କରିଥିଲେ । ସେହିପରି କେନ୍ଦ୍ରୀୟ ଯୋଜନା ଗୁଡିକୁ ଜିଲ୍ଲାରେ ତ୍ୱରାନ୍ୱିତ କରିବା ଦିଗରେ କେଉଁ ପ୍ରକାର ସମସ୍ୟା ରହୁଛି ତାହା ଉପରେ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ପ୍ରତିନିଧି ଦଳ ପଚାରି ବୁଝିଥିଲେ । ଜିଲ୍ଲାରେ ପ୍ରାୟ ୩ ଶହ ଛୋଟ ଛୋଟ ଗାଁକୁ ଉତ୍ତମ ସଡକ ନଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏମ ନରେଗା ଯୋଜନାରେ ହିତାଧିକାରୀଙ୍କୁ ବ୍ୟାଙ୍କ ଜରିଆରେ ଜମାଖାତାକୁ ଅର୍ଥ ଯୋଗାଣ କାର୍ଯ୍ୟକୁ ସରଳୀକରଣ ନିମନ୍ତେ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରାଯାଇଛି । ଗ୍ରାମାଞ୍ଚଳରେ ବ୍ୟାଙ୍କ ଗୁଡିକରେ ଲିଙ୍କେଜ୍ ଫେଲ ସମସ୍ୟା ଯୋଗୁଁ ହିତାଧିକାରୀଙ୍କ ଟଙ୍କା ଜମାଖାତକୁ ପହଞ୍ଚିବା ବାଧା ସୃଷ୍ଟି ହେଉଛି । ବେଳେ ବ୍ୟାଙ୍କ ଗୁଡିକ ଦାୟିତ୍ୱ ଦୀନତା ଯୋଗୁଁ ହିତାଧିକାରୀ ଙ୍କ ଜମାଖାତାରେ ଟଙ୍କା ପୈଠ କରିବାକୁ ବିଳମ୍ବ କରିଥାନ୍ତି । ଏମ୍‌ନରେଗା ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଦୈନିକ ୧୮୮ ଟଙ୍କା ମଜୁରୀକୁ ବୃଦ୍ଧି କରିବା ସହିତ ଏମ୍‌ନରେଗା ଓ ଭତ୍ତା ବିଭିନ୍ନ ଯୋଜନା ଗୁଡିକୁ ସ୍ୱଚ୍ଛତା ଭାବେ ପରିଚାଳନା କରିବା ନିମନ୍ତେ ପ୍ରତି ପଞ୍ଚାୟତରେ ଜଣେ ଲେଖାଁଏ ଡାଟା ଏଣ୍ଟ୍ରି ଅପରେଟର ଓ ହିସାବ ନିରୀକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳକୁ ଜିଲ୍ଲା ତରଫରୁ ପ୍ରସ୍ତାବ ଦିଆଯାଇଛି । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବୀ ନାରାୟଣ ତ୍ରିପାଠୀ ମଞ୍ଚାସୀନ ରହିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ) କୃଷ୍ଣଚନ୍ଦ୍ର ପଣ୍ଡା, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ମନୋଜ କୁମାର ବେହେରା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଜୀବିକା ମିସନ୍‌) ନଳନୀକାନ୍ତ ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରାମୀଣ ଗୃହ ଯୋଜନା) ସୌମ୍ୟରଞ୍ଜନ ହୋତା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶିକ୍ଷଣ) ବାଣୀ ସୁକାନ୍ତ ପଟ୍ଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଆ, ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ଜଳ ଓ ପରିମଳ ମିସନ୍‌ର ଜିଲ୍ଲା ସଂଯୋଜକ ମହେଶ କୁମାର ତରାଇ, ଓଡିଶା ଜୀବିକା ମିସନ୍‌ର ଜିଲ୍ଲା ସଂଯୋଜକ ନବୀନ ସେନାପତି, ଓଆର୍‌ମାସ୍ ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ମହାନ୍ତି,ଏମ୍‌ନରେଗା ଯୋଜନା ଜିଲ୍ଲା ସଂଯୋଜିକା ରୀନା ପାଢୀ ଓ ସନ୍ଧ୍ୟାରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ