ବାରମାସର ପ୍ରଥମ ପର୍ବର୍ ପ୍ରଥମାଷ୍ଟମୀ

ବିପିନ ବିହାରୀ ମହାନ୍ତି
ହିନ୍ଦୁ ପରମ୍ପରାରେ ବର୍ଷର ପ୍ରଥମ ମାସ ହେଉଛି ମାର୍ଗଶୀର । ଏହି ମାସର କୃଷ୍ଣପକ୍ଷ ଅଷ୍ଟମୀ ଦିନକୁ କୁହନ୍ତି ପ୍ରଥମାଷ୍ଟମୀ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହା ପୂର୍ବରୁ ଆଉ କୌଣସି ପର୍ବ ପାଳିତ ହୁଏ ନାହିଁ । ଏମିତିକି ମାର୍ଗଶୀର ମାସର ପ୍ରଥମ ଗୁରୁବାର ପଡ଼ିଲେବି, ଏହା ପର୍ବ ରୂପେ ପାଳିତ ହୁଏ ନାହିଁ । ଏଣୁ ଯଥାର୍ଥରେ କୁହାଯାଇଛି :
ଅଷ୍ଟମୀ ନୋହୁଣୁ ଯେବେ ଗୁରୁବାର ହୋଇ
ପୂଜିଲେ ହେଁ ମହାଲକ୍ଷ୍ମୀ ପୂଜା ନଘେନଇ ।ା
ଏହି ଅର୍ଥରେ ପର୍ବକୁ ନେଲେ ବର୍ଷଚକ୍ରରେ ପ୍ରଥମେ ପ୍ରଥମାଷ୍ଟମୀ ।
ଆମର ପାଳିତ ହେଉଥିବା ପର୍ବମାନେ କାହାର ନା’ କାହା ସହିତ ସମ୍ବନ୍ଧିତ ; ଯେମିତି ରାକ୍ଷୀରେ ଉଭଣୀର ସୁରକ୍ଷା ଅର୍ଥରେ ରାକ୍ଷୀବନ୍ଧନ; ତଅପୋଇ ଓଷାରେ ଭାଇମାନଙ୍କ ନିରାପତ୍ତା ପାଇଁ ଭଉଣୀର ମଙ୍ଗଳାଙ୍କ ପାଖରେ ନିବେଦନ, ସନ୍ତାନମାନଙ୍କର ମଙ୍ଗଳ କାମନା କରି ଷଠୀବୁଢ଼ୀ ପାଖରେ ମା’ମାନଙ୍କ ଓଷା । ସେମିତି ମାମୁଁ ଘର ସଂପର୍କ ନେଇ ଜ୍ୟେଷ୍ଠ ଭଣଞ୍ଜା, ବା ଭାଣେଞ୍ଜିଙ୍କୁ ନେଇ ପର୍ବ, ତାହାକୁ କୁହନ୍ତି ପ୍ରଥମାଷ୍ଟମୀ । ଏହି ପର୍ବଟି ଉଭୟ କୃଷିଭିତ୍ତିକ ଏବଂ ପାରିବାରିକ ଓ ରକ୍ତ ସଂପର୍କିତ, ପୁଣି ଏ ଦେବ ଓ ମାନବ ସମାଜର ।
ଏହା କୃଷିଭିତ୍ତିକ କାରଣ ଏହି ମାସରେ ଧାନ ଅମଳ ହୁଏ । ଧାନ ଆମ ଅନ୍ନ, ଅନ୍ନଦାତ୍ରୀ ମା’ ଲକ୍ଷ୍ମୀ । ତାଙ୍କର ଗୃହ ପ୍ରବେଶର ପ୍ରଥମ ପର୍ବ ପ୍ରଥମାଷ୍ଟମୀ ଯେଉଁଥିରେ ନୂଆ ଚାଉଳର ଏଣ୍ଡୁରି ଭୋଗ ପ୍ରଥମେ ଭୋଗ୍ୟ ଅର୍ଘ୍ୟରୂପେ ବଢ଼ାଯାଏ ପୂଜାରେ । ପୁଣି ମାଣବସା ପୂଜାରେ, ଧାନ ଆକାରରେ ବେତାରେ, ଗୌଣୀ ଓ ସେରରେ ଏବଂ ଅନ୍ନ, ପିଠା – ପଣା ଆକାରରେ ଳକ୍ଷ୍ମୀଙ୍କଠାରେ ବଢ଼ାଯାଏ । କଥାରେ ଅଛି ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ । ଏକଥା ଆମେ କହୁ ନାହୁଁ । ଆମ ଧର୍ମୀୟ ପରମ୍ପରାରେ ଅଛି । ଆମେ ସେହି ଧର୍ମୀୟ ପରମ୍ପରାକୁ ଅନୁକରଣ ଓ ଅନୁସରଣ କରି ଆସୁଛୁ ମାତ୍ର । ଜ୍ୟେଷ୍ଠ ଭ୍ରାତା ବଳଭଦ୍ରଙ୍କୁ ଜଗନ୍ନାଥ ସମ୍ମାନ କରନ୍ତି । ଜ୍ୟେଷ୍ଠ ଭ୍ରାତା ରାମଚନ୍ଦ୍ରଙ୍କୁ ଅନ୍ୟ ତିନିଭାଇ ପିତୃତୁଲ୍ୟ ଦେଖନ୍ତି । ଏମିତିରେ ଯୁଦ୍ଧିଷ୍ଠିର ଓ ତାଙ୍କ ଅନ୍ୟ ଭାଇମାନଙ୍କ ସଂପର୍କ । ଜ୍ୟେଷ୍ଠ ହିଁ ଶ୍ରେଷ୍ଠ ନ୍ୟାୟରେ ଆମେ ଜ୍ୟେଷ୍ଠ ଓ ଶ୍ରେଷ୍ଠଙ୍କୁ ପୂଜାକରି ଶିଖିଛୁ ।
ପ୍ରଥମାଷ୍ଟମୀ ଦିନ ଜ୍ୟେଷ୍ଠ ସନ୍ତାନପାଇଁ ମାମୁଁ ଘର ନୂତନ ବସ୍ତ୍ର, ପିଠକ ଓ ପୂଜନ ସାମଗ୍ରୀ ଯୋଗାନ୍ତି । ଏହି କାରଣରୁ ଧର୍ମୀୟ ପରମ୍ପରାରେ ଶ୍ରୀ ମନ୍ଦିରର ଜିଉମାନଙ୍କର ମାମୁଁଘର ପ୍ରାଚୀ ନଦୀକୂଳରେ ଅବସ୍ଥିତ ମାଧବାନନ୍ଦ କ୍ଷେତ୍ରରୁ ତାଙ୍କର (ବଳଭଦ୍ର) ପୋଢ଼ୁଆଁ ନିମେନ୍ତ ପାଟବସ୍ତ୍ର ପ୍ରେରଣ କରିବାର ପ୍ରଥା ରୂପେ ଚାଲିଛି । ସେହିପରି ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁ ଘର ରୂପେ ପରିଚିତ ଭୁବନେଶ୍ୱରର କପାଳିମଠରେ ଅବସ୍ଥିତ ବରୁଣେଶ୍ୱର ଓ ବନଦେବୀ ଯଥାକ୍ରମେ ମାମୁଁ ଓ ମାଇଁ ରୂପେ ସମ୍ପର୍କିତ । ଏଣୁ ପ୍ରଥମାଷ୍ଟମୀ ଦିନ ଲିଙ୍ଗରାଜଙ୍କ ବିଜେ ପ୍ରତିମା କପାଳିମଠ ଯାଆନ୍ତି ଏବଂ ସେଠାରେ ମାମୁଁ -ମାଇଁଙ୍କ ତର‘ରୁ ତାଙ୍କୁ ପାପ ନାଶିନୀ ପୁଷ୍କରୀଣି ଜଳରେ ସ୍ନାନ କରାଇ ନବବସ୍ତ୍ର ପିନ୍ଧାନ୍ତି ଏବଂ ପୂଜା – ଉପାସନା କରାନ୍ତି । ଏହି ଅନୁକରଣରେ ସେଦିନ ସମସ୍ତ ଦେବାଳୟରେ ପ୍ରଥମାଷ୍ଟମୀ ପାଳନ ହୁଏ ଏବଂ ଏଣ୍ଡୁରି ଭୋଗ ହୁଏ ।
ତେବେ ପ୍ରଶ୍ନ ଉଠୁଛି ଏହା ଜ୍ୟେଷ୍ଠ ସନ୍ତାନ ଏବଂ ତାଙ୍କର ମାମୁଁଙ୍କୁ ନେଇ କାହିଁକି ସଂପର୍କିତ? ଅବଶ୍ୟ ମାମୁଁଙ୍କ ସହ ନିଜର ପିତା, ମାତା ମ୍ମ ଅଛନ୍ତି । ମା’ମାନେ ସେଦିନ ମାମୁଁଘରୁ ଆସିଥିବା ପିଠା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପିଠାକରନ୍ତି, ଜ୍ୟେଷ୍ଠ ସନ୍ତାନଙ୍କୁ ଗାଧୁଆ ପାଧୁଆ କରି ଷଠୀଦେବୀ ଆଗରେ ଷଠୀଦେବୀ ସହ ତାଙ୍କ ପୂଜା ଇତ୍ୟାଦି କରନ୍ତି । ଏବଂ ସନ୍ତାନମାନଙ୍କର ଦୀର୍ଘ ଜୀବନ କାମନା କରନ୍ତି । ତାଙ୍କଠାରୁ ପିଣ୍ଡଦାନ ଆଶା କରନ୍ତି ।
ଜ୍ୟେଷ୍ଠ ସନ୍ତାନ ପିତା ବା ମାତା ତୁଲ୍ୟ । ଉକ୍ତ ସନ୍ତାନଟି ଜନ୍ମ ହେଲାମାତ୍ରେ ପିତା ତାଙ୍କ ପିତୃଋଣରୁ ମୁକ୍ତ ହୁଅନ୍ତି ବୋଲି ଶାସ୍ତ୍ରମତେ ଗ୍ରହଣୀୟ । କଥାରେ କୁହନ୍ତି ଁ ଆଗ ସନ୍ତାନ ବାଘ । ଅର୍ଥାତ୍ ସେ ପିତାଙ୍କର ପ୍ରତିଟି ସହାୟତା ପାଇଁ ପ୍ରସ୍ତୁତଥାଏ । ସେ କନିଷ୍ଠମାନଙ୍କ ପାଇଁ ପିତା ପରିବର୍ତ୍ତେ ପିତା । ସେ ପିତାମାତାଙ୍କ ବାର୍ଦ୍ଧକ୍ୟରୁ ସହାୟ; ତାଙ୍କ ଦିନକୁ ବଳ ଏବଂ କାଳକୁ ଜଣେ ତତ୍‌କ୍ଷଣିକ ସେବକ । ଏଥୁ ଅନ୍ତେ ତାଙ୍କ ପରକାଳ ପାଇଁ ସେ ପାଲଟି ଯାଆନ୍ତି ମୋକ୍ଷର ମାର୍ଗ : ତାଙ୍କୁ ତିଳତର୍ପଣ ବା ପିଣ୍ଡଦାନ ମା୍ମମରେ ।
ମହାଳୟା ଶ୍ରାଦ୍ଧରେ ସାତପୁରୁଷଙ୍କୁ ଯେଉଁ ଶ୍ରାଦ୍ଧ-ତର୍ପଣ କରାଯାଏ, ସେଥିରେ ତିନିପୁରୁଷ ନିଜ ପିତାଙ୍କ କୁଳର; ଗୋଟିଏ ଲୁପ୍ତ ପୁରୁଷଙ୍କର ଏବଂ ଅନ୍ୟ ତିନୋଟି ମାତୁଳ ବଂଶର ଯେଉଁଥିରେ ଅଜା ଏବଂ ଆଈ ମ୍ମ ଅନ୍ତର୍ଭୁକ୍ତ । ନିଜ ତର‘ରୁ ପିତା ଏବଂ ତାଙ୍କ ପୂର୍ବଜ ସହ ଆମେ ଯେମିତି ସଂପର୍କିତ । ମାତାଙ୍କ ତର‘ରୁ ମାତାଙ୍କ ଭ୍ରାତା ଓ ତାଙ୍କ ପିତାଙ୍କ କୁଳ ସହିତ ସେମିତି ସଂପର୍କିତ କାରଣ ଆମେ ଉଭୟ ପିତା ମାତାଙ୍କ ଦେହରୁ ଜନ୍ମ ହେତୁ ଉଭୟ କୁଳ ପ୍ରତି ସମାନ କର୍ତ୍ତବ୍ୟ ଅଛି । ଏହି କାରଣରୁ ବଡ଼ବଡ଼ିଆ ଡକାବେଳେ ଭଣଞ୍ଜା/ଭାଣେଞ୍ଜିର ଉପସ୍ଥିତି ମ୍ମକାମ୍ୟ । ସେମିତି ମାମୁଁ, ମାଇଁ, ଅଜା କି ଆଈଙ୍କର ଦେହାନ୍ତ ପରେ, ଦଶା ଖଟିବାବେଳେ ଏମାନଙ୍କର ଉପସ୍ଥିତି ଜରୁରୀ ହୁଏ କାରଣ ଏହା ପିଣ୍ଡଦାନ କଥା; ଜଳ ତର୍ପଣ ଓ ତିଳତର୍ପଣ କଥା ।
ଜ୍ୟେଷ୍ଠ ସନ୍ତାନ ଅର୍ଥରେ ଏହା ଉଭୟ ପୁତ୍ର ବା କନ୍ୟାକୁ ବୁଝାଏ । ଶୁଦ୍ଧ ବା ଶ୍ରାଦ୍ଧରେ ଏମାନେ କ୍ରିୟାଧରି ପାରିବେ ଏବଂ ଶ୍ରାଦ୍ଧ ବାଢ଼ିପାରିବେ । ଦୁହିତା ଉଭୟ କୁଳକୁ ହିତା ନ୍ୟାୟରେ, ପରଗୋତ୍ରୀ ହେଲେବି ଶ୍ରାଦ୍ଧ ଦେଇପାରିବେ । କେଉଁ ପୁରାଣରେ ନାହିଁ ଯେ ନାରୀ / କନ୍ୟାମାନେ ପରଗୋତ୍ରୀରେ ପିତୃକୂଳରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଯେମିତି ଜଣେ ପୁରୁଷ ସ୍ତ୍ରୀ ବିନା ଏକା ପିଣ୍ଡବାଢ଼ିପାରେ, ସେମିତି ଜଣେ ସ୍ତ୍ରୀ ବି ପିଣ୍ଡଦାନ ସ୍ୱାମୀଙ୍କ ଅନୁପସ୍ଥିତିରେ କରିପାରେ ଯେମତି ସୀତାଙ୍କ ପିଣ୍ଡଦାନ ।
ମନୁଙ୍କ ମତରେ ଜ୍ୟେଷ୍ଠ ସନ୍ତାନର ପରିବାର ପ୍ରତି ଭୂମିକା ଗୁରୁତ୍ୱପୂର୍ଣ୍ଣ ହେତୁ, ତାଙ୍କୁ ଜ୍ୟେଷ୍ଠାଶଂ ଦେବା ବିଧେୟ । ଏକାଧିକ ସନ୍ତାନ ଥିଲେ ସେମାନଙ୍କର ଜନ୍ମକ୍ରମେ, ସେମାନଙ୍କର ଅଂଶ ବି କମି କମି ଆସିପାରେ । ଜ୍ୟେଷ୍ଠଙ୍କ ଅନୁମତିରେ ଅଥବା ଅନୁପସ୍ଥିତିରେ ପରବର୍ତ୍ତୀ ସମୟରେ ଜ୍ୟେଷ୍ଠଙ୍କ କର୍ତ୍ତବ୍ୟ ସମ୍ପାଦନା କରିପାରନ୍ତି । ଉପରୋକ୍ତ ଆଲୋଚନାରୁ ମାମୁଁ ଘର ସହିତ ଜ୍ୟେଷ୍ଠ ଭଣଞ୍ଜା ବା ଭାଣେଞ୍ଜିଙ୍କ ସମ୍ପର୍କକୁ ନେଇ ଏ ପର୍ବର ତାତ୍ପର୍ଯ୍ୟ ବିଚାର୍ଯ୍ୟ ଅଟେ ।
ପ୍ରଥମାଷ୍ଟମୀକୁ ମ୍ମ ପାପନାଶିନୀ ଅଷ୍ଟମୀ କୁହନ୍ତି । ଏହିଦିନ କାଳଭୈରବ ଜନ୍ମ ହୋଇଥିଲେ । ତାଙ୍କୁ ସନ୍ତୁଷ୍ଟ କଲେ ସକଳ ପାପ ବିନାଶ ହୁଏ ବୋଲି ବିଶ୍ୱାସ । ଏଣୁ ତାଙ୍କୁ ପୂଜା କରାଯାଏ ।
ତାନ୍ତ୍ରିକ ଭାଷାରେ ଏହି ଦିବସକୁ ଘୋର ଯାତ୍ରା କୁହାଯାଏ । ଏହି ଦିବସଟି ତନ୍ତ୍ର ସାଧନା ନିମନ୍ତେ ଆଦ୍ୟାଶକ୍ତି କାଳରାତ୍ରିକୁ ପୂଜା କରିବାର ଏକ ଅନୁକୂଳ ଅବସର । ତେବେ ମାମୁଁଘର ସଂପର୍କକୁ ନେଇ ଜ୍ୟେଷ୍ଠ ଭଣଞ୍ଜା/ଭାଣେଞ୍ଜିଙ୍କ ବିଚାରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସୁସ୍ଥ ସମାଜ ଗଠନରେ ସୁସ୍ଥ ପରମ୍ପରାରେ ଆବଶ୍ୟକତା ଅଛି । ଏହି ଦୃଷ୍ଟିରୁ ସବୁ ପରମ୍ପରାକୁ କୁସଂସ୍କାର କହି ଏଡାଇ ହେବ ନାହିଁ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ବିକାଶନଗର, ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ